Israel Iran war news: ସେପଟେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିରାମକୁ ଇସ୍ରାଏଲ ସମର୍ଥନ ଦେଇଛି। ତେବେ ଲେବାନନ ଯୁଦ୍ଧକୁ ଏଥିରେ ସାମିଲ୍ କରାଯାଇପାରିବ ନାହିଁ ବୋଲି ଇସ୍ରାଏଲ କହିଛି। ଦୁଇ ଦେଶ ପକ୍ଷରୁ ଯୁଦ୍ଧ ବିରାମ ଘୋଷଣା ହେବା ପରେ ବୁଧବାର ଇସ୍ରାଏଲ୍ କହିଛି ଯେ ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମାରେ "ଲେବାନନକୁ ସାମିଲ କରାଯାଇ ନାହିଁ।" ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଲେବାନନର ଇରାନ ସମର୍ଥୀତ ଗୋଷ୍ଠୀ ହିଜବୋଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ତେଣୁ ହିଜବୋଲ୍ଲା ମଧ୍ୟରେ ଯୁଦ୍ଧ ଭିତରକୁ ଟାଣି ହୋଇ ଆସିଥିଲା। ତେଣୁ ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।

ଜାରି ବିବୃତ୍ତିରେ କୁହାଯାଇଛି “ଦୁଇ ସପ୍ତାହର ଅସ୍ତ୍ରବିରତିରେ ଲେବାନନ୍ ଅନ୍ତର୍ଭୁକ୍ତ ନୁହେଁ।” ତେବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କର ଏହି ଘୋଷଣା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ବିପରିତ ହୋଇଛି। କାରଣ ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଯୁଦ୍ଧ ବିରାମ ନେଇ ଘୋଷଣାକ କରିଥିଲେ। ଏଥିରେ ଲେବାନନ ବି ସାମିଲ ରହିଛି ବୋଲି ସେ କହିଥିଲେ। ହେଲେ ଇସ୍ରାଏଲ୍ କହିଛି ଯୁଦ୍ଧ ବିରାମରେ ଲେବାନନ ସାମିଲ ନାହିଁ। ତେଣୁ ପ୍ରକୃତରେ ଲେବାନନ ଯୁଦ୍ଧ ବିରାମରେ ସାମିଲ୍ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଯୁଦ୍ଧ ବିରାମ ପାଇଁ ରାଜି ହେଲେ ଇରାନ-ଆମେରିକା

ତେହରାନ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଧମକ ଦେବାର କିଛି ଘଣ୍ଟା ପରେ ପଛଘୁଞ୍ଚା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶେଷରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ ରଖିବାକୁ ରାଜି ହୋଇଛନ୍ତି। ଏବଂ କୂଟନୈତୀ ମାଧ୍ୟମରେ ଆଲୋଚନା କରି ଇରାନ ସହ ଲାଗିଥିବା ୪୦ ଦିନର ଯୁଦ୍ଧ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ସେପଟେ ଇରାନ ମଧ୍ୟ ଯଦ୍ଧ ବିରାମରେ ରାଜି ହୋଇଛି। ଏବଂ ଷ୍ଟ୍ରେଟ୍ ଅଫ୍ ହରମୁଜ ଖୋଲିବାକୁ ସର୍ତ୍ତ ରଖିଛି। ସିଜ୍‌ଫାୟର ଘୋଷଣା କରିବା ସହିତ ଟ୍ରମ୍ପ କହିଛନ୍ତି ଷ୍ଟ୍ରେଟ୍ ଅଫ ହରମୁଜ ଖୋଲିବାକୁ ଇରାନ ୧୦ ସୂତ୍ରୀ ଶାନ୍ତି ପ୍ରସ୍ତାବ ରଖିଛି। ଏହାକୁ ସ୍ୱୀକାର କରି ଆମେରିକା ଇରାନୀ ସେତୁ(ବ୍ରିଜ୍), ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବ ନାହିଁ।

ଆମେରିକା ଇସ୍ରାଏଲ ବିରୁଦ୍ଧରେ ବଡ଼ ବିଜୟ ଘୋଷଣା କଲା ଇରାନ; ରଖିଲା ୧୦ ପ୍ରସ୍ତାବ 

ଆମେରିକା ସହ ହୋଇଥିବା ଦୁଇ ସପ୍ତାହର ଯୁଦ୍ଧ ବିରାମକୁ ଇରାନ ବଡ଼ ବିଜୟ ବୋଲି ଘୋଷଣା କରିଛି। ଆମେରିକା ଏବଂ ଇସ୍ରାଏଲ ଉପରେ ଆମେ "ଐତିହାସିକ ବିଜୟ" ହାସଲ କରିଛୁ ବୋଲି ତେହରାନ କହିଛି। ତେବେ ଯୁଦ୍ଧ ବିରାମ ନେଇ ତେହେରାନ ପକ୍ଷରୁ, ଏକ ବ୍ୟାପକ ୧୦-ସୂତ୍ରୀ ପ୍ରସ୍ତାବ ରଖାଯାଇଛି। ଏଥିରେ ୱାଶିଂଟନ ସହମତ ହୋଇଛି ବୋଲି ଇରାନ ଦାବି କରିଛି।

ମଙ୍ଗଳବାର ରାତିରେ ଟ୍ରମ୍ପଙ୍କ ଯୁଦ୍ଧ ବିରାମ ଘୋଷଣାରକିଛି ସମୟ ପରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯାଇଛି। ତେହେରାନର ସାମରିକ ଏବଂ ରାଜନୈତିକ ଚାପ ଦ୍ୱାରା ବାଧ୍ୟ ହେବା ପରେ ଆମେରିକା ଏହାର "ବୋମାମାଡ଼ ଏବଂ ଆକ୍ରମଣ" ଅଭିଯାନକୁ ସ୍ଥଗିତ ରଖିଛି ଏବଂ ଦୁଇ ସପ୍ତାହର "ଦ୍ୱିପାକ୍ଷିକ" ଅସ୍ତ୍ରବିରତିକୁ ଗ୍ରହଣ କରିଛି ବୋଲି ଇରାନ ସୁରକ୍ଷା ପରିଷଦ କହିଛି।

ଇରାନ ୧୦ ସୂତ୍ରୀ ପ୍ରସ୍ତାବ-

ଇରାନର ଅର୍ଦ୍ଧ-ସରକାରୀ ମେହର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଆମେରିକା ସହିତ ଆଲୋଚନାରେ ଉପସ୍ଥାପିତ ପ୍ରସ୍ତାବରେ ଇରାନ ଏହିସବୁ ସର୍ତ୍ତ ରଖିଛି-

୧. ଆମେରିକା ଭବିଷ୍ୟତରେ ଇରାନ ବିରୁଦ୍ଧରେ ଆଉ କୌଣସି ଆକ୍ରମଣାତ୍ମକ କାର୍ଯ୍ୟ ନ କରିବାକୁ ପ୍ରତିଶ୍ରୁତି ଦେବ।
୨. ଷ୍ଟ୍ରେଟ୍ ଅଫ୍ ହରମୁଜରେ ଇରାନର ନିୟନ୍ତ୍ରଣ ଜାରି ରହିବ।
୩. ଇରାନର ୟୁରାନିୟମ ସମୃଦ୍ଧି ଅଧିକାରକୁ ଗ୍ରହଣ କରାଯିବ।
୪. ସମସ୍ତ ପ୍ରାଥମିକ କଟକଣା ପ୍ରତ୍ୟାହାର
୫. ସମସ୍ତ ଦ୍ୱିତୀୟ ପର୍ଯ୍ୟାୟ କଟକଣା ପ୍ରତ୍ୟାହାର
୬. ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଇରାନ ବିରୁଦ୍ଧରେ ଅଣାଯ।ଇଥିବା ସମସ୍ତ ପ୍ରସ୍ତାବ ଖାରଜ ହେବ।
୭. ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଦ୍ୱାରା ଅଣାଯାଇଥିବା ପ୍ରସ୍ତାବଗୁଡ଼ିକର ସମାପ୍ତି।
୮. ଯୁଦ୍ଧ କ୍ଷତି ପାଇଁ ଇରାନକୁ କ୍ଷତି ପୂରଣ ଦିଆଯିବ।
୯. ଏହି ଅଞ୍ଚଳରୁ ଆମେରିକୀୟ ଯୁଦ୍ଧ ବାହିନୀ ପ୍ରତ୍ୟାହାର।
୧୦. ଲେବାନନ୍ ସମେତ ସମସ୍ତ ମୋର୍ଚ୍ଚାରେ ଶତ୍ରୁତା ବନ୍ଦ କରିବା।

Also Read-ପାକିସ୍ତାନରେ ଲକଡାଉନ୍ ଭଳି ସ୍ଥିତି, ସନ୍ଧ୍ୟାରୁ ବନ୍ଦ ହୋଇଯିବ ସବୁ ଦୋକାନ ବଜାର