ତିରୁଅନନ୍ତପୁରମ: କେରଳର ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪୬ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତିଛି । ଆଜିର ମ୍ୟାଚରେ, ଇଶାନ କିଶାନଙ୍କ ଶତକୀୟ ଇନିଂସ ବଳରେ ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୨୭୧ ରନ କରିଥିଲା । ଜବାବରେ, ଫିନ୍ ଆଲେନଙ୍କ ଲଢୁଆ ଇନିଂସ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୨୫ ରନ କରିପାରିଥିଲା ।

୨୭୨ ରନର ଟାର୍ଗେଟ ପିଛା କରି ନ୍ୟୁଜିଲାଣ୍ଡ ଟିମ୍ ଭଲ ଆରମ୍ଭ କରିଥିଲା । ପ୍ରଥମ ଓଭରରେ ଅର୍ଶଦୀପ ସିଂହ ଟିମ୍ ସିଫର୍ଟଙ୍କୁ ପାଭିଲିୟନ ପଠାଇଥିଲେ । ଫିନ୍ ଆଲେନ୍ ୩୮ ବଲରେ ୮୦ ରନ କରିବା ପରେ ଆଉଟ ହୋଇଥିଲେ । ଆଲେନ୍ ଏବଂ ରବିନ୍ଦ୍ର ଦ୍ୱିତୀୟ ୱିକେଟ ପାଇଁ ୪୮ ବଲରେ ୧୦୦ ରନର ପାର୍ଟନରଶିପ୍ କରିଥିଲେ । ଗ୍ଲେନ୍ ଫିଲିପ୍ସ ୬ ବଲରେ ୭ ରନ କରିଥିଲେ । ରଚିନ୍ ରବିନ୍ଦ୍ର ୧୭ ବଲରେ ୩୦ ରନ କରିବା ପରେ ଆଉଟ ହୋଇଥିଲେ । ମିଚେଲ୍ ସାଣ୍ଟନର ଖାତା ଖୋଲିପାରି ନଥିଲେ । ବେଭାନ୍ ଜାକବ୍ସ ୭ ରନ କରିଥିଲେ । କାଇଲ୍ ଜାମିସନ୍ ୯ ରନ ଏବଂ ଡାରିଲ୍ ମିଚେଲ୍ ୨୬ ରନ କରି ଆଉଟ ହୋଇଥିଲେ ।

​​​​​​​

ଶେଷ ଟି-୨୦ ମ୍ୟାଚରେ ଇଶାନ କିଶନଙ୍କ ଶତକ ସହାୟତାରେ ଭାରତୀୟ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୨୭୧ ରନ୍ କରିଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ପାଇଁ ଇଶାନ ୪୩ ବଲ୍‌ରେ ୧୦୩ ରନ୍ ଏବଂ ସୂର୍ଯ୍ୟକୁମାର ୩୦ ବଲ୍‌ରେ ୬୩ ରନ୍ କରିଥିଲେ । ଭାରତୀୟ ଦଳକୁ ସଞ୍ଜୁ ସାମସନଙ୍କ ରୂପରେ ପ୍ରଥମ ଝଟକା ୩୧ ରନ୍‌ରେ ଲାଗିଥିଲା । ସଞ୍ଜୁ ସାମସନ ୬ ବଲ୍‌ରେ ମାତ୍ର ୬ ରନ୍‌ କରିପାରିଥିଲେ । ସିରିଜ୍‌ରେ ୫ ମ୍ୟାଚ୍‌ରେ ସଞ୍ଜୁ ମାତ୍ର ୪୬ ରନ୍‌ କରିପାରିଥିଲେ । ଓପନର୍ ଅଭିଷେକ ଶର୍ମା ୧୬ ବଲ୍‌ରେ ୩୦ ରନ୍‌ କରି ଆଉଟ୍ ହୋଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୦ ବଲରେ ୬୩ ରନର ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଓ ଇଶାନ ତୃତୀୟ ୱିକେଟ୍ ପାଇଁ ୫୭ ବଲରେ ୧୩୭ ରନ୍ ଯୋଡ଼ିଥିଲେ । ଇଶାନ କିଶାନ ୪୨ ବଲରେ ଶତକ ହାସଲ କରିଥିଲେ । ଇଶାନ କିଶାନ ୪୩ ବଲରେ ୧୦୪ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ଇଶାନ ତାଙ୍କ ଇନିଂସରେ ୬ ଚୌକା ଏବଂ ୧୦ ଛକା ମାରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୪୨ ରନର ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲକି ଫର୍ଗୁସନ୍ ଦୁଇଟି ୱିକେଟ୍ ନେଇଥିଲେ ।