ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀକୁ ପୁଣି ବନ୍ଦ କରିବା ପରେ, ଆମେରିକାକୁ କଡ଼ା ଚେତାବନୀ ଦେଇଛି ଇରାନ । ଆମେ ଶତ୍ରୁକୁ ପରାସ୍ତ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ଇରାନର ସୁପ୍ରିମ ଲିଡର ମୋଜତାବା ଖାମେନି କହିଛନ୍ତି । ଟେଲିଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ମୋଜତାବା କହିଛନ୍ତି, ଦେଶର ନୌସେନା ଶତ୍ରୁଙ୍କୁ ପୁଣି ଥରେ ହରାଇବା ଲାଗି ପ୍ରସ୍ତୁତ ।

‘ମିଛ କହୁଛନ୍ତି ଟ୍ରମ୍ପ’

ଇସଲାମାବାଦ ଶାନ୍ତି ଆଲୋଚନାରେ ଇରାନର ନେତୃତ୍ବ ନେଉଥିବା ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଟ୍ରମ୍ପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁତ ମିଛ କହୁଛନ୍ତି । ଟ୍ରମ୍ପଙ୍କ ସବୁ ଦାବିକୁ ଖଣ୍ଡନ କରିବା ସହ ଗାଲିବାଫ କହିଛନ୍ତି, ମିଥ୍ୟା ଦାବି ଓ ସଂଘର୍ଷ ମାଧ୍ୟମରେ ଟ୍ରମ୍ପ କୌଣସି ପରିଣାମ ହାସଲ କରିପାରିବେ ନାହିଁ ।

Also Read: ୩ ଦିନିଆ ଗସ୍ତ ଶେଷ, ତେହେରାନରୁ ଖାଲି ହାତରେ ଫେରିଲେ ମୁନିର

ଶନିବାର ସକାଳେ ଏକାଧିକ ପୋଷ୍ଟ କରି ଟ୍ରମ୍ପଙ୍କ ପୋଲ ଖୋଲିଛନ୍ତି ଗାଲିବାଫ । ସେ ଲେଖିଛନ୍ତି, ‘ଆମେରିକା ରାଷ୍ଟ୍ରପତି ଗୋଟିଏ ଘଣ୍ଟା ମଧ୍ୟରେ ୭ଟି ଦାବି କରିଛନ୍ତି, ସେସବୁ ମିଥ୍ୟା । ଏହି ମିଥ୍ୟା ତାଙ୍କୁ ଯୁଦ୍ଧରେ ଜିତାଇପାରିବ ନାହିଁ ଏବଂ ସେମାନେ ନିଶ୍ଚିତ ଭାବରେ ଆଲୋଚନାରେ କୌଣସି ସଫଳତା ମଧ୍ୟ ପାଇପାରିବେ ନାହିଁ।’ ସେ ରଣନୈତିକ ହର୍ମୁଜ୍ ପ୍ରଣାଳୀ ବିଷୟରେ ମଧ୍ୟ ଚେତାବନୀ ଦେଇ କହିଛନ୍ତି, ‘ଯଦି ଅବରୋଧ ଜାରି ରହେ, ତେବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିବ ନାହିଁ। ହର୍ମୁଜ ଖୋଲିବା କିମ୍ବା ବନ୍ଦ କରିବା ନିୟମଗୁଡ଼ିକ ସାମାଜିକ ଗଣମାଧ୍ୟମରେ ନୁହେଁ, ଭୂମିରେ ନିଷ୍ପତ୍ତି ନିଆଯାଇଥାଏ।’

ମିଥ୍ୟା ଖବରରୁ ଦୂରେଇ ରହିବାକୁ ଅପିଲ୍‌

ଗାଲିବାଫ ଆହୁରି କହିଛନ୍ତି, ମିଡିଆରେ ଯୁଦ୍ଧ ଏବଂ ଜନମତକୁ ପ୍ରଭାବିତ କରିବା ଆଧୁନିକ ଯୁଦ୍ଧର ଏକ ପ୍ରଣାଳୀ । କିନ୍ତୁ ଇରାନ ଏଭଳି ଭ୍ରାମକ ଖବରକୁ ନେଇ ବିଚଳିତ ହେବ ନାହିଁ । ଏହା ସହ ସଠିକ ତଥ୍ୟ ଉପରେ ଧ୍ୟାନ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ଗାଲିବାଫ । ଏହା ପୂର୍ବରୁ ଶୁକ୍ରବାର ଏକ ସାକ୍ଷାତକାରରେ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିବା ସହ ମହମ୍ମଦ ଗାଲିବାଫ କହିଥିଲେ, ଇରାନର ୟୁରାନିୟମ ଆମେରିକାକୁ ହସ୍ତାନ୍ତର କରିବା ନେଇ କୌଣସି ଆଲୋଚନା ହୋଇନାହିଁ । ଏହା ସହ ହର୍ମୁଜ ଖୋଲିବା କିମ୍ବା ବନ୍ଦ କରିବାର ନିଷ୍ପତ୍ତି ମୈଦାନରେ ନିଆଯାଏ । ଆମେରିକାର ନାକାବନ୍ଦୀକୁ ଆମେ ଖାତିର କରୁନାହୁଁ ବୋଲି କହିଛନ୍ତି ମହମ୍ମଦ ବାଘେର ଗାଲିବାଫ୍ ।