ବ୍ରାଡଫୋର୍ଡ ୧୫।୩:ଇରାନରେ ଜାରି ଯୁଦ୍ଧ କେବଳ ସୈନିକ ଅଥବା ରାଜନୀତି ପର୍ଯ୍ୟନ୍ତ ସୀମିତ ନାହିଁ, ଏହାର ପ୍ରଭାବ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ମଧ୍ୟ ପଡୁଛି। ତୈଳ ଭଣ୍ଡାରଣ ସ୍ଥଳ ଓ ରିଫାଇନାରୀଙ୍କ ଉପରେ ହେଉଥିବା ଆକ୍ରମଣ ଯୋଗୁ ବାହାରୁଥିବା ବିଷାକ୍ତ ଧୂଆଁ ଓ ପ୍ରଦୂଷଣ ଅନେକ ଦଶନ୍ଧୀ ଧରି ଲୋକଙ୍କୁ ସମସ୍ୟାରେ ପକାଇପାରେ। ବିଶେଷଜ୍ଞଙ୍କ ଅନୁସାରେ ଏହି ପ୍ରଦୂଷଣର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ଓ ଏହାକୁ ସଫା କରିବା ମଧ୍ୟ କଷ୍ଟକର ହେବ।

ତେହେରାନରେ ହୋଇଛି କଳା ବର୍ଷା
ମାର୍ଚ୍ଚ ୮ ତାରିଖ ଦିନ ତେହେରାନରେ ଲୋକେ ଆକାଶରୁ କଳା ପାଣି ବର୍ଷୁଥିବାର ଦେଖିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ସହରରେ କଳା ପାଣି ବର୍ଷୁଥିବା ଦେଖା ଯାଇଛି। ଇସ୍ରାଏଲର ଡ୍ରୋନ ଆକ୍ରମଣରେ ତେହେରାନ ସହର ବାହାରେ ଥିବା ତୈଳ ଡିପୋ ଓ ରିଫାଇନାରୀରେ ନିଆଁ ଲାଗିଯାଇଥିଲା। ଫଳରେ ଆକାଶକୁ ଘନ କଳାଧୂଆଁ ଉଠିଥିଲା। ଏହି ଧୂଆଁ ବାଦଲରେ ମିଶି ସହର ଉପରେ କଳା ବର୍ଷା କରିଥିଲା। ବର୍ଷାରେ ରାସ୍ତାରେ କଳା ଦାଗ ପଡି ଯାଇଥିବା ବେଳେ ଏଥିରେ ଭିଜିଥିବା ଲୋକଙ୍କ ପୋଷାକ କଳା ହୋଇଯାଇଥିଲା। ଏହା ଛଡା ବର୍ଷା ପରେ ପୋଡା ବାସ୍ନା ବାୟୁମଣ୍ଡଳରେ ଖେଳି ଯାଇଥିଲା।

ତାଜା ହୋଇଗଲା ୩୫ ବର୍ଷ ତଳର ସ୍ମୃତି
ବ୍ରିଟେନ ୟୁନିଭର୍ସିଟି ଅଫ ବ୍ରାଡଫୋର୍ଡରେ କେମିକାଲ ଓ ପେଟ୍ରୋଲିୟମ ଇଞ୍ଜିନିୟରିଂ ପ୍ରଫେସର ନେଜାତ ରହମାନିୟନ ଏହି ଘଟଣାକୁ ୧୯୯୧ ଗଲଫ ୱାର ସହ ଯୋଡିଛନ୍ତି। ସେ ସମୟରେ ଇରାକୀ ସୈନିକ କ୍ୱେତର ତୈଳ କୂଅରେ ନିଆଁ ଲଗାଇଥିଲେ। ଏହି ଧୂଆଁ ୧,୨୯୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଥିଲା ଓ ଇରାନକୁ ମଧ୍ୟ ପହଞ୍ଚିଥିଲା। ଏଥିରେ କଳା ସହିତ ହାଇଡ୍ରୋକାର୍ବନ ଓ ସଲଫର ଡାଇଅକ୍ସାଇଡ ଭଳି ବିପଦଜନକ ତତ୍ୱ ଥିଲା। ଏକ ଅଧ୍ୟୟନ ଅନୁସାରେ ଏହି ପ୍ରଦୂଷଣ ଯୋଗୁ ହିମାଳୟରେ ଗ୍ଲେସିୟର ଦ୍ରୁତ ତରଳିବାରେ ଲାଗିଥିଲା। ପ୍ରଫେସର ରହମାନିୟନ କହିଛନ୍ତି ଯେ ଏଥର ଏହି ପ୍ରଦୂଷଣ ଆହୁରି ବିକରାଳ ରୂପେ ନେଇପାରେ । କାରଣ ଆକ୍ରମଣ ତେହେରାନ ସହର ନିକଟରେ ହୋଇଛି।

ପ୍ରଦୂଷଣର ବିପଦଜନକ ପ୍ରଭାବ
ତୈଳ ଜଳିବା ଯୋଗୁ ବାହାରୁଥିବା ଧୂଆଁ ଯୋଗୁ ବାୟୁରେ ବିଷାକ୍ତ କଣିକା ବ୍ୟାପିଥାଏ। ସେହିପରି ମିଜାଇଲ ଓ ବୋମାରେ ଭାରି ଧାତୁ ଯେପରି ସିସା, କେଡମିୟମ ଓ କ୍ରୋମିୟମ ଥାଏ। ବିସ୍ଫୋରଣ ପରେ ଏହା ମାଟି, ପବନ ଓ ପାଣିରେ ଘୋଳି ହୋଇଥାଏ। ଏହି ପଦାର୍ଥ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ ଓ ଏହାକୁ ସଫା କରିବା ପାଇଁ ବିପୁଳ ବ୍ୟୟ କରିବାକୁ ପଡିବ। ଏପର୍ଯ୍ୟନ୍ତ ଯୁଦ୍ଧରେ ୩୦୦ରୁ ଅଧିକ ଏଭଳି ଘଟଣା ଘଟିଲାଣି ଯାହା ପରିବେଶ ଲାଗି ବିପଦଜନକ।

ପ୍ରଥମରୁ ପ୍ରଦୂଷିତ ତେହେରାନ
ତେହେରାନରେ ବାୟୁ ପ୍ରଦୂଷଣ ଭୀଷଣ। ଏଠାକାର ପବନ ଓ ପାଣିରେ ଭାରି ଧାତୁ ମିଳୁଛି। ଅଲବୋର୍ଜ ପାହାଡ ଯୋଗୁ ତେହେରାନକୁ ବାୟୁ ଚଳାଚଳ ପ୍ରଭାବିତ ହେଉଛି। ଏଣୁ ପ୍ରଦୂଷଣ ସହରରେ ରହି ଯାଉଛି। ଯୁଦ୍ଧ ଯୋଗୁ ଆକ୍ରମଣ ସ୍ଥିତିରେ ଏହା ଆହୁରି ବିଗିଡି ଯାଇଛି। ଇରାନ ଅଧିକାରୀମାନେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ, ହେଲେ ପରେ ରାଲିମାନଙ୍କର ସାମିଲ ହେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ।