ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ୯/୧୧ ଦୋହରାଇବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା । ଏହି ଆକ୍ରମଣକୁ ଆହୁରି ଭୟାନକ ଭାବେ ଘଟାଇବା ଲାଗି ପ୍ରସ୍ତୁତି ଚାଲିଥିଲା । କୁହାଯାଉଛି ଯେ, ଏଥର ନ୍ୟୁୟର୍କ ଷ୍ଟେଟ୍ କ୍ୟାପିଟଲ୍ କୋଠାକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଚକ୍ରାନ୍ତ କରାଯାଇଥିଲା । ତେବେ ସମୟ ଥାଉ ଥାଉ ଏହାର ପର୍ଦ୍ଦାଫାଶ ହୋଇଛି ।

ଆମେରିକାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ବିରୋଧରେ ଆତଙ୍କବାଦ ଗତିବିଧିରେ ସମ୍ପୃକ୍ତି ନେଇ ଅଧିକାରୀମାନେ ଅଭିଯୋଗ ଆଣିଛନ୍ତି । 'ନ୍ୟୁୟର୍କ ଟାଇମ୍ସ'ର ରିପୋର୍ଟ ଅନୁସାରେ, ଏହି ମହିଳା ଜଣକ ଇସଲାମିକ ଷ୍ଟେଟ୍ (ISIS)କୁ ସମର୍ଥନ କରୁଥିଲେ । ନ୍ୟୁୟର୍କ ଷ୍ଟେଟ୍ କ୍ୟାପିଟଲ୍ କୋଠାଗୁଡ଼ିକୁ ଧ୍ୱଂସ କରିବାକୁ ଚାହୁଁଥିଲେ । କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

୯/୧୧ ଭଳି ଆକ୍ରମଣର ଷଡ଼ଯନ୍ତ୍ର

କାନାଡା ସୀମା ନିକଟସ୍ଥ ଆଲବାନୀ ସହରରେ ଅବସ୍ଥିତ ନ୍ୟୁୟର୍କ ଷ୍ଟେଟ୍ କ୍ୟାପିଟଲ୍ ହେଉଛି ନ୍ୟୁୟର୍କ ରାଜ୍ୟ ସରକାରଙ୍କ ମୁଖ୍ୟ କେନ୍ଦ୍ର । ଏହି ବିଲ୍ଡିଂରେ ରାଜ୍ୟର ସିନେଟ୍ ଏବଂ ବିଧାନସଭା କାର୍ଯ୍ୟ କରେ । କୋର୍ଟ ଦସ୍ତାବିଜ ଅନୁଯାୟୀ, ୩୫ ବର୍ଷୀୟା ଜେସିକା ବୋଭିଙ୍କ ବିରୋଧରେ ଦେଶ ବିଦେଶୀ ସଂଗଠନଗୁଡ଼ିକୁ ସହଯୋଗ କରିବା ଅଭିଯୋଗ ହୋଇଛି । ଆମେରିକା ପକ୍ଷରୁ ଏହି ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ନ୍ୟୁଜ୍ ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ଜେସିକା ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ସେ ଖୋଲାଖୋଲି ଭାବେ ଆଇଏସଆଇଏସକୁ ସମର୍ଥନ କରନ୍ତି । ଏହାସହ ସେ ନିଜ ସୋସିଆଲ ମିଡିଆରେ ଆମେରିକା ବିରୋଧୀ ପୋଷ୍ଟ ମଧ୍ୟ ସେୟାର କରୁଥିଲେ, ଯେଉଁଥିରେ ୯/୧୧ ଆକ୍ରମଣକୁ ସମର୍ଥନ କରିବା ମଧ୍ୟ ସାମିଲ ଥିଲା ।

ଜେସିକା ସୋସିଆଲ ମିଡିଆରେ ଜଣେ ସୂଚନାଦାତାଙ୍କୁ କହିଥିଲେ ଯେ ତାଙ୍କୁ ସୋସିଆଲ ଜଷ୍ଟିସ୍ ସେଣ୍ଟରରୁ କିଛି ଅନାର୍କିଷ୍ଟ ବହି ଓ ସାମଗ୍ରୀ ମିଳିଛି । ସେ ଆହୁରି ମଧ୍ୟ କହିଥିଲେ, "ମୁଁ ଯେତେ ସମ୍ଭବ ଏହି ବିଲ୍ଡିଂକୁ ଧ୍ୱଂସ କରିବାକୁ ଚାହୁଁଛି ଏବଂ ସିନେଟରମାନେ ବୈଠକ କରୁଥିବା ସମୟରେ ସେମାନଙ୍କୁ ମାରିବାକୁ ଚାହୁଁଛି । ମୁଁ ଏହା ମଧ୍ୟ ଚାହୁଁଛି ଯେ ସେମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ ହେଇଯାଉ ।"

ବିଲ୍ଡିଂରେ ବୋମା ରଖିବାକୁ ଚାହୁଁଥିଲେ ଜେସିକା

ଜେସିକାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଜଣେ ଫୁଡ୍ ଡେଲିଭରୀ ଡ୍ରାଇଭର ଭାବେ ବିଲ୍ଡିଂ ଭିତରକୁ ପଶି ବୋମା ରଖିବାକୁ ଚାହୁଁଥିଲେ । ଏହାପରେ ସିରିଆ ପଳାଇବାକୁ ସେ ଯୋଜନା କରିଥିଲେ । ଜେସିକାଙ୍କ ଯୋଜନା ଥିଲା, ଯଦି ସେ ଫେରାର ହେବାରେ ସଫଳ ହୁଅନ୍ତି, ତେବେ ସେ ପୁଣି ଆମେରିକା ଫେରି ଆହୁରି ବଡ଼ ବଡ଼ ସ୍ଥାନକୁ ଟାର୍ଗେଟ କରିବେ ଏବଂ ଏଥର ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାର ମଧ୍ୟ ସାମିଲ ଥିଲା ।

ସିସିଟିଭି ଫୁଟେଜରୁ ହେଲା ପର୍ଦ୍ଦାଫାଶ

ଜେସିକା ଆକ୍ରମଣ ପାଇଁ ବୋମା ତିଆରି କରିବାକୁ ଆବଶ୍ୟକ ସାମଗ୍ରୀ ଏବଂ ଡୋରଡ୍ୟାଶର ଗୋଟିଏ ବ୍ୟାଗ୍ କିଣି ସାରିଥିଲେ । ସେ ଏହିସବୁ ଜିନିଷ ବୁର୍କା ପିନ୍ଧି 'ହୋମ୍ ଡିପୋ'ରୁ କିଣିଥିଲେ, ଯାହାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଅଗଷ୍ଟ ୧୯ରେ ଏଫବିଆଇ ଅଫିସରମାନେ ଜେସିକାଙ୍କୁ ଗିରଫ କରିଥିଲେ । ଜେସିକାଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି ।