ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରୁଛନ୍ତି । ଇରାନ ବିରୋଧରେ ଯୁଦ୍ଧ ଲଢ଼ୁଥିବା ଆମେରିକାର ରାଷ୍ଟ୍ରପତି ଆଉ ଏକ ଯୁଦ୍ଧ ବନ୍ଦ କରିଥିବା ନେଇ ଦାବି କରିଛନ୍ତି । ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ଟ୍ରୁଥ ସୋସିଆଲରେ ଟ୍ରମ୍ପ ଏନେଇ ଘୋଷଣା କରିବା ସହ ଲେଖିଛନ୍ତି, ‘ମୁଁ ଲେବାନନର ଅତ୍ୟନ୍ତ ସମ୍ମାନନୀୟ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଏକ ବହୁତ ଭଲ ଆଲୋଚନା କରିଛି। ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଦୁଇ ନେତା ରାଜି ହୋଇଛନ୍ତି । ସନ୍ଧ୍ୟା ୫ଟାରୁ ଆନୁଷ୍ଠାନିକ ଭାବରେ ୧୦ ଦିନିଆ ଅସ୍ତ୍ରବିରତି ଆରମ୍ଭ କରିବେ ବୋଲି ଦୁଇ ନେତା ସମ୍ମତି ଜଣାଇଛନ୍ତି ।’

ଓ୍ବାଶିଂଟନରେ ଆଲୋଚନା

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ମଙ୍ଗଳବାର ଦିନ ଦୁଇ ଦେଶ ୩୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୱାଶିଂଟନ ଡିସିରେ ଆମର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହିତ ସାକ୍ଷାତ କରିଥିଲେ। ମୁଁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ମନ୍ତ୍ରୀ ରୁବିଓଙ୍କୁ ଚିଫ ଅଫ୍ ଷ୍ଟାଫ୍ ଅଧ୍ୟକ୍ଷ ଡାନ୍ ରେଙ୍କେଙ୍କ ସହିତ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛି। ଟ୍ରମ୍ପ ଏହି ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ, ସେ ବିଶ୍ୱରେ ନଅଟି ଯୁଦ୍ଧ ବନ୍ଦ କରିଛନ୍ତି। ବିଶ୍ୱରେ ନଅଟି ଯୁଦ୍ଧର ସମାଧାନ କରିବା ମୋ ପାଇଁ ସମ୍ମାନର କଥା ଏବଂ ଏହା ମୋର ଦଶମ ହେବ ବୋଲି ଟ୍ରମ୍ପ ଲେଖିଛନ୍ତି ।

Also Read: Trump speaks with PM Modi: ଯୁଦ୍ଧ ମଧ୍ୟରେ ହଠାତ୍ ମୋଦୀଙ୍କୁ ଫୋନ୍ କଲେ ଟ୍ରମ୍ପ, ଘଟିପାରେ କି ବଡ଼ ଘଟଣା

ଲେବାନନ ଉପରେ ଆକ୍ରମଣ

ଫେବୃଆରୀ ୨୮ରେ, ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣରେ ଖାମେନିଙ୍କ ସମେତ ଅନେକ ପ୍ରମୁଖ ନେତାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଲେବାନନର ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହା ଲେବାନନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧର କାରଣ ହୋଇଥିଲା। ହିଜବୁଲ୍ଲା ଆକ୍ରମଣରେ ଅତିଷ୍ଠ ହୋଇ ଇସ୍ରାଏଲ ଦକ୍ଷିଣ ଲେବାନନ ସମେତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିନାଶ ଘଟାଇଛି। ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ, ଏହି ଯୁଦ୍ଧରେ ୨୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ଆହତ ମଧ୍ୟ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି ଏବଂ ଅନେକ ସହର ଓ ଗାଁ ଖାଲି ହୋଇଯାଇଛି। ଏବେ ଦୁଇ ଦେଶ ୧୦ ଦିନର ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ।