ମାଲକାନଗିରି ୨୮।୫: ମାଲକାନଗିରି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ହଠାତ୍ ଆସିଲା, ଅଧ ଘଣ୍ଟାଏ ଘାଣ୍ଟିଲା । ଝଡ ପବନରେ ବିଭିନ୍ନ ସ୍ଥାନରେ ଭାଙ୍ଗିଲା ଗଛ । ଘରର ଛପର ଉଡ଼ି ଯାଇଥିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି । SDO କଲୋନୀରେ ଏକ ସରକାରୀ ବାସଗୃହ ଉପରେ ଗଛ ପଡିବାରୁ ଘରଟି ଭାଙ୍ଗି ଯାଇଛି । ସୁବାସ ବୋଷ ଛକରେ ଏକ ବିରାଟ ଗଛ ଭାଙ୍ଗି ପଡିବା ଫଳରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି ।

ବୁଧବାର ମଧ୍ୟ ଅଚାନକ ମାଡ଼ି ଆସିଥିଲା କାଳବୈଶାଖୀ ଆଉ ରଚିଥିଲା ତାଣ୍ଡବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ଘଣ୍ଟା ପ୍ରତି ୪୦ ରୁ ୬୦ ତ କେଉଁଠି ୬୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଥିଲା । ଏହି ବର୍ଷା ଯୋଗୁଁ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ରୁ ୧୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଯାହା ଗତ କିଛି ସପ୍ତାହର ଗ୍ରୀଷ୍ମ ପ୍ରବାହକୁ ପ୍ରଶମିତ କରିଥିଲା । ତେବେ ଦୀର୍ଘଦିନ ଧରି ସନ୍ତୁଳି ହେଉଥିବା ସାଧାରଣ ଲୋକ ଶେଷରେ ପାଇଥିଲେ ଆଶ୍ବସ୍ତି ।

Also Read:- ସୌମ୍ୟଙ୍କ ସହ ଯୁବତୀଙ୍କ ପରିଚୟ ଥିଲା କି ନାହିଁ ଚାଲିଛି ତଦନ୍ତ, ଆବଶ୍ୟକ ପଡ଼ିଲେ ହେବ ପଲିଗ୍ରାଫ ଟେଷ୍ଟ

ତେବେ ଆଗାମୀ ଦିନରେ ଅର୍ଥାତ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ କମ୍ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ । ସେ କହିଛନ୍ତି ପଶ୍ଚିମ ଓଡ଼ିଶାରେ ସାମାନ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ହେଲେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । ଗୁଳୁଗୁଳି ଅନୁଭୂତ ହୋଇପାରେ । ୪ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୪ ତାରିଖ ପରେ ସ୍ପଷ୍ଟ ହେବ ଖରାର ପ୍ରକୋପ ଆଗାମୀ ଦିନରେ କିଭଳି ରହିବ ।