ଭୁବନେଶ୍ୱର: ଜାତୀୟ ସ୍ତରର ଅତି ଲୋକପ୍ରିୟ ସଙ୍ଗୀତ ରିଆଲିଟି ସୋ' 'ଇଣ୍ଡିଆନ୍ ଆଇଡଲ୍‌' ମଞ୍ଚରେ ପୁଣି ଚମକିଛନ୍ତି ଓଡ଼ିଆ ଝିଅ। ଓଡ଼ିଶାର ଗର୍ବ ତଥା ଜଣାଶୁଣା କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଏହି ସୋ'ର ଶେଷ ୬ ଜଣ ପ୍ରତିଯୋଗୀ ବା 'ଟପ୍ ସିକ୍ସ'ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଗତକାଲି ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ଜ୍ୟୋତିର୍ମୟୀ 'ବଟମ୍ ଥ୍ରୀ'ରୁ ବର୍ତ୍ତି ସୁରକ୍ଷିତ ଭାବେ ଆଗକୁ ବଢ଼ିଛନ୍ତି।

ବିଗତ ୬ ମାସ ଧରି ଚାଲିଥିବା ଏହି କଠିନ ସଙ୍ଗୀତ ମହାଲଢ଼େଇରେ ଜ୍ୟୋତିର୍ମୟୀ ନିଜର ଦମଦାର ପ୍ରଦର୍ଶନ ବଳରେ ବିଚାରକ ମାନଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଆସିଛନ୍ତି। ପୁରୁଣା ଦିନର ସୁମଧୁର ମେଲୋଡି ଠାରୁ ଆରମ୍ଭ କରି ବଲିଉଡର ଧମାକେଦାର ଗୀତ ପର୍ଯ୍ୟନ୍ତ, ସବୁ ଶୈଳୀର ସଙ୍ଗୀତ ଗାନ କରିବାରେ ସେ ବେଶ୍ ପାରଙ୍ଗମ।

୧୫ ଜୁଲାଇରେ ଆସୁଛନ୍ତି ଭୁବନେଶ୍ୱର

ଇଣ୍ଡିଆନ୍ ଆଇଡଲ୍-୧୬ର ଗ୍ରାଣ୍ଡ ଫାଇନାଲ୍‌ ଆଡ଼କୁ ଗତି କରୁଥିବା ଜ୍ୟୋତିର୍ମୟୀ ଆସନ୍ତା ୧୫ ଜୁଲାଇରେ ଓଡ଼ିଶା ଫେରୁଛନ୍ତି। ଭୁବନେଶ୍ୱର ଆସିବା ପୂର୍ବରୁ ସେ ଓଡ଼ିଶାବାସୀ ତଥା ନିଜର ପ୍ରଶଂସକମାନଙ୍କୁ ଶେଷ ଥର ପାଇଁ ଏକ ଭାବପୂର୍ଣ୍ଣ ଅପିଲ୍ କରିଛନ୍ତି। ବିଜେତା ମୁକୁଟ ପିନ୍ଧିବା ପାଇଁ ସେ ସମସ୍ତଙ୍କର ଆଶୀର୍ବାଦ ଓ ଭୋଟିଂ ସପୋର୍ଟ ଲୋଡ଼ିଛନ୍ତି।

ଚାକିରି ଛାଡ଼ି ସଙ୍ଗୀତକୁ ବାଛିଲେ, କରୁଛନ୍ତି 'ମ୍ୟୁଜିକ୍ ଥେରାପି'

ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପଛରେ ରହିଛି ବର୍ଷ ବର୍ଷର କଠିନ ପରିଶ୍ରମ ଓ ସଂଘର୍ଷ। ସେ ବିଟେକ୍ ଶିକ୍ଷା ସମାପ୍ତ କରିବା ପରେ ଏକ ବଡ଼ କମ୍ପାନୀରେ ଉଚ୍ଚ ପଦବୀରେ ଚାକିରି ପାଇଥିଲେ। କିନ୍ତୁ ସଙ୍ଗୀତ ପ୍ରତି ଥିବା ଅହେତୁକ ଭଲପାଇବା ପାଇଁ ସେ ଚାକିରିକୁ ଗୁରୁତ୍ୱ ନଦେଇ ଗାୟିକା ହେବାକୁ ସ୍ଥିର କରିଥିଲେ। ସଙ୍ଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସେ 'ମ୍ୟୁଜିକ୍ ଥେରାପି' ମାଧ୍ୟମରେ ଅନେକ ରୋଗୀଙ୍କୁ ସୁସ୍ଥ କରିବାର ଏକ ଅନନ୍ୟ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି।

ବିଶିଷ୍ଟ ଗାୟକଙ୍କ ସହ ଗାଇଛନ୍ତି ଗୀତ

୨୦୧୮-୧୯ ମସିହାରୁ ନିଜର ପ୍ରୋଫେସନାଲ କ୍ୟାରିୟର ଆରମ୍ଭ କରିଥିବା ଜ୍ୟୋତିର୍ମୟୀ ଏପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ଗୀତ ଗାଇସାରିଛନ୍ତି। ଓଡ଼ିଶାରେ ତାଙ୍କର "ତୋ ଦେହରେ ପଡ଼ିଛି ଓଢ଼ଣୀ ନୂଆ ନୂଆ..." ଭଳି ଅନେକ ଓଡ଼ିଆ ଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି। ସେ ବଲିଉଡର ଖ୍ୟାତାନାମା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଶାନଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ସହ କଣ୍ଠଦାନ କରି ବହୁ ପ୍ରଶଂସା ସାଉଁଟିଛନ୍ତି।

ଆଜି ସେ ଇଣ୍ଡିଆନ୍ ଆଇଡଲ୍‌ର ଟପ୍-୬ରେ ପହଞ୍ଚି ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଫାଇନାଲ୍ ମୁକାବିଲାରେ ସେ କିଭଳି ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିବେ, ସେଥିପାଇଁ ତାଙ୍କ ବାପା ଚକ୍ରଧର ନାଏକଙ୍କ ସମେତ ସାରା ଓଡ଼ିଶାର ଫ୍ୟାନ୍ସ ଲାଗିପଡ଼ିଛନ୍ତି।