GT vs CSK: ଟପ୍ ଅର୍ଡର ବ୍ୟାଟରଙ୍କ ବିସ୍ଫୋରକ ଇନିଂସ ପରେ ବୋଲରଙ୍କ ଘାତକ ବୋଲିଂ। ଆଇପିଏଲ୍ ୨୦୨୬ରେ ନିଜର ଶେଷ ଲିଗ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୮୯ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି। ଏହି ପରାଜୟ ସହ ଚେନ୍ନାଇ ପ୍ଲେ ଅଫରୁ ବାଦ୍ ପଡ଼ିଥିବା ବେଳେ ଗୁଜରାଟ ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ମଜବୁତ କରି ପାରିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ସାଇ ସୁଦର୍ଶନଙ୍କ ୮୪ ରନ, ଶୁଭମନ ଗିଲଙ୍କ ୬୪ ରନ ଓ ଜୋସ ବଟଲରଙ୍କ ୫୭ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୨୯ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଚେନ୍ନାଇ ଜିଟି ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୩.୪ ଓଭରରେ ୧୪୦ ରନରେ ଅଲଆଉଟ୍ ହୋଇଛି। ଏହି ଶୋଚନୀୟ ପରାଜୟ ସହ ଚେନ୍ନାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ବୋଲିଂରେ ମହମ୍ମଦ ସିରାଜ, ରଶିଦ ଖାନ ଓ କାଗିସୋ ରାବଡ଼ା ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଛନ୍ତି।

ଗୁଜୁରାଟ ପକ୍ଷରୁ ମିଳିଥିବା ୨୩୦ ରନ୍‌ର ଏକ ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜିଟି ବୋଲରଙ୍କ ଧାରୁଆ ବୋଲିଂ ଆଗରେ ସିଏସକେ ମାତ୍ର ୧୩.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ୭ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ ଦୁବେ ଦଳ ପାଇଁ ସର୍ବାଧିକ ୪୭ ରନ୍ (୧୭ ବଲ୍‌) ର ଏକ ବିସ୍ଫୋରକ ପାଳି ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର୍ ମ୍ୟାଥ୍ୟୁ ସର୍ଟ ୧୪ ବଲ୍‌ରୁ ୨୪ ରନ୍ କରିଥିବା ବେଳେ କାର୍ତ୍ତିକ ଶର୍ମା ଏବଂ ଅଂଶୁଲ କାମ୍ବୋଜ ଯଥାକ୍ରମେ ୧୯ ରନ୍ ଲେଖାଏଁ କରିଥିଲେ। ଦଳର ବାକି ବ୍ୟାଟରମାନେ ଗୁଜୁରାଟର ବୋଲିଂ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ।

ସିରାଜ, ରାବଡା ଓ ରାଶିଦଙ୍କ ଘାତକ ବୋଲିଂ

ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିବାରେ ଗୁଜୁରାଟର ତିନି ପ୍ରମୁଖ ବୋଲର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମହମ୍ମଦ ସିରାଜ, କାଗିସୋ ରାବଡା ଏବଂ ରାଶିଦ ଖାନ୍ ଘାତକ ବୋଲିଂ କରି ସିଏସକେର ୩ଟି ଲେଖାଏଁ ୱିକେଟ୍ ଚଟକାଇଥିଲେ। ବୋଲିଂ ବ୍ୟତୀତ ଗୁଜୁରାଟ କ୍ୟାପଟେନ ଶୁବମନ ଗିଲ୍ ଚମତ୍କାର ଫିଲ୍ଡିଂ କରି କାର୍ତ୍ତିକ ଶର୍ମାଙ୍କୁ ରନ୍ ଆଉଟ୍ କରି ପାଭିଲିୟନ ପଠାଇଥିଲେ।

ଗୁଜରାଟ ଇନିଂସ

ଏହାପୂର୍ବରୁ ଅହମ୍ମଦାବାଦରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗୁଜୁରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୯ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଓପନର୍ ସାଇ ସୁଦର୍ଶନ ଚମତ୍କାର ବ୍ୟାଟିଂ କରି ୫୩ ବଲ୍‌ରୁ ସର୍ବାଧିକ ୮୪ ରନ୍‌ର ଏକ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟପଟେ କ୍ୟାପଟେନ ଶୁବମନ ଗିଲ୍ ମଧ୍ୟ ଅଧିନାୟକତ୍ଵ ପାଳି ଖେଳି ୩ ବଲ୍‌ରୁ ୬୪ ରନ୍ ସଂଗ୍ରହ କରିଥିଲେ। ଶେଷ ଆଡ଼କୁ ଜୋସ୍ ବଟଲର୍ ମାତ୍ର ୨୭ ବଲ୍‌ରୁ ୫୭ ରନ୍‌ର ଏକ ବିସ୍ଫୋରକ ଅପରାଜିତ ପାଳି ଖେଳି ଦଳର ସ୍କୋରକୁ ୨୨୦ ପାର୍ କରାଇଥିଲେ। ଗୁଜୁରାଟର ଏହି ସାମୂହିକ ପ୍ରଦର୍ଶନ ଆଗରେ ଚେନ୍ନାଇ ସମ୍ପୂର୍ଣ୍ଣ ବିବଶ ନଜର ଆସିଥିଲା।