ନୂଆଦିଲ୍ଲୀ ୦୫।୧୦: ଇସ୍ରାଏଲ ବୁଲିବାକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏବେ ସେଠାରେ ଅନୁଭବ ପୂର୍ବଭଳି ନାହିଁ। ଫ୍ଲାଇଦୁବାଇ ବିମାନରେ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛରଙ୍କ ସାହସିକତା ପରେ ଇସ୍ରାଏଲ୍ରେ ଭାରତୀୟମାନଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ଇସ୍ରାଏଲ୍ରେ ପହଞ୍ଚିଥିବା ଭାରତୀୟ ପର୍ଯ୍ୟଟକମାନେ କହିଛନ୍ତି ଯେ, ସେଠାକାର ଲୋକମାନେ ତାଙ୍କୁ ଭେଟିବା ମାତ୍ରେ କହୁଛନ୍ତି ‘ଆପଣ କ୍ୟାପ୍ଟେନ୍ ସ୍ମିଥ୍ଙ୍କ ଦେଶରୁ ଆସିଛନ୍ତି।’ ପର୍ଯ୍ୟଟକମାନଙ୍କ କହିବା ଅନୁସାରେ, ଏହି ଘଟଣା ପରେ ଇସ୍ରାଏଲ୍ରେ ଭାରତୀୟମାନଙ୍କ ପ୍ରତି ଭଲପାଇବା ଓ ସମ୍ମାନ ଆହୁରି ବଢ଼ିଛି।

‘ଆପଣ କ୍ୟାପ୍ଟେନ୍ ସ୍ମିତ୍‌ଙ୍କ ଦେଶରୁ ଆସିଛନ୍ତି’

ଇସ୍ରାଏଲ୍ ଭ୍ରମଣରେ ଥିବା ଜଣେ ଭାରତୀୟ ପର୍ଯ୍ୟଟକ କହିଛନ୍ତି ଯେ, ତାଙ୍କ ଅନୁଭୂତି ଅତ୍ୟନ୍ତ ଭାବପ୍ରବଣ ଏବଂ ସୁନ୍ଦର ରହିଛି। ସେଠାରେ ଯେତେବେଳେ ଲୋକମାନେ ତାଙ୍କୁ ପଚାରୁଛନ୍ତି ଯେ ସେ କେଉଁ ଦେଶରୁ ଆସିଛନ୍ତି, ଭାରତ କହିବା ପୂର୍ବରୁ ମଧ୍ୟ ଅନେକ ଲୋକ କହିଦେଉଛନ୍ତି ‘ଆପଣ କ୍ୟାପ୍ଟେନ୍ ସ୍ମିଥ୍ଙ୍କ ଦେଶରୁ ଆସିଛନ୍ତି।’ ପର୍ଯ୍ୟଟକଙ୍କ କହିବା ଅନୁସାରେ,ଇସ୍ରାଏଲ୍ରେ ଭାରତୀୟମାନଙ୍କ ସହ ଲୋକମାନେ ଖୁବ୍ ଭଲ ବ୍ୟବହାର କରୁଛନ୍ତି। କ୍ୟାପ୍ଟେନ୍ ସ୍ମିତଙ୍କ ସାହସିକତା ପାଇଁ ଭାରତୀୟମାନଙ୍କ ପ୍ରତି ସେଠାରେ ଏକ ବିଶେଷ ସମ୍ମାନ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଅନ୍ୟ ଜଣେ ଭାରତୀୟ ପର୍ଯ୍ୟଟକ ମଧ୍ୟ ସମାନ ଅନୁଭୂତି ବାଣ୍ଟିଛନ୍ତି। ସେ କହିଛନ୍ତି, ନିଜକୁ ଭାରତୀୟ ବୋଲି ପରିଚୟ ଦେବା ମାତ୍ରେ ଲୋକମାନେ କ୍ୟାପ୍ଟେନ୍ ସ୍ମିଥ୍ଙ୍କ କଥା ଉଠାଉଛନ୍ତି। ସେମାନେ କହୁଛନ୍ତି, ‘ଆପଣ କ୍ୟାପ୍ଟେନ୍ ସ୍ମିତଙ୍କ ଦେଶରୁ ଆସିଛନ୍ତି, ଭାରତ ଆମର ଜଣେ ଭଲ ବନ୍ଧୁ।’

