ନ୍ୟୁଚଣ୍ଡିଗଡ଼: ବୈଭବ ସୂର୍ଯ୍ୟବଂଶୀଙ୍କ ଧମାକା ପରେ ବୋଲରଙ୍କ ଶାଣିତ ବୋଲିଂ। ଆଇପିଏଲ୍ ୨୦୨୬ର ଏଲିମିନେଟର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ। ହାଇସ୍କୋରିଂ ମ୍ୟାଚରେ ରାଜସ୍ଥାନ ସନରାଇଜର୍ସ ହାଇଦ୍ରାବାଦକୁ ୪୭ ରନରେ ହରାଇ ଦ୍ଵିତୀୟ କ୍ଵାଲିଫାୟରରେ ପ୍ରବେଶ କରିଛି। ଏହା ସହିତ ମେ ୨୯ରେ ଦ୍ଵିତୀୟ କ୍ଵାଲିଫାୟରରେ ଗୁଜରାଟ ରାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ପରାଜୟ ସହ ହାଇଦ୍ରାବାଦର ଅଭିଯାନ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ବୈଭବ ସୂର୍ଯ୍ୟବଂଶୀଙ୍କ ବିଧ୍ଵଂସୀ ୯୩ ରନ ବଳରେ ୮ ଓ୍ଵିକେଟ୍ ହରାଇ ୨୪୩ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୧୯୬ ରନରେ ସୀମିତ ରହିଛି।

୨୪୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦର ଆରମ୍ଭ ନିରାଶଜନକ ଥିଲା। ଏମିତି ବଡ ସ୍କୋରିଂ ମ୍ୟାଚରେ ଅଭିଷେକ ଶର୍ମା ଖାତା ବି ଖୋଲି ପାରି ନ ଥିଲେ। ଇଶାନ କିଷନ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ୧୧ ବଲରୁ ୩୩ ରନ କରି ଆଉଟ୍ ହୋଇଥିଲେ। ପୁଣି ଟ୍ରେଭିସ ହେଡ(୧୭ ରନ) ପୁଣି ନିରାଶ କରିଥିଲେ। ଆଶା କରାଯାଉଥିଲା ଫର୍ମରେ ଚାଲୁଥିବା ହେନରିକ କ୍ଲାସେନ ପୁଣି ଆଜି ଏକ ବଡ଼ ଇନିଂସ ଖେଳିବେ। ହେଲେ ସେ ୧୮ ରନ କରି ପାଭିଲିୟନ ଫେରିଥିଲେ। ୮୧ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥଲା ହାଇଦ୍ରାବାଦ।

Also Read: ଆଇପିଏଲ୍ ଇତିହାସରେ କିଙ୍ଗ୍ କୋହଲିଙ୍କ ମହା ରେକର୍ଡ, କ୍ରମାଗତ ୪ଟି ସିଜନରେ ୬୦୦+ ରନ୍ ପାର

ତେବେ ନୀତିଶ କୁମାର ରେଡ୍ଡୀ ଓ ସଲିଲ ଆରୋରା କିଛି ସମୟ ଦଳ ପାଇଁ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଦୁହେଁ ଷଷ୍ଠ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ହେଲେ ଏହି ଯୋଡ଼ି ଭାଙ୍ଗିବା ସହ ହାଇଦ୍ରାବାଦ ପୁଣି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ନୀତିଶ କୁମାର ରେଡ୍ଡୀ ୨୦ ବଲରୁ ୩୮ ରନ ଏବଂ ସଲିଲ ଆରୋ ୩୫ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡ଼କୁ ଶିଭାଙ୍ଗ କୁମାର ୩୦ ରନ କରିଥିଲେ। ହାଇଦ୍ରାବାଦ ୧୯୬ ରନରେ ସୀମିତ ରହିଛି।ଆଉ ରାଜସ୍ଥାନ ୪୭ ରନରେ ମ୍ୟାଚକୁ ଜିତି ଦ୍ଵିତୀୟ କ୍ଵାଲିଫାୟରରେ ପ୍ରବେଶ କରିଛି। ବୋଲିଂରେ ଜୋଫ୍ରା ଆର୍ଚର ୫୮ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ନାନ୍ଦ୍ରେ ବର୍ଗର ଓ ସୁଶାନ୍ତ ମିଶ୍ର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।