ହାଇଦ୍ରାବାଦ : ସାଉଥ୍ ସିନେମାର ଦୁଇ ସୁପରଷ୍ଟାର୍.. ଦୁଇଟି ବଡ଼ ଫିଲ୍ମ.. ଆଉ ବକ୍ସ ଅଫିସ୍ରେ ମୁକାବିଲାକୁ ନେଇ ଜୋରଦାର ହେଉଛି ଚର୍ଚ୍ଚା। ଗୋଟିଏ ପଟେ ସୁପରଷ୍ଟାର୍ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜେଲର ୨’, ଆଉ ଅନ୍ୟପଟେ ଅଭିନେତା ଧନୁଷଙ୍କ ଆଗାମୀ ଫିଲ୍ମ ‘ଓମ୍’। ଦୁଇଟି ଫିଲ୍ମର ରିଲିଜ୍ ତାରିଖକୁ ନେଇ ସମ୍ଭାବ୍ୟ ଟକ୍କରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ସୂଚନା ମିଳୁଛି ବର୍ତ୍ତମାନ ଏହି ବକ୍ସ ଅଫିସ୍ କ୍ଲାଶ୍ ଟଳିପାରେ।

ରଜନୀକାନ୍ତଙ୍କ ‘ଜେଲର ୨’ ଘୋଷଣା ହେବା ପରଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ୨୦୨୩ରେ ରିଲିଜ୍ ହୋଇଥିବା ‘ଜେଲର’ର ସଫଳତା ପରେ ଏହାର ସିକ୍ୱେଲ୍କୁ ନେଇ ଦର୍ଶକଙ୍କ ଆଶା ମଧ୍ୟ ବଢ଼ିଛି। ନେଲସନ୍ ଦିଲୀପକୁମାରଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମ ନେଇ ଲଗାତାର ଅପଡେଟ୍ ଆସୁଛି। ଅନ୍ୟପଟେ ଧନୁଷ ମଧ୍ୟ ନିଜ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ଓମ୍’କୁ ନେଇ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ ଆଗ୍ରହ ରହିଛି। ଦୁଇ ବଡ଼ ତାରକାଙ୍କ ଫିଲ୍ମ ଏକା ସମୟରେ ରିଲିଜ୍ ହେବା ଖବର ପରେ ବକ୍ସ ଅଫିସ୍ରେ ପ୍ରତିଯୋଗିତାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ରିପୋର୍ଟ ଅନୁସାରେ, ଧନୁଷଙ୍କ ଫିଲ୍ମ ‘ଓମ୍’ର ରିଲିଜ୍ ପ୍ଲାନ୍ରେ ପରିବର୍ତ୍ତନ ହୋଇପାରେ। ଏହା ଫଳରେ ରଜନୀକାନ୍ତଙ୍କ ‘ଜେଲର ୨’ ସହ ସିଧାସଳଖ ମୁକାବିଲା ଏଡ଼ାଇବାର ସମ୍ଭାବନା ରହିଛି। ଯଦିଓ ଏନେଇ ଅଫିସିଆଲି ଘୋଷଣା କରାଯାଇନାହିଁ |

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମେଗା ଷ୍ଟାର ରଜନୀକାନ୍ତ ଓ ଧନୁଷଙ୍କ ନିଜସ୍ୱ ଫ୍ୟାନ୍ ଫଲୋଇଂ ରହିଛି। ତେଣୁ ଦୁଇଟି ବଡ଼ ଫିଲ୍ମ ଏକାସାଙ୍ଗରେ ଆସିଲେ ବକ୍ସ ଅଫିସ୍ ଲଢ଼େଇ ଦେଖିବାକୁ ମିଳିଥାନ୍ତା। କିନ୍ତୁ ଏବେ ନିର୍ମାତାମାନେ ରିଲିଜ୍ ତାରିଖକୁ ଆଗକୁ ବଢ଼ାଇପାରନ୍ତି । ବକ୍ସ ଅଫିସ୍ରେ ଦୁଇ ବଡ଼ ଷ୍ଟାରଙ୍କ ଟକ୍କର ହେବ କି ନାହିଁ, ତାହା ଏବେ ମଧ୍ୟ ଅଫିସିଆଲ ଘୋଷଣା ଉପରେ ନିର୍ଭର କରୁଛି । କିନ୍ତୁ ଫ୍ୟାନ୍ସଙ୍କ ନଜର ଏବେ ରହିଛି କେବେ ରଜନୀକାନ୍ତଙ୍କ ‘ଜେଲର ୨’ ଓ ଧନୁଷଙ୍କ ‘ଓମ୍’ ପରଦାକୁ ଆସିବ। ସାଉଥ୍ ସିନେମାର ଏହି ଦୁଇ ବଡ଼ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଶୀର୍ଷରେ ରହିଛି। ଏବେ ଅପେକ୍ଷା ରହିଛି କେବେ ଆନୁଷ୍ଠାନିକ ଭାବେ ନିର୍ମାତା ରିଲିଜ୍ ଡେଟ୍ ଘୋଷଣା କରୁଛନ୍ତି ।