ମହାକାଶରେ ଶତ୍ରୁକୁ ଜାଗିଛି ଭାରତର ଆଖି I ପାକିସ୍ତାନ ଓ ଚୀନକୁ ଗୋଡ଼େ ଗୋଡ଼େ ଜଗିବ ''ଇଣ୍ଡିଆନ ସ୍ପେସ ଆଇ'' I ଚୀନ ହେଉ କିମ୍ବା ପାକିସ୍ତାନ ସମସ୍ତଙ୍କୁ ନାକେଦମ କରିବ ଏହି ସାଟେଲାଇଟ I କେବଳ ସ୍ଥଳ ପଥ ନୁହେଁ ଆକାଶ ମାର୍ଗରେ ମଧ୍ୟ ରାଜ କରିବ ଭାରତ I ଏହି ଶକ୍ତିଶାଳୀ ସାଟେଲାଇଟ୍ ମହାକାଶରୁ କିପରି କାମ କରିବ ଏବଂ ଭାରତର ସୁରକ୍ଷା ତଥା ରଣନୈତିକ କ୍ଷେତ୍ରରେ ଏହା କେତେ ଗୁରୁତ୍ୱ ବହନ କରିବ ?

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମହାକାଶ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି।୩୬ ହଜାର କିଲୋମିଟର ଦୂରରେ ପୃଥିବୀର ଏକ ବହୁତ ବଡ କ୍ଷେତ୍ର ଉପରେ ଲଗାତାର ନଜର ରଖିବାକୁ ଯାଉଥିବା ଇସ୍ରୋର EOS-୦୫ ସାଟେଲାଇଟ ମହାକାଶରେ ଭାରତର ନୂଆ ଆଖି ଭାବରେ ପରିଚିତ I ଇସ୍ରୋ ପକ୍ଷରୁ ସାଟେଲାଇଟ EOS-05 କୁ ସଫଳତାର ସହ ମହାକାଶରେ ଅବସ୍ଥାପିତ କରାଯାଇଛି।ଜିଓସିଙ୍କ୍ରୋନସ୍ କକ୍ଷପଥରୁ କ୍ରମାଗତ ନଜର ରଖିବା ଏହି ସାଟେଲାଇଟ I ସାଧାରଣତଃ ଅଧିକାଂଶ ପୃଥିବୀର୍ ପର୍ଯ୍ୟବେକ୍ଷଣକାରୀ ସାଟେଲାଇଟ୍ କମ୍ ଉଚ୍ଚତାରେ ଥିବା ଲୋ-ଅର୍ଥ ଅବିଟ୍ ରେ କାମ କରନ୍ତି, ଯାହାକି ଗୋଟିଏ ସ୍ଥାନ ଉପରେ ଦିନକୁ ଥରେ କିମ୍ବା କିଛି ଦିନରେ ଥରେ ଦୃଷ୍ଟି ପକାଇଥାଏ। କିନ୍ତୁ EOS-05 ସମ୍ପୂର୍ଣ୍ଣ ଭିନ୍ନ , ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୩୬,୦୦୦ କିଲୋମିଟର ଉଚ୍ଚତାରେ ଜିଓସିଙ୍କ୍ରୋନସ୍ କକ୍ଷପଥରେ ଅବସ୍ଥାପିତ ହୋଇଛି। ଏହି କକ୍ଷପଥରେ ରହିବା ଯୋଗୁଁ ଏହା ପୃଥିବୀର ଆବର୍ତ୍ତନ ସହିତ ତାଳ ଦେଇ ଗତି କରିବ ଏବଂ ଭାରତୀୟ ଭୂଖଣ୍ଡ ଉପରେ ସବୁବେଳେ ନିଜର ଦୃଷ୍ଟି ରଖିପାରିବ।

ସବୁଠାରୁ ବଡ କଥା ହେଉଛି କେତେ ଗୁଡିଏ ଗୁରୁତ୍ୱପୂର୍ଣ ଦିଗ ଉପରେ ଏହା କାମ କରିବ ଯାହା ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ମଜବୁତ କରିବ Iଶତ୍ରୁ ରାଷ୍ଟ୍ର କୁ ଜଗିବା ଏବଂ ସୀମା ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ I ଯଦିଓ ଇସ୍ରୋ ଅଧିକାରୀମାନେ ସ୍ପଷ୍ଟ ଭାବରେ ଏହାକୁ 'ସ୍ପାଏ ସାଟେଲାଇଟ୍' ଘୋଷଣା କରିନାହାନ୍ତି, ତଥାପି ଏହାର ବୈଷୟିକ କ୍ଷମତା ଦେଶର ରଣନୈତିକ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ Iଏହା ଭାରତୀୟ ସୀମା ଏବଂ ନିକଟସ୍ଥ ଅଞ୍ଚଳଗୁଡ଼ିକର 'ନିଅର୍ ରିଅଲ୍-ଟାଇମ୍' ଛବି ଏବଂ ତଥ୍ୟ ଯାଞ୍ଚ କରିବ। ଚୀନ୍ ଏବଂ ପାକିସ୍ତାନ ସୀମାରେ ଯେକୌଣସି ପ୍ରକାରର ଅସ୍ବାଭାବିକ ସାମରିକ ଗତିବିଧି, ଅନୁପ୍ରବେଶ ପ୍ରୟାସ କିମ୍ବା ସାମରିକ ପ୍ରସ୍ତୁତିକୁ ଏହି ସାଟେଲାଇଟ୍ ଜରିଆରେ ଅତି ଶୀଘ୍ର ଚିହ୍ନଟ କରାଯାଇପାରିବ। ଏହା ମାଧ୍ୟମରେ ସମଗ୍ର ଭାରତୀୟ ଭୂଖଣ୍ଡର ଏବଂ ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ସ୍ପଷ୍ଠ ଚିତ୍ର ପ୍ରତି ୫ ମିନିଟରେ ମିଳିପାରିବ । ପ୍ରାକୃତିକ ବିପର୍ଯ୍ୟୟ , ପାଣିପାଗ ପୂର୍ବାନୁମାନ ଓ ଯୁଦ୍ଧ କିମ୍ବା ସୀମା ସୁରକ୍ଷା ବ୍ୟତୀତ ଏହା ଦେଶର ସାଧାରଣ ଜନଜୀବନ ଏବଂ କୃଷିକ୍ଷେତ୍ର ପାଇଁ ବରଦାନ ସଦୃଶ କାର୍ଯ୍ୟ କରିବ I ବାତ୍ୟା, ବନ୍ୟା, ବଜ୍ରପାତ କିମ୍ବା ବଦଳ ଫଟା ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟର ଠିକ ଗୋଟିଏ ମୁହୂର୍ତ୍ତ ପୂର୍ବରୁ ଏହା ସୂଚନା ଦେବାରେ ସାହାୟତା କରିବ। ମଲ୍ଟି-ସ୍ପେକ୍ଟ୍ରାଲ୍ ଏବଂ ହାଇପର-ସ୍ପେକ୍ଟ୍ରାଲ୍ କ୍ଷମତା ଯୋଗୁଁ ଏହା କୃଷି ,ଫସଲର ସ୍ଥିତି, ଜଙ୍ଗଲ ସମ୍ପଦ ଏବଂ ଜଳଭଣ୍ଡାରଗୁଡ଼ିକର ଠିକ୍ ଆକଳନ କରିବାରେ ସହାୟକ ହେବ। ପ୍ରାୟ ୨,୩୬୭ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସାଟେଲାଇଟ୍କୁ ଇସ୍ରୋର ଶକ୍ତିଶାଳୀ ରକେଟ୍ GSLV-F17 ଜରିଆରେ ସଫଳତାର ସହ ମହାକାଶକୁ ପଠାଯାଇଛି। ଏହାର କାର୍ଯ୍ୟକାଳ ପ୍ରାୟ ୭ରୁ ୯ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି। ସର୍ବୋପରି, EOS-05 ର ସଫଳତା କେବଳ ମହାକାଶ ବିଜ୍ଞାନରେ ଭାରତର ପାଦଚିହ୍ନକୁ ମଜବୁତ କରି ନାହିଁ, ବରଂ ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ଶକ୍ତିଶାଳୀ ଏବଂ ସୁରକ୍ଷିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।