• ଯୁକ୍ତରାଷ୍ଟ୍ରର ମିତ୍ର ଦେଶଙ୍କ ଲାଗି ଖୋଲିବ ହର୍ମୁଜ ପ୍ରାଣାଳୀ, ରାଜି ହେଲା ଇରାନ
  • ଜାପାନୀ ଜାହାଜ ଏବେ ମଧ୍ୟପ୍ରାଚ୍ୟରୁ ନେଇ ପାରିବେ ତୈଳ
  • ଜାପାନ ବୈଦେଶିକ ମନ୍ତ୍ରୀଙ୍କୁ ସିଧା କଥାବାର୍ତ୍ତା କରିବାକୁ ଇରାନ ବୈଦେଶିକ ମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ ୨୧।୩: ଇରାନ ଏବେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜାପାନର ଜାହାଜଙ୍କୁ ହୋର୍ମୁଜ ଷ୍ଟ୍ରେଟରେ ଯାତାୟାତ ଅନୁମତି ଦେବାକୁ ରାଜି ହୋଇଛି। ଇରାନ କହିଛି ଯେ ଜାପାନୀ ଜାହାଜଙ୍କୁ ହୋର୍ମୁଜରେ ଯିବାକୁ ଅନୁମତି ଦିଆଯିବ। ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଗଚୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ହୋର୍ମୁଜ କେବଳ ଇରାନର ଶତ୍ରୁଙ୍କ ଲାଗି ବନ୍ଦ ରହିବ। ସେ ଜାପାନୀ ଗଣମାଧ୍ୟମ କ୍ୟୋଦୋ ନ୍ୟୁଜ ସହ ଆଲୋଚନାରେ କହିଛନ୍ତି ଯେ ଆମେ ହୋର୍ମୁଜକୁ ବନ୍ଦ କରି ନାହୁଁ। ଆମ ନଜରରେ ଏହା ଉନ୍ମୁକ୍ତ ଅଛି, ହେଲେ ଆମର ଶତ୍ରୁ, ଯିଏ ଆମ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କ ଜାହାଜ ପାଇଁ ବନ୍ଦ।

ସେ କହିଛନ୍ତି ଯେ ଆମେ ଆଲୋଚନା କରୁଛୁ ଯେପରି ସୁରକ୍ଷିତ ମାର୍ଗର ଉପାୟ ବାହାର କରିହେବ। ଆମେ ବାକି ଦେଶଙ୍କ ଜାହାଜଙ୍କୁ ସୁରକ୍ଷିତ ରାସ୍ତା ଦେବାକୁ ପ୍ରସ୍ତୁତ। ତେବେ ସେମାନଙ୍କୁ ଆମ ସହ ସମ୍ପର୍କ କରିବାକୁ ପଡିବ, ଯାହାଦ୍ୱାରା ଏହା ନିର୍ଦ୍ଧାରିତ ହୋଇ ପାରିବ ଜାହାଜର ରାସ୍ତା କିପରି ହେବ? ଅରାଗଚୀ କହିଛନ୍ତି ଯେ ଜାପାନ ବିଦେଶମନ୍ତ୍ରୀ ତୋଶିମିତସୁ ମୋଟେଗୀଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି। ଅରାଗଚୀଙ୍କ ସହି ଆଲୋଚନାରେ ମୋଟେଗୀ ମଧ୍ୟପ୍ରାଚ୍ୟରେ ବହୁ ସଂଖ୍ୟାରେ ଫଶିଥିବା ଜାପାନୀ ଜାହାଜଙ୍କୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ଜାପାନ ଆବଶ୍ୟକ ଅଶୋଧିତ ତୈଳରକ ୯୦% ମଧ୍ୟପ୍ରାଚ୍ୟରୁ ଆମଦାନୀ କରିଥାଏ। ଏହି ତୈଳ ହୋର୍ମୁଜ ଷ୍ଟ୍ରେଟ୍ ଦେଇ ଜାପାନ ପହଞ୍ଚିଥାଏ। ତେବେ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲଙ୍କ ମିଳିତ ଆକ୍ରମଣ ପରେ ଏହି ସାମୁଦ୍ରିକ ମାର୍ଗ ବନ୍ଦ ପଡିଛି। ଯୁଦ୍ଧ ଆରମ୍ଭ ଦିନମାନଙ୍କରେ ଇରାନ ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପ (ଆଇଆରଜିସି) ଏହି ରାସ୍ତାରେ ଯିବାକୁ ଉଦ୍ୟମ କଲେ ଜାହାଜରେ ନିଆଁ ଲଗାଇ ଦିଆଯିବ ବୋଲି ସତର୍କ କରିଥିଲେ। ଏଣୁ ହୋର୍ମୁଜରେ ଜାହାଜଙ୍କ ଯାତାୟାତ ପ୍ରାୟ ବନ୍ଦ ହୋଇଯାଇଛି। ହେଲେ ଏବେ ଇରାନ ସାମାନ୍ୟ ନରମ ପଡିଛି ଓ କହିଛି ଏହି ପ୍ରଣାଳୀ କେବଳ ଶତ୍ରୁରାଷ୍ଟ୍ରଙ୍କ ଜାହାଜ ନିମନ୍ତେ ବନ୍ଦ ରହିବ।

ଇରାନ ନିକଟରେ ଚୀନ୍, ଭାରତ ଓ ପାକିସ୍ତାନର ଜାହାଜଙ୍କୁ ଏହି ମାର୍ଗରେ ରାସ୍ତା ଦେଇଛି। ଏଥିରେ ଏବେ ଜାପାନ ମଧ୍ୟ ଯୋଡି ହୋଇଯିବ। ଯୁଦ୍ଧ ଯେତିକି ଯେତିକି ଆଗକୁ ବଢୁଛି ଅନେକ ଦେଶ ଯେଉଁମାନେ ଆମେରିକାର ସହଯୋଗୀ ସେମାନେ ମଧ୍ୟ ଇରାନ ସହ ସମ୍ପର୍କ କରିବା ଆରମ୍ଭ କଲେଣି ଓ ହୋର୍ମୁଜରେ ନିଜ ପାଇଁ ସୁରକ୍ଷିତ ମାର୍ଗ ଚାହୁଁଛନ୍ତି। ତେବେ ଏହା ପୂର୍ବରୁ ଜାପାନ, ଫ୍ରାନ୍ସ, ଜର୍ମାନ, ଇଟାଲୀ, ବ୍ରିଟେନ ଓ ନେଦର ଲ୍ୟାଣ୍ଡ ଚଳିତ ସପ୍ତାହରେ ଏକ ମିଳିତ ବୟାନ ଜାରି କରି ଏହି ଜଳମାର୍ଗରେ ସୁରକ୍ଷିତ ଗମନାଗମନ ଜାରି ରଖିବା ପାଇଁ ଆମେରିକାକୁ ସହଯୋଗ କରିବାକୁ ଆମେ ପ୍ରସ୍ତୁତ ବୋଲି କହିଥିଲେ। ତେବେ ଇରାକ, ମାଲେସିୟା, ଚୀନ୍, ଭାରତ ଓ ପାକିସ୍ତାନ ପ୍ରସଙ୍ଗରେ ଇରାନ ସହ ସିଧା କଥାବାର୍ତ୍ତା କରି ନିଜ ପାଇଁ ସୁରକ୍ଷିତ ମାର୍ଗ ସୁନିଶ୍ଚିତ କରିଛନ୍ତି।