Strait of Hormuz toll plan: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ଜାରି ରହିଥିବା ବେଳେ ଷ୍ଟ୍ରେଟ୍ ହରମୁଜକୁ ନିୟନ୍ତ୍ରଣାଧୀନ ରଖିବାକୁ ଇରାନ ଯୋଜନା କରିଛି। ଏହି ଜଳପଥ ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିବା ପାଇଁ,ଇରାନର ସଂସଦୀୟ ସୁରକ୍ଷା କମିଟି ଏକ ନୂଆ ପରିଚାଳନା ଯୋଜନାକୁ ଅନୁମୋଦନ ଦେଇଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ,ଏହି ଯୋଜନାରେ ହରମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଟୋଲ୍ ଲାଗୁ କରାଯିବ ଏବଂ ଆମେରିକୀୟ ଓ ଇସ୍ରାଏଲୀ ଜାହାଜଗୁଡ଼ିକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ।

ଇରାନ ଜାତୀୟ ସୁରକ୍ଷା କମିଶନର ଜଣେ ସଦସ୍ୟ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି। ଘୋଷଣା କରି ସେ କହିଛନ୍ତି ଯେ ଏହି ଯୋଜନାରେ ଅନେକ ପ୍ରମୁଖ ଉପାଦାନକୁ ମଧ୍ୟ ଉଲ୍ଲେଖ କରାଯାଇଛି।ଯେଉଁଥିରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା,ଜାହାଜ ସୁରକ୍ଷା ପ୍ରୋଟୋକଲ,ପରିବେଶ ସୁରକ୍ଷା ପଦକ୍ଷେପ ଏବଂ ଏକ ଟୋଲ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଆଦି ସାମିଲ୍ ରହିଛି।

Also Read- Hyderabad LPG Cylinder Seized: ହାଇଦ୍ରାବାଦରେ LPG ଗ୍ୟାସ୍ କଳାବଜାରୀର ପର୍ଦ୍ଦାଫାଶ, ଶ୍ମଶାନରୁ ୪୧୪ ସିଲିଣ୍ଡର ଜବତ

ଆମେରିକା ଏବଂ ଇସ୍ରାଏଲୀ ଜାହାଜ ବ୍ୟତୀତ,ନୂଆ ଯୋଜନାରେ ଇରାନ ବିରୁଦ୍ଧରେ ଏକପାଖିଆ କଟକଣା ଜାରି କରିବାରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶର ଜାହାଜଗୁଡ଼ିକୁ ଏଇ ଜଳପଥ ଦେଇ ପରିବହନ କରିବାରୁ ନିଷିଦ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି। ଇରାନର ଏହି ନୂଆ ଯୋଜନାରେ ହର୍ମୁଜ୍ ଜଳପଥ ଉପରେ ଇରାନର ସାର୍ବଭୌମ ନିୟନ୍ତ୍ରଣକୁ ମଧ୍ୟ ସୁଦୃଢ଼ କରିଥାଏ। କେବଳ ସେତିକି ନୁହେଁ, ଜଳପଥ ପାଇଁ ଓମାନ ସହିତ ଏକ ଆଇନଗତ ଢାଞ୍ଚା ସ୍ଥାପନ କରିବା ମଧ୍ୟ ଲକ୍ଷ୍ୟ ରଖାଯାଇଛି।

ତେବେ ଯଦିଓ ଇରାନ ଭାରତକୁ ମିତ୍ର ଦେଶ ବୋଲି କହୁଛି, ହେଲେ ଭାରତ ବିରୁଦ୍ଧରେ ଦେଶ କେଉଁ ଆଭିମୁଖ୍ୟ ଆପଣାଇବ ତାହା ସ୍ପଷ୍ଟ ହୋଇ ନାହିଁ। ଯଦି ଚୀନ ପାକିସ୍ତାନ ସହିତ ଅନ୍ୟ ଦେଶଗୁଡିକ ଉପରେ ଟୋଲ୍ ଲଗାଏ ତେବେ ଭାରତ ବି ଟୋଲ୍ ଦେବ। ତେବେ ବର୍ତ୍ତମାନ ଯୁଦ୍ଧର ଘନଘଟା ମଧ୍ୟରେ ପରିସ୍ଥିତି କଣ ହେବ ସେ ନେଇ ସ୍ପଷ୍ଟ ହୋଇ ନାହିଁ।

ହରମୁଜ ଜଳପଥ ନେଇ କାହିଁକି ଉତ୍ତେଜନା ?

ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ, ଇରାନର ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସ (IRGC)ର ଜଣେ ବରିଷ୍ଠ ଅଧିକାରୀ ହର୍ମୁଜ୍ ପ୍ରଣାଳୀକୁ ଆଂଶିକ ବନ୍ଦ କରିବାର ଘୋଷଣା କରିଥିଲେ। ବିବିସିର ରିପୋର୍ଟ ଅନୁସାରେ, ଏହି ବନ୍ଦ ହେବା ଯୋଗୁ ବିଶ୍ୱ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ବିଶ୍ୱର ୨୦ ପ୍ରତିଶତ ତୈଳ ପରିବହନ ଷ୍ଟ୍ରେଟ୍ ଅଫ ହରମୁଜ ଜଳ ପଥ ଦେଇ ହୋଇଥାଏ।

ଇରାନର ଏହି ପଦକ୍ଷେପ ପରେ ବିଶ୍ୱର ତୈଳ,ଗ୍ୟାସ ସମେତ ବିଭିନ୍ନ କ୍ଷେତ୍ରରେ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ଭାରତ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ଜାପାନ, ଚୀନ ଆଦି ଏସୀୟ ଦେଶ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ତେବେ ଚୀନ ସହ ଭଲ ସମ୍ପର୍କ ଯୋଗୁ ଇରାନ ଚୀନର ଜାହାଜକୁ ଛାଡ଼ୁଛି। ଫଳେ ସେଠାରେ ତୈଳ ଯୋଗାଣ ନେଇ ସେତେଟା ସମସ୍ୟା ନାହିଁ ବୋଲି କୁହାଯାଉଛି।

Also Read- ଗ୍ୟାସ୍ ଟେନସନରେ ଭଲ ଖବର : ତେବେ କେଉଁଠି ଓ କିପରି ମିଳିବ ଶସ୍ତାରେ ସିଲିଣ୍ଡର...

ଏହି ଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ଭାରତରେ ଏଲପିଜି ଅଭାବ ଦେଖା ଦେଇଥିଲା। କାରଣ ଭାରତ ୯୦ ପ୍ରତିଶତ ଗ୍ୟାସ ଏହି ଜଳପଥ ଦେଇ ଆମଦାନୀ କରିଥାଏ। ତେଣୁ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଇରାନ ସହ ଆଲୋଚନା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।