ଜେନେଭା: ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଏବେବି ଗୁରୁତର ରହିଛି। ଏଥିରେ ମିଳିତ ଜାତି ସଂଘର (ୟୁଏନ)ର ତାଜା ରିପୋର୍ଟ ବିଶ୍ୱକୁ ଚକିତ କରିଛି। ଏଥିରେ କୁହାଯାଇଛି ନିକଟରେ ହୋଇଥିବା ଯୁଦ୍ଧ ପରେ ଇରାନରେ ଏ ପର୍ଯ୍ୟନ୍ତ ୨୧ ଜଣଙ୍କୁ ଫାଶୀ ଦିଆଯାଇଛି। କେବଳ ଏତିକି ନୁହେଁ ସୁରକ୍ଷା ନାମରେ ୪ ହଜାରରୁ ଅଧିକ ଲୋକଙ୍କୁ ଜେଲରେ ରଖାଯାଇଛି। ଏଣୁ ଉତ୍ତେଜନା ହ୍ରାସ ପାଇବା ବଦଳେ ବଢିବଢି ଚାଲିଛି। କାରଣ ଇତି ମଧ୍ୟରେ ଇରାନ କୌଣସି ପ୍ରକାର ଶାନ୍ତି ଆଲୋଚନା ପାଇଁ ମନା କରି ଦେଇଛି।

କାହିଁକି ୨୧ ଜଣଙ୍କୁ ଦିଆଯାଇଛି ମୃତ୍ୟୁଦଣ୍ଡ?
ଅଲଜଜିରା ଓ ୟୁଏନ ରିପୋର୍ଟ ଅନୁସାରେ ଏହି ଦଣ୍ଡ ପଛରେ ଅଲଗା ଅଲଗା କାରଣ ରହିଛି। ଏଥିରୁ ୯ ଜଣଙ୍କୁ ଜାନୁୟାରୀ ୨୦୨୬ରେ ହୋଇଥିବା ବିଶାଳ ବିରୋଧ ପ୍ରଦର୍ଶନ ପାଇଁ ଫାଶୀ ଦିଆଯାଇଥିବା ବେଳେ ୧୦ ଜଣଙ୍କ ବିରୋଧରେ ବିପକ୍ଷ ଗୋଷ୍ଠୀର ସଦସ୍ୟ ହୋଇଥିବାର ଅଭିଯୋଗ ଥିଲା। ଏହା ଛଡା ଅନ୍ୟ ୨ ଜଣଙ୍କୁ ଗୋଇନ୍ଦାଗିରି ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଛି। ଇରାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ଦେଶର ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରିଥିଲା। ତେବେ ମାନବାଧିକାର ସଙ୍ଗଠନମାନେ ଏହାକୁ କ୍ରୁର ଦମନ ବୋଲି କହିଛନ୍ତି।

ହାଜତରେ ଅଛନ୍ତି ୪ ହଜାରରୁ ଅଧିକ ଲୋକ
ଇରାନରେ ଯୁଦ୍ଧ ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ୪ହଜାରରୁ ଅଧିକ ଲୋକଙ୍କୁ ଅଟକ କରାଯାଇଛି। କୁହାଯାଉଛି ଜେଲରେ ଥିବା ଏହି ଲୋକଙ୍କ ପ୍ରତି ଅତ୍ୟନ୍ତ ଅମାନବୀୟ ବ୍ୟବହାର କରାଯାଉଛି। ୟୁଏନ ରିପୋର୍ଟରେ ଏହି ବନ୍ଦୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦିଆଯାଉଛି ଓ ସେମାନଙ୍କୁ ଜୋର ଜବରଦସ୍ତ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି। ଅନେକ ଲୋକ ଜେଲରେ ନିଖୋଜ ମଧ୍ୟ ଅଛନ୍ତି। ଏଣୁ ଏମାନଙ୍କ ସୂଚନା ନ ପାଇ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି।ତେବେ ପ୍ରଶାସନ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ କରି କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।

କଡ଼ା ଚେତାବନୀ ଦେଇଛନ୍ତି ୟୁଏନ ମୁଖ୍ୟ
ଜାତିସଂଘ ମାନବାଧିକାର ମୁଖ୍ୟ ବୋଲ୍କର ତୁର୍କ ଇରାନର ଏପରି ପଦକ୍ଷେପକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଦେଶ ଉପରେ ଯୁଦ୍ଧର ମାଡ଼ ସହୁଥିବା ଲୋକଙ୍କ ଉପରେ ଏପରି କ୍ରୁରତା ଭୁଲ। ୟୁଏନ ଇରାନକୁ ଅପିଲ କରିଛି ଯେ ଦେଶରେ ତୁରନ୍ତ ଫାଶୀଦଣ୍ଡ ଉପରେ ରୋକ ଲଗାଉ ଓ ମନଇଛା ଗିରଫ କରାଯାଇଥିବା ଲୋକଙ୍କୁ ମୁକ୍ତ କରୁ। ଏଥି ପାଇଁ ସେ ନିରପେକ୍ଷ ଶୁଣାଣି ଦାବି କରିଥିବା ବେଳେ ଆଇନଗତ ପ୍ରକ୍ରିୟା ପାଳନ ଉପରେ ଗୁରୁତ୍ୱାରୋପ କରିଛି।

Also Read..ଇରାନ ପାଖରେ ଅସରନ୍ତି ଡ୍ରୋନ୍ ଏବଂ ମିସାଇଲ, ଭରପୁର ଅଛି ଅସ୍ତ୍ରଶସ୍ତ୍ର...ଚିନ୍ତାରେ ଟ୍ରମ୍ପ୍ !