ନୂଆଦିଲ୍ଲୀ: ୧୯୬୦ ମସିହା, ନଭେମ୍ବର  ।  ପ୍ରସିଦ୍ଧ 'ସାଇନ୍ସ' ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା ମାନବ ସଭ୍ୟତା ଅନ୍ତ ହେବାର ଡେଡଲାଇନ୍‌ । ଅର୍ଥାତ ପୃଥିବୀରୁ କେବେ ମଣିଷ ଲୋପ ପାଇବେ ତାର, ନିର୍ଦ୍ଧାରିତ ତାରିଖ ଦେଇଥିଲେ ବୈଜ୍ଞାନିକ । ଅଷ୍ଟ୍ରିଆନ୍ ପଦାର୍ଥବିଜ୍ଞାନୀ ହାଇଞ୍ଜ୍ ଭନ୍ ଫୋରଷ୍ଟର ଏବଂ ତାଙ୍କର ସହଯୋଗୀମାନେ ଜର୍ଣ୍ଣାଲରେ ଏକ ପ୍ରବନ୍ଧ ପ୍ରକାଶ କରିଥିଲେ । ଏହାର ଶୀର୍ଷକ ଥିଲା ‘Doomsday: Friday, 13 November, AD 2026’। ଏହା କୌଣସି ଅନ୍ଧବିଶ୍ୱାସ କିମ୍ବା ଆଧ୍ୟାତ୍ମିକ ଭବିଷ୍ୟବାଣୀ ନଥିଲା, ବରଂ ଗତ ୨,୦୦୦ ବର୍ଷର ଜନସଂଖ୍ୟା ବୃଦ୍ଧିର ଗାଣିତିକ ତଥ୍ୟ ଉପରେ ଆଧାରିତ ଥିଲା।

ଭନ୍ ଫୋରଷ୍ଟର ଯୁକ୍ତି ଦେଇଥିଲେ, ବିଗତ ଶତାବ୍ଦୀଗୁଡ଼ିକରେ ଜନସଂଖ୍ୟା ଦ୍ୱିଗୁଣିତ ହେବାର ସମୟସୀମା କ୍ରମାଗତ ଭାବରେ କମିବାରେ ଲାଗିଛି । ତାଙ୍କ ଗାଣିତିକ ସୂତ୍ର ଅନୁଯାୟୀ, ଯଦି ଏହି ବୃଦ୍ଧି ହାର ଅପରିବର୍ତ୍ତିତ ରହେ, ତେବେ ୨୦୨୬ ମସିହା ସୁଦ୍ଧା ବିଶ୍ୱ ଜନସଂଖ୍ୟା ଅସୀମ ସ୍ତରରେ ପହଞ୍ଚିଯିବ। ସେତେବେଳେ ମଣିଷ ଖାଦ୍ୟ ଅଭାବରୁ ନୁହେଁ, ବରଂ ରହିବା ପାଇଁ ସ୍ଥାନ ନପାଇ ଗୋଟିଏ ସ୍ଥାନରେ ଚାପି ହୋଇ ବା 'ପେଷି ହୋଇ' ମୃତ୍ୟୁବରଣ କରିବେ।

ଏହି ସିଦ୍ଧାନ୍ତ ସତ ହେବାର ସମ୍ଭାବନା କେତେ ?

ଗାଣିତିକ ଏବଂ ଜନସଂଖ୍ୟା ବିଜ୍ଞାନ ଦୃଷ୍ଟିକୋଣରୁ ଏହି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଶୂନ। ୧୯୬୦ ମସିହାରେ ପୃଥିବୀର ଜନସଂଖ୍ୟା ପ୍ରାୟ ୩ ବିଲିୟନ୍ (୩୦୦ କୋଟି) ଥିଲା। ସେତେବେଳର ବୃଦ୍ଧି ହାର (ବାାର୍ଷିକ ପ୍ରାୟ ୨.୨%) ତୁଳନାରେ ବର୍ତ୍ତମାନ ଏହି ହାର ଯଥେଷ୍ଟ କମି ପ୍ରାୟ ୦.୮୪% ରେ ପହଞ୍ଚିଛି।

ସାମ୍ପ୍ରତିକ ବିଶ୍ୱ ଜନସଂଖ୍ୟା ପ୍ରାୟ ୮.୨ ବିଲିୟନ୍। ଅନେକ ବିକଶିତ ଏବଂ ବିକାଶଶୀଳ ଦେଶରେ ପ୍ରଜନନ ହାର କ୍ରମାଗତ ଭାବରେ ହ୍ରାସ ପାଉଛି, ଯାହା ଫୋରଷ୍ଟରଙ୍କ ଗାଣିତିକ ମଡେଲକୁ ଭୁଲ୍ ପ୍ରମାଣିତ କରିସାରିଛି। ପରବର୍ତ୍ତୀ ସମୟରେ ଗବେଷକମାନେ ନିଜେ ସ୍ୱୀକାର କରିଥିଲେ ଯେ, ଏହି ଗାଣିତିକ ସୂତ୍ରରେ କିଛି ନିର୍ଦ୍ଦିଷ୍ଟ ସୀମା ଓ ତ୍ରୁଟି ଥିଲା  ।

ଏହି ସୂତ୍ରକୁ ପଛକୁ ଗଣନା କଲେ ଦେଖାଯାଉଥିଲା ଯେ, ପୃଥିବୀରେ ପ୍ରଥମ ମଣିଷ ପ୍ରାୟ ୨୦୦ ବିଲିୟନ୍ ବର୍ଷ ପୂର୍ବରୁ ବାସ କରୁଥିଲା। କିନ୍ତୁ ବାସ୍ତବରେ ଆମ ମହାକାଶର ବୟସ ପ୍ରାୟ ୧୩.୬ ବିଲିୟନ୍ ବର୍ଷ ଏବଂ ପୃଥିବୀର ବୟସ ୪.୬ ବିଲିୟନ୍ ବର୍ଷ। ଏହି ଗଣନାଗତ ତ୍ରୁଟି ଯୋଗୁଁ ବିଜ୍ଞାନ ଏହାକୁ ଏକ 'ଫାଣ୍ଟାସି' ବା ଅସମ୍ଭବ ପରିକଳ୍ପନା ଭାବରେ ଗ୍ରହଣ କରିଛି । ସୋସିଆଲ ମିଡିଆରେ ଏହି ତାରିଖକୁ ନେଇ ଚର୍ଚ୍ଚା ଚାଲିଥିଲେ ହେଁ, ବାସ୍ତବରେ ଏପରି କୌଣସି ମହାବିପତ୍ତିର ଆଶଙ୍କା ନାହିଁ।