ପୁରୀ ୧୭।୮: ପୁରୀ ସମଙ୍ଗରା ନୂଆସାହିରେ ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟଣାର ତନାଘନା ଜାରି ରହିଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଜଣେ ୬ ବର୍ଷର ଶିଶୁ କନ୍ୟା ଓ ଅନ୍ୟ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟାର ଜୀବନ ଯାଇଛି। ପ୍ରାଥମିକ ମେଡିକାଲ ଯାଞ୍ଚ ପରେ ଉଭୟ ମାଆ ଓ ଛୁଆଙ୍କ ଖାଦ୍ୟରେ ବିଷ ମାତ୍ରାଧିକ ରହିଥିଲା ବୋଲି ସୂଚନା ମିଳିଛି। ମାଆକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ମୃତ ଶିଶୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ଘଟଣାରେ କିଏ ସତ କହୁଛି, ତାକୁ ନେଇ ଉଠିଛି ପ୍ରଶ୍ନ।

ଚାଉଳରେ ପୋକମରା ଔଷଧ ମିଶିଥିବା କଥା କୁହାଯାଉଥିବା ବେଳେ, ସେପଟେ ମା' ଦୁଇ ଶିଶୁଙ୍କୁ ମାରିଦେଇଥିବା ଅନୁମାନ କରିଛନ୍ତି ମହିଳାଙ୍କ ଶ୍ୱଶୁର କାଙ୍ଗା ପ୍ରଧାନ। କିନ୍ତୁ ପଡ଼ୋଶୀଙ୍କ ପ୍ରତିକ୍ରିୟା ଭିନ୍ନ ରହୁଥିବାରୁ ଘଟଣାକୁ ନେଇ ସନ୍ଦେହ ବଢ଼ିଛି। ମହିଳାଙ୍କ ପଡ଼ୋଶୀ କହିଛନ୍ତି ଯେ ଘରୁ ନୁହେଁ ବରଂ ରାସ୍ତାରୁ ହସ୍ପିଟାଲ ଯାଇଛନ୍ତି ମା' ଓ ଦୁଇ ଝିଅ। ଘଟଣାର ଛାନଭିନ କରୁଛି ପେଣ୍ଠକଟା ମେରାଇନ ଥାନା ପୋଲିସ । ଘଟଣା ସ୍ଥଳରେ ପୋଲିସ ଯାଞ୍ଚ କରିଥିବା ବେଳେ ବିଭିନ୍ନ ନମୁନା ସଂଗ୍ରହ କରିଛି ଫୋରେନସିକ୍ ଟିମ୍ ।

Also Read:- ଓଡ଼ିଶା ହାଇକୋର୍ଟରେ ନାହାନ୍ତି ଆବଶ୍ୟକୀୟ ବିଚାରପତି : ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୩୩, ଅଛନ୍ତି ମାତ୍ର ୧୭ ଜଣ

ସେପଟେ ଚାଉଳ ସଂରକ୍ଷଣ ପାଇଁ ପୋକ ମରା ଔଷଧ ଭଳି ବିଷ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର। ଅନ୍ୟପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଦୁଇଶିଶୁଙ୍କ ଜୀବନ ଯାଇଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସପି ପ୍ରତୀକ୍ ସିଂ କହିଛନ୍ତି। ଅନ୍ୟପଟେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ କହିଛନ୍ତି ସିଡିଏମଓ।

Watch Video: