କଟକ ୨୧।୩: ରତ୍ନ ଭଣ୍ଡାର ଖୋଲିବ, ଆରମ୍ଭ ହେବ ଗଣତି ମଣତି କାର୍ଯ୍ୟ । ସେଥିପାଇଁ ପ୍ରସ୍ତୁତ ହୋଇଥିବା SOPକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇ ସାରିଛନ୍ତି । ଆସନ୍ତା ୨୫ ତାରିଖରୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହେବ । ପୁରା ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହେବ ଏବଂ ତା ସହିତ ଥ୍ରୀ-ଡି ମ୍ୟାପିଂ କରାଯିବ । ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ରତ୍ନ ଗଣତି ମଣତି ସହିତ ପୂର୍ବ ଅର୍ଥାତ ୭୮ ମସିହାର ତାଲିକା ସହିତ ସବୁ କିଛିର ମେଳକ କରାଯିବ । ସେଥିଲାଗି ଅନୁଭବି ରତ୍ନ କାରିଗର ଏବଂ ନୂତନ ଜ୍ଞାନ କୌଶଳ ସହିତ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯିବ ବୋଲି ଯାଞ୍ଚ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ।

Also Read:- ବିଜେଡିର ଚେତାବନୀ ପରେ ଆକ୍ସନ, ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ୨ ଯୁବକ ଗିରଫ

ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଗଜପତିଙ୍କ ଠାରୁ ରାଜ୍ୟ ସରକାରଙ୍କ ହାତକୁ ଯେବେଠାରୁ ହସ୍ତାନ୍ତର ହୋଇଛି, ତେବେଠାରୁ ଏକାଧିକ ବାର ରତ୍ନ ଗଣତି ହୋଇଛି ସତ । କିନ୍ତୁ ତାହା ସାର୍ବଜନୀନ ହୋଇନାହିଁ । ଏଥର ମଧ୍ୟ ତାଲିକା ସାର୍ବଜନୀନ ହେବକି ନାହିଁ, ତାର ନିଷ୍ପତ୍ତି ରାଜ୍ୟ ସରକାର ହାତରେ । କିନ୍ତୁ ସମସ୍ତ ଅଳଙ୍କାରକୁ ଭିନ୍ନ ଭିନ୍ନ ରଙ୍ଗର କପଡ଼ାରେ ଗୁଡ଼ାଯାଇ ତାକୁ ଟିଣ ବାକ୍ସ ପରେ କାଠ ସିନ୍ଦୁକରେ ରଖାଯିବ । ସବୁରେ ଉକ୍ତ ରତ୍ନର ତାଲିକା ସଂଯୁକ୍ତ ହେବ ବୋଲି କହିଛନ୍ତି ଜଷ୍ଟିସ୍ ରଥ । ଗଣତି ମଣତି ପାଇଁ ଗୋଟିଏ ସମ୍ପାଦନ ମଣ୍ଡଳୀ ଏବଂ ଗୋଟିଏ ତଦାରଖ ଦଳ ଗଠିତ ହୋଇଛି । ମହାପ୍ରଭୁଙ୍କ କୃପାରୁ ସମସ୍ତ କାର୍ଯ୍ୟ ଭଲରେ ସମ୍ପାଦନ ହେବ ବୋଲି ଜଷ୍ଟିସ୍ ରଥ ବିଶ୍ୱାସ ପ୍ରକଟ କରିଛନ୍ତି, ତେବେ ଏହି କାର୍ଯ୍ୟ ଚାଲିଥିବା ବେଳେ ଯେପରି କୌଣସି ନୀତି ପ୍ରଭାବିତ ନହେବ, ତାହା ମୁଖ୍ୟ କାର୍ଯ୍ୟ ବୋଲି କହିଛନ୍ତି ଜଷ୍ଟିସ୍ ରଥ ।

ଏଥର ରତ୍ନ ଗଣତି ମଣତି ସହିତ ଏମାର ମଠ ରୁପା ଇଟାକୁ ମଧ୍ୟ ଯାଞ୍ଚ କରାଇବା ସପକ୍ଷରେ ଅଛନ୍ତି ଜଷ୍ଟିସ୍ ରଥ । କିନ୍ତୁ ଏଥିଲାଗି ରାଜ୍ୟ ସରକାର ଚୂଡାନ୍ତ ମଞ୍ଜୁରୀ ଦେବାର ଆବଶ୍ୟକତା ମଧ୍ୟ ରହିଛି ।