IPL 2026 MI vs DC: ଆଇପିଏଲ୍ ୨୦୨୬ର ଅଷ୍ଟମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଛି। ଶନିବାର ପ୍ରଥମ ଡବଲ ହେଡର ମ୍ୟାଚର ଏହା ହେଉଛି ପ୍ରଥମ ମୁକାବିଲା। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୬୨ ରନ କରିଛି। ଦଳ ପକ୍ଷରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫୧ ରନ କରିଥିବା ବେଳେ ରୋହିତ ଶର୍ମା ୩୫ ରନ ଓ ନମନ ଧୀର ୨୮ ରନ କରିଛନ୍ତି। ଦିଲ୍ଲୀ ସାମ୍ନାରେ ରହିଛି ୧୬୩ ରନର ବିଜୟ ଲକ୍ଷ୍ୟ। ଏହି ମ୍ୟାଚରେ ଯେ କୌଣସି ଦଳ ସିଜିନରେ ନିଜର ପ୍ରଥମ ପରାଜୟର ସ୍ଵାଦ ଚାଖିବେ। ବୋଲିଂରେ ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ଓ୍ଵିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ କିଛିକାଂଶରେ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ବୋଲର ସଠିକ୍ ସାବ୍ୟସ୍ତ କରିଛନ୍ତି। କାରଣ ମୁମ୍ବାଇ ପରି ଦୁର୍ଦ୍ଦାନ୍ତ ବ୍ୟାଟିଂ କ୍ରମକୁ ୨୦୦ ରନ କରିବାକୁ ଦେଇ ନାହାନ୍ତି। ମୁମ୍ବାଇର ଆରମ୍ଭ ଆଜି ନିରାଶ ଜନକ ଥିଲା। ୧୮ ରନରେ ଦଳ ଦୁଇଟି ଓ୍ଵିକେଟ୍ ହରାଇତିଲା। ରିୟାନ ରିକଲଟନ ୯ ରନ କରିଥିବା ବେଳେ ତିଳକ ବର୍ମା ଖାତା ଖୋଲି ପାରି ନ ଥିଲେ। ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ଶର୍ମା ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର କ୍ରିଜରେ ଜମିଥିଲେ ହେଁ ଦିଲ୍ଲୀ ବୋଲର ହାତ ଖୋଲିବାକୁ ସୁଯୋଗ ଦେଇ ନ ଥିଲେ।

ଉଭୟ ୩ୟ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। ରୋହିତ ଶର୍ମା ବଡ ସଟ୍ ଖେଳିବା ପ୍ରୟାସରେ ୩୫ ରନ କରି ଆଉଟ୍ ହୋଇଥିଲେ। ଶେରଫେନ ରଦରଫୋର୍ଡ(୫ ରନ) ନିରାଶ କରିଥିଲେ। ଦିଲ୍ଲୀ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ନେଇ ମୁମ୍ବାଇକୁ ହାତଖୋଲା ସଟ୍ ଖେଳିବାକୁ ଦେଇ ନ ଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୬ ବଲରୁ ୩ ଚୌକା ଓ ୨ ଛକା ସହ ୫୧ ରନ କରିଥିଲେ। ନମନ ଧୀର ୨୮ ରନ କରିଥିଲେ। ଶେଷ ଆଡ଼କୁ ମୁମ୍ବାଇ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାରି ନ ଥିଲା। ଫଳରେ ଦଳ ୬ ଓ୍ଵିକେଟ୍ ହରାଇ ୧୬୨ ରନ କରି ପାରିଛି। ସାଣ୍ଟନର ୧୮ ରନ ଓ କର୍ବିନ ବୋଶ ୪ ବଲରୁ ୧୧ ରନରେ ଅପରାଜିତ ଥିଲେ।