କ୍ୟାପ୍ଟେନ୍ ସ୍ମିଥଙ୍କ ପାଇଁ ଇସ୍ରାଏଲରୁ ବିଶେଷ ବାର୍ତ୍ତା

ଜେରୁଜେଲମ୍ର ଜଣେ ଇସ୍ରାଏଲୀ ଯୁବତୀ ମଧ୍ୟ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, କ୍ୟାପ୍ଟେନ୍ ସ୍ମିତ ଯେତେବେଳେ ଇସ୍ରାଏଲ୍ ଆସିବେ,ସେତେବେଳେ ତାଙ୍କୁ ନିଜ ଘରେ ହୃଦୟରୁ ସ୍ୱାଗତ କରାଯିବ। ସେ କ୍ୟାପ୍ଟେନ୍ ସ୍ମିଥ୍ଙ୍କ ପାଇଁ ମସଲା ଚା’ ସହ ହମ୍ମସ୍ ଏବଂ ଫାଲାଫେଲ୍ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। କ୍ୟାପ୍ଟେନ୍ ସ୍ମିଥ୍ଙ୍କ ସାହସ ପାଇଁ ଧନ୍ୟବାଦ ଜଣାଇ ସେ କହିଛନ୍ତି ‘ଆପଣଙ୍କୁ ଇସ୍ରାଏଲ୍ରେ ଅନେକ ଅନେକ ସ୍ୱାଗତ। ଆମେ ଆପଣଙ୍କୁ ଅପେକ୍ଷା କରିଛୁ।’

ବିମାନକୁ ଖସାଇବାକୁ ଚାହୁଁଥିଲା ହମାମି

ଏବେ ଏହି ମାମଲାରେ ଆଉ ଏକ ଚକିତ କରିଦେବା ଭଳି ଦାବି ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ତଦନ୍ତକାରୀମାନଙ୍କ ପଚରାଉଚରା ସମୟରେ ହମାମ ଅଲ୍-ହମାମି ଜାଣିଶୁଣି ବିମାନକୁ ଖସାଇବାକୁ ଚାହୁଁଥିବା କଥା କହିଥିବା ଦାବି କରାଯାଇଛି। ‘ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍’ର ରିପୋର୍ଟ ଅନୁସାରେ, ଜଣେ ସାଉଦି ଅଧିକାରୀଙ୍କ ସୂଚନାକୁ ଆଧାର କରି ଏହି ଦାବି କରାଯାଇଛି। ହମାମି ମୃତ୍ୟୁକୁ ଭୟ କରୁନଥିବା କଥା ମଧ୍ୟ କହିଥିବା ରିପୋର୍ଟରେ ଦାବି କରାଯାଇଛି। ଯଦି ଏହି ଦାବି ତଦନ୍ତରେ ସତ୍ୟ ପ୍ରମାଣିତ ହୁଏ, ତେବେ ମାମଲା କେବଳ କକପିଟ୍ରେ ହୋଇଥିବା ଆକ୍ରମଣରେ ସୀମିତ ରହିବ ନାହିଁ। ବରଂ ବିମାନରେ ଥିବା ୧୭୦ରୁ ଅଧିକ ଲୋକଙ୍କ ଜୀବନକୁ ଜାଣିଶୁଣି ବିପଦରେ ପକାଇବାର ଉଦ୍ଦେଶ୍ୟ ଥିଲା କି ନାହିଁ, ସେନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିବ। ତଦନ୍ତକାରୀମାନେ ଏହା ମଧ୍ୟ ଖୋଜୁଛନ୍ତି ଯେ, ହମାମ ଅଲ୍-ହମାମି କିପରି ଫ୍ଲାଇଦୁବାଇରେ ଚାକିରି ପାଇଥିଲା ଏବଂ ତା ପୂର୍ବ ଗତିବିଧିକୁ ନେଇ କୌଣସି ସତର୍କ ସଙ୍କେତ ଥିଲା କି ନାହିଁ ତାହା ବି ଯାଞ୍ଚ କରାଯାଉଛି।