ଭଦ୍ରକ ୦୮।୧୨ : ନାଟକ ଥିଲା ସକଳ ତୀର୍ଥ ତୋ ଚରଣେ, ନାଟକ ପରିବେଷଣର କିଛି ସମୟ ପୂର୍ବରୁ ଶେଷ ଯାତ୍ରା କରିଛନ୍ତି ଯାତ୍ରା ଜଗତର କମେଡି କିଙ୍ଗ ଗୁରୁଚରଣ ପୃଷ୍ଟି । ସଡ଼କ ଦୁର୍ଘଟଣାରେ ଗୁରୁଙ୍କ ମୃତ୍ୟୁ ହୋଇଛି। ୧୬ ନମ୍ବର୍ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚିଙ୍ଗୁଡ଼ିପୁର ଠାରେ ଘଟିଛି ଅଘଟଣ । ଗୁରୁ ବାଇକ ଚଳାଉ ଥିବା ବେଳେ ଏକ ଟ୍ରକକୁ ଧକ୍କା ଦେଇଥିବା ସୂଚନା ମିଳିଛି।  ପୋଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ଷେଣ୍ଢପୁରରେ ଯାତ୍ରା ଇନ୍ଦ୍ରଭୁବନ ନାଟକ ପରିବେଷଣ କରୁଛି। ଯାତ୍ରା ଇନ୍ଦ୍ରଭୁବନରେ ଗୁରୁ ହାସ୍ୟ ଅଭିନେତା ଭାବେ ଅଭିନୟ କରୁଥିଲେ। ରବିବାର ନାଟକର ଶେଷ ରଜନୀ ଥିଲା । ଗୁରୁ ବାଇକ୍‌ ଯୋଗେ ଷେଣ୍ଢପୁର ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡ଼ିପୁର ନିକଟରେ ଘଟିଲା ଅଘଟଣ । ଏକ ଅଜଣା ଟ୍ରକକୁ ପିଟି ହୋଇ ଗୁରୁ ଛିଟିକି ପଡିଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ହାସ୍ୟ ଅଭିନେତା ଗୁରୁଙ୍କ ଘର ଢେଙ୍କାନାଳ ଯୋରନ୍ଦା ଅଞ୍ଚଳରେ, ସେ କଟକ ଚଣ୍ଡି ମନ୍ଦିରରେ ରହୁଥିଲେ । ଖ୍ରୀଷ୍ଟ କଲେଜ ଛାତ୍ର ଥିବା ବେଳେ ନାଟ୍ୟ ସଂସଦର ସମ୍ପାଦକ ଥିଲେ । କମେଡି ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବିଭିନ୍ନ ଯାତ୍ରା ପାର୍ଟିରେ ଅଭିନୟ ପରେ ଇନ୍ଦ୍ରଭୁବନରେ ଚଳିତ ଯାତ୍ରା ଋତୁରେ ଅଭିନୟ କରି ଦର୍ଶକକୁ ହସାଇ ହସାଇ ବେଦମ କରୁଥିଲେ । ଗୁରୁଙ୍କ ଅକାଳ ମୃତ୍ୟୁ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।