ନବରଙ୍ଗପୁର: ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ। ସମୁଦାୟ ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏ ନେଇ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସନ।

ସୂଚନା ଅନୁଯାୟୀ, ଲଘୁଚାପର ସମ୍ଭାବ୍ୟ ପ୍ରଭାବ ଏବଂ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛି ଜଳସମ୍ପଦ ବିଭାଗ। ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଗେଟ ଖୋଲିବା ସମୟରେ ଜଳସ୍ତର ରହିଥିଲା ୬୪୦.୨୯ ମିଟର ରହିଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ଗେଟ ଖୋଲିବା ପୂର୍ବରୁ ୨୦୩.୨୮ କ୍ୟୁମେକ୍ସ ଜଳ ନିଷ୍କାସନ ହେଉଥିଲା। ଗେଟ ଖୋଲିବା ପରେ ସମୁଦାୟ ୨୭୫.୨୮ କ୍ୟୁମେକ୍ସ ଜଳ ନିଷ୍କାସନ ହେଉଛି।

Also Read: ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି: କୌଣସି ବିବାଦ ନାହିଁ କି ସମସ୍ୟା ନାହିଁ, ମହାନଦୀ ଜଳ ସମସ୍ୟାର ସମାଧାନ ଖୁବଶୀଘ୍ର, ବିରୋଧୀ ପଚାରିଲେ ଆଉ କେତେ ଦିନ ?

୬୩୯.୬୦ ମିଟରକୁ ଆସିଲେ ବନ୍ଦ ହେବ ଗେଟ୍

ଆଜି ଇନ୍ଦ୍ରାବତୀ-କୋଲାବ ବେସିନ କାର୍ଯ୍ୟାଳୟ, ବାରିଣୀପୁଟର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବେଦାମ୍ବର ବେହେରାଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀମାନେ ଡ୍ୟାମର ସ୍ଥିତି ଅନୁଧ୍ୟାନ କରିବା ପରେ ଗେଟ ଖୋଲାଯାଇଥିଲା। ଜଳସ୍ତର ୬୩୯.୬୦ ମିଟରକୁ ଆସିଲେ ଗେଟ ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଆଗାମୀ ଦିନରେ ବର୍ଷାର ସ୍ଥିତି ଦେଖି ଅଧିକ ଗେଟ ଖୋଲିବ କି ବନ୍ଦ କରାଯିବ, ତାହା ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ଜଳ ନିଷ୍କାସନ ଯୋଗୁଁ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିପାରେ। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିରେ ଜିରୋ କାଜୁଆଲଟି ଲକ୍ଷ୍ୟରେ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନଜର ରଖିଛନ୍ତି। ୨୦୧୯ ମସିହା ପରେ ପୁଣି ଥରେ ଇନ୍ଦ୍ରାବତୀ ଡ୍ୟାମର ଗେଟ ଖୋଲିଥିବାରୁ ଏବେ ସମସ୍ତଙ୍କ ନଜର ରହିଛି।