ନୂଆଦିଲ୍ଲୀ: ଭାରତର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ (IndiGo) ଅନ୍ତର୍ଜାତୀୟ ମାର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏୟାରଲାଇନ୍ସ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ବିଦେଶ ରୁଟରେ ନିଜର ବିମାନ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କିମ୍ବା ହ୍ରାସ କରିବାକୁ ଘୋଷଣା କରାଯାଇଛି। କେତେକ ଅନ୍ତର୍ଜାତୀୟ ରୁଟରେ ଜୁଲାଇ ୧ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିମାନ ସଂଖ୍ୟା ହ୍ରାସ କରାଯିବ। ସେହିଭଳି କେତେକ ନିର୍ଦ୍ଦିଷ୍ଟ ରୁଟରେ ଜୁଲାଇ ୩ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିମାନ ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ।

ଜୁଲାଇ ୩ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନିମ୍ନଲିଖିତ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିମାନ ସେବା ସମ୍ପୂର୍ଣ୍ଣ ରୂପେ ସ୍ଥଗିତ ରଖାଯିବ:

ଲଙ୍ଗକାୱି (ମାଲେସିଆ)

କ୍ରାବି (ଥାଇଲ୍ୟାଣ୍ଡ)

ହୋ ଚି ମିନ୍ ସିଟି (ଭିଏତନାମ)

ହଂକଂ

ସାଂଘାଇ (ଚୀନ)

ସିଏମ୍ ରିପ୍ (କାମ୍ବୋଡିଆ)

କେବେଠାରୁ ପୁଣି ଆରମ୍ଭ ହେବ ବୁକିଂ ?

କମ୍ପାନୀ ସ୍ପଷ୍ଟ କରିଛି ଯେ, ଏହି ସବୁ ରୁଟ୍ ପାଇଁ ଆସନ୍ତା ଅକ୍ଟୋବର ୧ ତାରିଖରୁ ପୁଣିଥରେ ବୁକିଂ ଆରମ୍ଭ କରାଯିବ। ତେବେ ଯଦି ବଜାରର ସ୍ଥିତି ଏବଂ ଯାତ୍ରୀଙ୍କ ଚାହିଦାରେ ସୁଧାର ଆସେ, ତେବେ କମ୍ପାନୀ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ବିମାନ ସେବା ପୁନର୍ବାର ଚାଲୁ କରିପାରେ। ଏହି ଅସ୍ଥାୟୀ ପରିବର୍ତ୍ତନ ସତ୍ତ୍ୱେ ଇଣ୍ଡିଗୋର ସାପ୍ତାହିକ ୧,୮୦୦ ରୁ ଅଧିକ ପ୍ରମୁଖ ଅନ୍ତର୍ଜାତୀୟ ବିମାନ ସେବା ପୂର୍ବଭଳି ଜାରି ରହିବ।

ଏଭଳି ନିଷ୍ପତ୍ତିର କାରଣ କଣ ?

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ବଜାର ଚାହିଦା, ବିମାନ ଚଳାଚଳ କ୍ଷେତ୍ରରେ ବଢ଼ୁଥିବା ଖର୍ଚ୍ଚ (Cost) ଏବଂ ଆକାଶମାର୍ଗ ସମ୍ବନ୍ଧୀୟ କେତେକ ପ୍ରତିବନ୍ଧକ (Airspace Restrictions) କୁ ଦୃଷ୍ଟିରେ ରଖି ନିଜର କ୍ଷମତାକୁ ସନ୍ତୁଳିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଯେଉଁ ଯାତ୍ରୀମାନଙ୍କର ଟିକେଟ୍ ଏହି ନିଷ୍ପତ୍ତି ଯୋଗୁଁ ପ୍ରଭାବିତ ହେବ, ସେମାନଙ୍କୁ ଏୟାରଲାଇନ୍ସ ପକ୍ଷରୁ ସିଧାସଳଖ ସୂଚନା ଦିଆଯିବ। ଏହା ସହିତ ଯାତ୍ରୀମାନଙ୍କୁ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଫ୍ଲାଇଟ୍ର ସଦ୍ୟତମ ସ୍ଥିତି (Flight Status) ଯାଞ୍ଚ କରିନେବାକୁ କମ୍ପାନୀ ପରାମର୍ଶ ଦେଇଛି।