ମୁମ୍ବାଇ: ବଲିଉଡର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ (Kangana Ranaut) ପୁଣି ଥରେ ନିଜର ଏକ ଭିଡିଓ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଗଳାରେ ମଙ୍ଗଳସୂତ୍ର, ସିନ୍ଥିରେ ସିନ୍ଦୂର ଏବଂ ହାତରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି । କଙ୍ଗନାଙ୍କର ଏହି ପାରମ୍ପରିକ ବିବାହିତ ମହିଳା ରୂପକୁ ଦେଖି ପ୍ରଶଂସକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି ଏବଂ ସେ ଗୋପନରେ ବିବାହ କରିନେଇଛନ୍ତି କି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ଭାଇରାଲ ଭିଡିଓ

ଭାଇରାଲ ହେଉଥିବା ଏହି କ୍ଲିପରେ କଙ୍ଗନା ରାଣାୱତ ଏକ ହାଲୁକା ଗୋଲାପୀ ରଙ୍ଗର ସାଲୱାର ସୁଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ସେ ନିଜ ସୁରକ୍ଷା କର୍ମୀଙ୍କ ଗହଣରେ ଘରୁ ବାହାରି ନିଜ କାର୍ ଆଡ଼କୁ ଯାଉଥିବା ବେଳେ ପାପାରାଜି (Paparazzi)ଙ୍କ କ୍ୟାମେରାରେ କଏଦ ହୋଇଥିଲେ । ଏହି ସମୟରେ କଙ୍ଗନା ବେଶ୍ ଗମ୍ଭୀର ଦେଖାଯାଉଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କୌଣସି କଥାବାର୍ତ୍ତା କରିନଥିଲେ । କିନ୍ତୁ ସମସ୍ତଙ୍କ ନଜର ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଏବଂ ହାତର ସବୁଜ ଚୁଡ଼ି ଉପରେ ଅଟକି ଯାଇଥିଲା, ଯାହାକୁ ନେଇ ପ୍ରଶଂସକମାନେ ଚର୍ଚ୍ଚା କରୁଛନ୍ତି ।

କଙ୍ଗନାଙ୍କ ପ୍ରତିକ୍ରିୟା

ଏହି ଗୁଜବ ପରେ କଙ୍ଗନା ରାଣାୱତ ନିଜେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି,‘ମୁଁ ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ସୁଟିଂ କରୁଛି । କେହି ଜଣେ ମୋର ଏହି କ୍ୟାରେକ୍ଟର ମେକଅପ୍ (ଚରିତ୍ରର ରୂପ) ଥିବା ଫଟୋ ଉଠାଇ ଭାଇରାଲ କରିଦେଇଛି, ଯାହା ପାଇଁ ମୋ ପାଖକୁ ଅନେକ ଫୋନ କଲ୍ ଆସୁଛି । ଜଣେ ବିବାହିତ ମହିଳାଙ୍କ ରୂପକୁ ନେଇ ଏତେ ବଡ଼ କଥା କଣ ଅଛି ? ଅଭିନେତାମାନେ ବିଭିନ୍ନ ପ୍ରକାରର ଭୂମିକାରେ ଅଭିନୟ କରନ୍ତି । ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ମୁଁ କେବେ ବି ଗୋପନରେ ବିବାହ କରିବି ନାହିଁ ।’

ଚଳଚ୍ଚିତ୍ରର ଲୁକ୍‌

ରିପୋର୍ଟ ଅନୁଯାୟୀ, କଙ୍ଗନା ରଣାଓ୍ବତଙ୍କର ଏହି ରୂପ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କ୍ଵିନ୍ ୨' (Queen 2) ବା 'କ୍ଵିନ୍ ଫରଏଭର' (Queen Forever)ର ସୁଟିଂ ସେଟ୍ର । ମୁମ୍ବାଇରେ ଏହି ସିନେମାର ସୁଟିଂ ଚାଲିଥିବା ବେଳେ ଏହି ଲୁକ୍ ସାମ୍ନାକୁ ଆସିଛି । ୨୦୧୪ ମସିହାର ସୁପରହିଟ୍ ଫିଲ୍ମ 'କ୍ଵିନ୍'ର ଏହା ସିକ୍ୟୁଏଲ୍ ହୋଇଥିବା ବେଳେ ଏଥିରେ 'ରାଣୀ' ଚରିତ୍ରର ଜୀବନର ପରବର୍ତ୍ତୀ କାହାଣୀକୁ ଦେଖାଯିବ, ଯେଉଁଥିରେ ସେ ବିବାହିତ ରୂପରେ ନଜର ଆସିପାରନ୍ତି । ଏହା ବ୍ୟତୀତ କଙ୍ଗନାଙ୍କର ଆଗାମୀ ଆକ୍ସନ-ଡ୍ରାମା ଫିଲ୍ମ 'ଭାରତ ଭାଗ୍ୟ ବିଧାତା' ଆସନ୍ତା ଜୁନ୍ ୧୨, ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି । ତେଣୁ ଏହି ଭାଇରାଲ ଭିଡିଓଟି କୌଣସି ପ୍ରକୃତ ବିବାହର ନୁହେଁ, ବରଂ କେବଳ ତାଙ୍କ ଚଳଚ୍ଚିତ୍ର ସୁଟିଂର ଏକ ଅଂଶ ବୋଲି ସ୍ପଷ୍ଟ ହୋଇଯାଇଛି ।