ନୂଆଦିଲ୍ଲୀ: ନିକଟରେ ସ୍ୱାକ୍ଷରିତ ହୋଇଥିବା ଇରାନ-ଆମେରିକା ଚୁକ୍ତିନାମାରେ ଯୁଦ୍ଧ ବିରତି ପାଇଁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହେବାରେ ଲାଗିଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଭୟାବହ ଏୟାରଷ୍ଟ୍ରାଇକ୍ (Airstrikes) ରେ ଅତିକମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଅନ୍ୟପଟେ ହିଜବୁଲ୍ଲାର ଆକ୍ରମଣରେ ଇସ୍ରାଏଲର ୪ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଏହି ରକ୍ତାକ୍ତ ସଂଘର୍ଷ ଏପରି ଏକ ସମୟରେ ଘଟିଛି, ଯେତେବେଳେ ସୁଇଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥଗିତ ହୋଇଯାଇଛି । ଏହାକୁ ନେଇ ମଧ୍ୟ-ପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଇସ୍ରାଏଲର ୪ ସୈନିକଙ୍କ ମୃତ୍ୟୁ ପରେ ଦେଶର ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ୍-ଗଭୀର ଅତ୍ୟନ୍ତ କଠୋର ଏବଂ ବିବାଦୀୟ ବ୍ୟକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ‘ସମ୍ପୂର୍ଣ୍ଣ ଲେବାନନ ଜଳିବା ଉଚିତ୍! ଜଣେ ଇସ୍ରାଏଲୀ ମା'ର ଲୁହ ବଦଳରେ ହଜାରେ ଲେବାନନୀ ମା'ଙ୍କୁ କାନ୍ଦିବାକୁ ପଡ଼ିବ। ଆମେରିକା ପ୍ରତି ସମ୍ମାନ ରହିଛି, କିନ୍ତୁ ଆମ ସନ୍ତାନମାନଙ୍କ ରକ୍ତ ଏବଂ ନାଗରିକଙ୍କ ସୁରକ୍ଷା ସହ କୌଣସି ବୁଝାମଣା କରାଯିବ ନାହିଁ। ଆମର ସର୍ବୋଚ୍ଚ କର୍ତ୍ତବ୍ୟ ହେଉଛି ଆମ ଦେଶ ଓ ସେନାକୁ ସୁରକ୍ଷା ଦେବା । ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ଜିତିବାକୁ ହେଲେ ସଂଯମତା ଛାଡ଼ି ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ରୂପ ଧାରଣ କରିବାକୁ ହେବ।’

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପକ୍ଷରୁ କୁହାଯାଇଛି ଯେ, ଲେବାନନର ବେକା ଉପତ୍ୟକା (Bekaa Valley) ଏବଂ ଦକ୍ଷିଣାଞ୍ଚଳରେ ହିଜବୁଲ୍ଲାର ଗୁପ୍ତ ଭିତ୍ତିଭୂମିକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି। ହିଜବୁଲ୍ଲା ବାରମ୍ବାର ଯୁଦ୍ଧ ବିରତି ନିୟମ ଉଲ୍ଲଂଘନ କରୁଥିବାରୁ ଏବଂ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସଂଘର୍ଷରେ ପ୍ରାଣ ହରାଇଥିବା ୪ ଇସ୍ରାଏଲ ସୈନିକଙ୍କ ମଧ୍ୟରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣଲ (Lieutenant Colonel) ପାହ୍ୟାର ଅଧିକାରୀ ଥିବା ସେନା ସ୍ପିଷ୍ଟ କରିଛି।

ଇରାନ-ଆମେରିକା ଚୁକ୍ତିନାମାର ବିଫଳତା ?

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ନିକଟରେ ୱାଶିଂଟନ ଏବଂ ତେହେରାନ (ଇରାନ) ମଧ୍ୟରେ ହୋଇଥିବା ଚୁକ୍ତିରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଶତ୍ରୁତା ଶେଷ କରିବାକୁ ପ୍ରାବଧାନ ରହିଥିଲା। ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ଦେଖାଯାଉଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ ଆକ୍ରମଣ କରିବାର କ୍ଷମତା ରଖିଛି, ସେପର୍ଯ୍ୟନ୍ତ ସାମରିକ ଅପରେସନ ଜାରି ରହିବ। ହିଜବୁଲ୍ଲାକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ନକରିବା ପର୍ଯ୍ୟନ୍ତ ପଛଘୁଞ୍ଚା ଦେବ ନାହିଁ ଇସ୍ରାଏଲ । ଲେବାନନ ପ୍ରଶାସନ ଅଭିଯୋଗ କରିଛି ଯେ, ଇସ୍ରାଏଲର ଏହି ନିରନ୍ତର ଆକ୍ରମଣ ଯୋଗୁଁ ଦେଶର ବହୁ ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି ଏବଂ ବ୍ୟାପକ ସମ୍ପତ୍ତି ନଷ୍ଟ ହେଉଛି।