ନୂଆଦିଲ୍ଲୀ ୩୧।୦୫: ବିଶ୍ୱରେ ଅନେକ କମ୍ପାନି ନିଜ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ କାର୍ଯ୍ୟ ଶୈଳୀକୁ ଉତ୍ତମ କରିବା ପାଇଁ ଲଗାତାର ନୂଆ ନୂଆ ତରିକା ଅପଣେଇଥାନ୍ତି । ଜାପାନର ଏକ କମ୍ପାନି ଏଭଳି ଏକ ଅଭିନବ ନିଷ୍ପତ୍ତି ନେଇଛି, ଯାହାକୁ ନେଇ ବିଶ୍ୱରେ ଚର୍ଚ୍ଚା । ଧୂମପାନ କରୁନଥିବା କର୍ମଚାରୀଙ୍କୁ କମ୍ପାନି ଉପହାର ଦେବାକୁ ଘୋଷଣା କରିଛି । ଏହି କର୍ମଚାରୀଙ୍କୁ ପ୍ରତି ବର୍ଷ ୬ ଅତିରିକ୍ତ ଛୁଟି ମିଳୁଛି । ପିଆଲା ଆଇଏନ୍ସି ଡଟ୍ ନାମକ କମ୍ପାନି ୨୦୧୭ରେ ଏହି ପ୍ରୟାସ ଆରମ୍ଭ କରିଥିଲା । କମ୍ପାନିର କିଛି କର୍ମଚାରୀ ଅଭିଯୋଗ କରିଥିଲେ, ଧୂମପାନ କରୁଥିବା କର୍ମଚାରୀ ଦିନରେ ଅନେକ ଥର ବ୍ରେକ୍ ନେଉଛନ୍ତି । ଏହା ଦ୍ୱାରା ସେମାନଙ୍କ କାମ ପ୍ରଭାବିତ ହେଉଛି ଏବଂ ଅନ୍ୟ କର୍ମଚାରୀଙ୍କ ଉପରେ ଅତିରିକ୍ତ କାମ ବୋଝ ପଡୁଛି ।

ଅନ୍ୟପକ୍ଷେ, ଯେଉଁମାନେ ଧୂମପାନ କରୁନାହାନ୍ତି, ସେମାନଙ୍କୁ କୌଣସି ଅତିରିକ୍ତ ବ୍ରେକ୍ ମିଳୁନାହିଁ । କମ୍ପାନି ପ୍ରବନ୍ଧନ ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରି କର୍ମଚାରୀଙ୍କର ସର୍ଭେ କଲା । ଏହା ପରେ କମ୍ପାନିର ସିଇଓ ନିଷ୍ପତ୍ତି ନେଲେ, ଧୂମପାନ କରୁନଥିବା କର୍ମଚାରୀଙ୍କୁ ବର୍ଷରେ ୬ ଅତିରିକ୍ତ ଛୁଟି ମିଳିବ । ଏହା ଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ସନ୍ତୁଳନ ବଜାୟ ରହିବ ଏବଂ ଅଣ-ଧୂମପାନକାରୀଙ୍କୁ ଉଚିତ୍ ଲାଭ ମିଳିବ । ଏହି ନିଷ୍ପତ୍ତି ପଛରେ କେବଳ ସମାନତାର ବିଚାର ନ ଥିଲା, ଧୂମପାନ ଛାଡ଼ିବା ପାଇଁ କର୍ମଚାରୀଙ୍କୁ ପ୍ରେରିତ କରିବା କମ୍ପାନିର ଉଦ୍ଦେଶ୍ୟ ଥିଲା । ଏହି ନିୟମ ବିଷୟରେ ଜାଣିବା ପରେ ଅନେକ କର୍ମଚାରୀ ନିଜ ଅଭ୍ୟାସ ବଦଳାଇବା ଆରମ୍ଭ କଲେ । ରିପୋର୍ଟ ଅନୁସାରେ, ଏହି ନିୟମ ଲାଗୁ ହେବା ପରେ କିଛି କର୍ମଚାରୀ ଧୂମପାନ ଛାଡ଼ିଦେଲେ ।