ନୂଆଦିଲ୍ଲୀ: କୌଣସି ଅଭିଯୋଗରେ ୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବା ସ୍ଥିତିରେ ୩୧ତମ ଦିନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତଃ ପଦମୁକ୍ତ କରୁଥିବା ବିଧେୟକ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଶେଷ ସମୟରେ ନିଜ ରିପୋର୍ଟ ଟାଳିଛନ୍ତି। ଚୂଡ଼ାନ୍ତ ରିପୋର୍ଟରେ ମୋହର ଲଗାଇବା ପାଇଁ ଜୁଲାଇ ୧୭ରେ ଆହ୍ୱାନ କରାଯାଇଥିବା ବୈଠକରେ ଏ ନେଇ ଆହୁରି ଅଧିକ ଚର୍ଚ୍ଚା କରି ସହମତି ଉପରେ ଜୋର ଦିଆଯାଇଛି। ତେବେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ଏହି ଜେପିସିକୁ ବହିଷ୍କାର କରିଛନ୍ତି। ହେଲେ ଏନସିପି(ଶରଦ) ର ସୁପ୍ରିୟା ସୁଲେ ଓ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ ଏଥିରେ ଅଛନ୍ତି।

ସଂସଦର ଗତ ମୌସୁମୀ ଅଧିବେଶନରେ ଅଗଷ୍ଟ ୨୦ ତାରିଖ ଦିନ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ୧୩୦ତମ ସମ୍ବିଧାନ ସଂଶୋଧନ ବିଧେୟକକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ବିଧେୟକକୁ ବିପକ୍ଷ ଦଳଙ୍କ ବିରୋଧକୁ ଦେଖି ଏହାକୁ ମିଳିତ ସଂସଦୀୟ କମିଟିକୁ ପଠାଇ ଦିଆଯାଇଥିଲା। ଜେପିସି ବିଧେୟକରେ କିଛି ସଂଶୋଧନ ସହିତ ନିଜ ରିପୋର୍ଟ ପ୍ରସ୍ତୁତ କରିବାରେ ଲାଗିଥିଲେ। ଏହି ସବୁ ସଂଶୋଧନର ଚିଠା ପ୍ରସ୍ତାବ ସଦସ୍ୟଙ୍କ ନିକଟକୁ ପଠାଇ ଦିଆଯାଇଥିଲା ଓ ଶୁକ୍ରବାର ଚୂଡ଼ାନ୍ତ ରିପୋର୍ଟରେ ମୋହର ଲାଗିବାର ଥିଲା।

ତେବେ ବୈଠକରେ ସୁପ୍ରିୟା ସୁଲେ ଓ ଅସଦୁଦ୍ଦିନ ଓବେସୀ ସେମାନଙ୍କ ଅସହମତିକୁ ଏହାର ଅଂଶ କରିବାକୁ ଗୁରୁତ୍ୱ ଦେଇଥିଲେ। ଏହାକୁ ନଜରରେ ରଖି ଜେପିସି ଅଧ୍ୟକ୍ଷା ଅପରାଜିତା ଷଢଙ୍ଗୀ ଏଥି ପାଇଁ ଅଧିକ ବିଚାର ବିମର୍ଷର ଆବଶ୍ୟକତା ଥିବା କହି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଉପରେ ରୋକ ଲଗାଇ ଦେଇଛନ୍ତି। ଏହାକୁ ଦେଖି ସୁଲେ ଏବଂ ଓବେସୀ ସେମାନଙ୍କ ଅସହମତିକୁ ପ୍ରତ୍ୟାହାର କରି ନେଇଛନ୍ତି। କମିଟି ରିପୋର୍ଟରେ ପ୍ରସ୍ତାବିତ କରାଯାଇଥିଲା ଯେ ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତର ଅପରାଧ ଅଭିଯୋଗରେ ଲଗାତାର ୩୦ ଦିନ ପର୍ଯ୍ୟନ୍ତ ହାଜତରେ ରହନ୍ତି, ତାଙ୍କୁ ପଦରୁ ସ୍ଥାୟୀ ରୂପେ ହଟାଇବା ବଦଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଫଳାଫଳ ଆସିବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯିବ।

ଏଥିରେ ଏହା ବି ପ୍ରସ୍ତାବ ରହିଛି ଯେ ଯଦି ଏପରି ବ୍ୟକ୍ତି ନିର୍ଦ୍ଦୋଷରେ ମୁକ୍ତ ହୁଅନ୍ତି ଓ କୌଣସି ନିର୍ଦ୍ଧାରିତ ଅବଧି ମଧ୍ୟରେ ପ୍ରୋସିକ୍ୟୁସନ ଆଗକୁ ନ ବଢେ ତେବେ ପଦରେ ତାଙ୍କର ସ୍ୱତଃ ଅବସ୍ଥାପନ ସୁନିଶ୍ଚିତ କରିବା ପ୍ରାବଧନ ରହିବ। ଏପରି ଆଇନ ଯୋଗୁ ସାର୍ବଜନିକ ଜୀବନରେ ଆହୁରି ସ୍ୱଚ୍ଛତା ଆସିବ ବୋଲି ସରକାର କହିଛନ୍ତି। ତେବେ ବିରୋଧୀ ଦଳ ଏହାକୁ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରାଯିବା ଓ ବିପକ୍ଷ ରାଜ୍ୟ ସରକାରମାନଙ୍କୁ ଅସ୍ଥିର କରିବା ପାଇଁ କେନ୍ଦ୍ର ସରକାର ଉପଯୋଗ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି।