GT vs PBKS IPL 2026: ଆଇପିଏଲ ୨୦୨୬ର ପ୍ରଥମ ତିନୋଟି ମ୍ୟାଚ୍ ଏକତରଫା ହେବା ପରେ ଚତୁର୍ଥ ମ୍ୟାଚରେ କିଛିଟା ରୋମାଞ୍ଚକର ଦେଖିବାକୁ ମିଳିଛି। ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ନିଜର ଘରୋଇ ଗ୍ରାଉଣ୍ଡ ମୁଲ୍ଲାନପୁରରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ଵିକେଟରେ ହରାଇଛି। କୁପର କନୋଲି ୭୨ ରନର ଦମଦାର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳି ପଞ୍ଜାବକ ପ୍ରଥମ ମ୍ୟାଚରେ ବିଜୟ ଭେଟି ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୧୬୩ ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ ୧୯ ଓଭରରେ ୭ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। କନୋଲିଙ୍କ ବ୍ୟତୀତ ପ୍ରଭସିମରନ ସିଂ ୩୭ ରନ କରିଛନ୍ତି। ସବୁଠୁ ବଡ଼ କୁପର କନୋଲିଙ୍କ ଏହା ଆଇପିଏଲର ଡେବ୍ୟୁ ମ୍ୟାଚ୍ ଥିଲା

୧୬୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗ୍ସକୁ ଆରମ୍ଭରୁ ପ୍ରିୟାଂଶ ଆର୍ଯ୍ୟ(୭ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ପ୍ରଭସିମରନ ସିଂ ଓ କୁପର କନୋଲି ଇନିଂସ ସମ୍ଭାଳିଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୬ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ତେବେ ପ୍ରଭସିମରନ ୩୭ ରନ କରି ଆଉଟ୍ ହେବା ପରେ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ପଞ୍ଜାବ। ପ୍ରସିଦ୍ଧ କୃଷ୍ଣ ୩ଟି ଓ୍ଵିକେଟ୍ ନେଇ ଗୁଜରାଟକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ।

ଗୋଟିଏ ପଟେ କୁପର କନୋଲି କ୍ରିଜରେ ଥିବା ବେଳେ ଅନ୍ୟପଟେ ଓ୍ଵିକେଟ୍ ଖସି ଚାଲିଥିଲା। ଅଧିନାୟକ  ଶ୍ରେୟସ ଆୟର ୧୮ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି  ନ ଥିଲେ। ନେହଲ ଓ୍ଵେଧେରା, ଶଶାଙ୍କ ସିଂ , ମାର୍କସ ଷ୍ଟୋଇନିସ ଓ ମାର୍କୋ ଜେନସେନ ସବୁ ନିରାଶ କରିଥିଲେ। ତଥାପି କନୋଲି ନିଜ ଦମରେ ମ୍ୟାଚକୁ ସମାପ୍ତ କରିଥିଲେ। ସେ ୪୪ ବଲରୁ ୫ ଚୌକା ଓ ୫ ଛକା ସହ ୭୨ ରନ କରି ଦଳକୁ  ୩ ଓ୍ଵିକେଟରେ ଜିତାଇଛନ୍ତି। କନୋଲିଙ୍କ ଆଗରେ ଅସହାୟ ହୋଇ ପଡ଼ିଥିଲେ ଗୁଜରାଟ ବୋଲର।

ଗୁଜରାଟ ଟାଇଟନ୍ସ ଇନିଂସ

ଗୁଜୁରାଟ ଭଲ ଆରମ୍ଭ କରିଥିଲା। ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ ପ୍ରଥମ ୱିକେଟ ପାଇଁ ୩୭ ରନ ଯୋଡିଥିଲେ। ସୁଦର୍ଶନ ୧୧ ବଲରୁ ଦୁଇଟି ଚୌକା ମାରି ୧୩ ରନ କରି ଆଉଟ ହୋଇଥିଲେ। ଗିଲ ଏବଂ ଜୋଶ ବଟଲର୍ ୪୬ ରନର ପାର୍ଟନରସିପ୍ କରିଥିଲେ। ଅଧିନାୟକ ଗିଲ ୧୦ମ ଓଭରରେ ମୋଟ ସ୍କୋର ୮୩ ରନ କରି ଆଉଟ ହୋଇଥିଲେ। ସେ ୨୭ ବଲରୁ ୩୯ ରନ କରି ୬ ଚୌକା ମାରିଥିଲେ। ଗିଲଙ୍କୁ ୟୁଜଭେନ୍ଦ୍ର ଚହଲଙ୍କ ବଲରେ ଆଉଟ କରିଥିଲେ।

୮୩ ରନରେ ଦୁଇଟି ୱିକେଟ ପଡ଼ିବା ପରେ, ଗ୍ଲେନ୍ ଫିଲିପ୍ସ ବ୍ୟାଟିଂ କରିବାକୁ ଆସିଥିଲେ। ଫିଲିପ୍ସ ଏବଂ ବଟଲର୍ ଇନିଂସକୁ ଆଗକୁ ବଢାଇଥିଲେ। ଫିଲିପ୍ସ ୧୪ତମ ଓଭରର ଶେଷ ବଲରୁ ଛକା ମାରିବାକୁ ଚେଷ୍ଟା କରୁଥିବା ସମୟରେ ଧରାପଡ଼ିଥିଲେ। ସେ ୧୭ ବଲରୁ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହ ୨୫ ରନ କରିଥିଲେ। ଦଳୀୟ ସ୍କୋର ୧୨୯ ରନରେ ଛକା ମାରିବା ପ୍ରୟାସରେ ଆଉଟ୍ ହୋଇ ବଟଲର ପ୍ୟାଭିଲିୟନ ଫେରିଥିଲେ। ବଟଲର୍ ୩୩ ବଲରୁ ୩୮ ରନ କରି ଆଉଟ ହୋଇଥିଲେ।

ଫିଲିପ୍ସ ଏବଂ ବଟଲରଙ୍କ ଆଉଟ୍ ପରେ ଗୁଜରାଟର ଇନିଂସ ଧିମେଇ ଯାଇଥିଲା। ପଞ୍ଚମ ସ୍ଥାନରେ ଆସିଥିବା ୱାଶିଂଟନ ସୁନ୍ଦର ୧୬ ବଲରୁ ଦୁଇଟି ଚୌକା ସହିତ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶାହରୁଖ ଖାନ, ୬ ବଲରୁ ୪ ରନ୍ କରିଥିଲେ। ରାହୁଲ ତେୱାଟିଆ ୧୦ ବଲ୍ ରୁ ୧୧ ରନ୍ କରି ଅପରାଜିତ ରହିଥିଲେ।

ପଞ୍ଜାବର ପକ୍ଷରୁ ମାର୍କୋ ଜାନସେନ୍ ରି ଓଭରରେ ମାତ୍ର ୨୦ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଚହଲ୍ ତାଙ୍କ ଚାରି ଓଭରରେ ୨୮ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ବୈଶାଖ ତାଙ୍କ ଚାରି ଓଭରରେ ୩୪ ରନ୍ ଦେଇଥିଲେ। ଅର୍ଶଦୀପ ସିଂହ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତାଙ୍କ ଚାରି ଓଭରରେ ୪୨ ରନ୍ ଦେଇଥିଲେ ଏହି ବାମହାତୀ ବୋଲର। ଅର୍ଶଦୀପ ଶେଷ ଓଭର ୧୧ ବଲ୍ ବୋଲିଂ କରିଥିଲେ।