ନୂଆଦିଲ୍ଲୀ: ଷ୍ଟ୍ରେଟ ଅଫ୍ ହର୍ମୁଜରେ ଜାହାଜ ଚଳାଚଳରେ ବାଧାପ୍ରାପ୍ତ ଯୋଗୁ ଅନେକ ଦେଶରେ ଉପୁଜିଛି ତୈଳ ସଙ୍କଟ। ଯାହାକୁ ନେଇ ବଢ଼ିଛି ଚିନ୍ତା । ଏହିକ୍ରମରେ ୟୁରୋପ ଏବେ ତୈଳ ସଙ୍କଟକୁ ନେଇ ଚିନ୍ତାରେ। ବିଶେଷ କରି ଜେଟ୍ ଫୁଏଲକୁ ନେଇ ଚିନ୍ତା ବଢ଼ିଛି। କାରଣ ୟୁରୋପ ପାଖରେ ଆଉ ମାତ୍ର ୬ ସପ୍ତାହର ଜେଟ୍ ଫୁଏଲ ଥିବା କହିଛନ୍ତି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ମୁଖ୍ୟ ଫାତିହ ବିରୋଲ।

ଗୁରୁବାର ସେ ଚେତାବନୀ ଦେଇ କହିଛନ୍ତି ଯେ, ଇରାନ ଯୁଦ୍ଧ ଯୋଗୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। କିନ୍ତୁ ଏହାର ସମାଧାନ ନହେଲେ, ଖୁବଶୀଘ୍ର ଦେଶରୁ ବିମାନ ଉଡ଼ାଣ ବାତିଲ ଆରମ୍ଭ ହୋଇଯିବ। ସେ ଆହୁରି କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ତେଲ, ଗ୍ୟାସ ଏବଂ ଅନ୍ୟାନ୍ୟ ପ୍ରମୁଖ ଯୋଗାଣରେ ବାଧା, "ଆମେ ସମ୍ମୁଖୀନ ହୋଇଥିବା ସବୁଠାରୁ ବଡ଼ ଶକ୍ତି ସଙ୍କଟ"। ପୂର୍ବରୁ 'ଡାୟର ଷ୍ଟ୍ରେଟ୍ସ' ନାମକ ଏକ ଗୋଷ୍ଠୀ ଥିଲା। ହେଲେ ଏବେ ଏହା ବର୍ତ୍ତମାନ ଏକ ଭୟଙ୍କର ଷ୍ଟ୍ରେଟ୍ ଏବଂ ଏହା ବିଶ୍ୱ ଅର୍ଥନୀତି ପାଇଁ ପ୍ରମୁଖ ପ୍ରଭାବ ପକାଇବାକୁ ଯାଉଛି। ଏହା ଯେତେ ବଢ଼ିବ ବିଶ୍ୱବ୍ୟାପୀ ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଏହା ସେତେ ଖରାପ ହେବ। ଏହାର ପ୍ରଭାବ "ପେଟ୍ରୋଲ ମୂଲ୍ୟ ବୃଦ୍ଧି, ଗ୍ୟାସ ମୂଲ୍ୟ ବୃଦ୍ଧି, ବିଦ୍ୟୁତ ମୂଲ୍ୟ ବୃଦ୍ଧି" ଉପରେ ପଡ଼ିବ।

ବିରୋଲ କହିଛନ୍ତି, ଅର୍ଥନୈତିକ ପ୍ରଭାବ ଅସମାନ ହେବ। କିଛି ଦେଶ ଅନ୍ୟମାନଙ୍କ ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ହେବେ। ଜାପାନ, ଦକ୍ଷିଣ କୋରିଆ, ଭାରତ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ଭଳି ଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ । ତା'ପରେ ଏହା ୟୁରୋପ ଏବଂ ଆମେରିକାକୁ ଆସିବ।

"ବିରୋଲ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲା ନ ଯାଏ, ତେବେ ୟୁରୋପକୁ ଯୋଗାଯୋଗ ଖୁବ୍ଶୀଘ୍ର ବାଧାପ୍ରାପ୍ତ ହୋଇପାରେ। ଆହୁରି ମଧ୍ୟ ସେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକ ପାଇଁ ଇରାନର ତଥାକଥିତ "ଟୋଲ୍" ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି।