ମୁମ୍ବାଇ : ଘରୋଇ ବିମାନ ସେବା କମ୍ପାନୀ ଇଣ୍ଡିଗୋର ଗ୍ଲୋବାଲ ସେଲସ୍ ହେଡ୍ ବିନୟ ମଲହୋତ୍ରା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଏୟାରଲାଇନ୍ସ ସୋମବାର ସେୟାର ବଜାର ଫାଇଲିଂରେ ଜଣାଇଛନ୍ତି। ଏଥିରେ ମଲହୋତ୍ରା ୩ ଜୁଲାଇ ଅପରାହ୍ନରେ ତାଙ୍କ ଦାୟିତ୍ୱରୁ ମୁକ୍ତ ହୋଇଯିବେ ବୋଲି କୁହାଯାଇଛି। କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ମଲହୋତ୍ରା ଏଭିଏସନ ଇଣ୍ଡଷ୍ଟ୍ରି ବାହାରେ ପରାମର୍ଶଦାତା ଭୂମିକାର ସନ୍ଧାନରେ ଥିବା ଉଲ୍ଲେଖ କରିଛନ୍ତି।

ମଲହୋତ୍ରା ଗତ ୪ ବର୍ଷ ହେଲା ଇଣ୍ଡିଗୋରେ କ୍ୟାରିୟର କରୁଥିବା ବେଳେ ଇଣ୍ଡିଗୋ ପରିବାରରେ କାମ କରିବାକୁ ସୁଯୋଗ ମିଳିଥିବାରୁ ଇସ୍ତଫା ପତ୍ରରେ ଭାଟିଆଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ନୋଟିସ୍ ପିରିୟଡରେ କାମ କରିବେ ବୋଲି ଉଲ୍ଲେଖ କରିଛନ୍ତି। ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଇଣ୍ଡିଗୋ ପରିଚାଳନାରେ ବଡ଼ଧରଣର ବ୍ୟବଧାନ ପରେ କମ୍ପାନୀର ଶୀର୍ଷ ପରିଚାଳନାରେ ଏହା ଦ୍ୱିତୀୟ ବଡ଼ ଇସ୍ତଫା। ଏହା ପୂର୍ବରୁ ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପିଟର ଏଲବର୍ସ ଗତ ମାର୍ଚ୍ଚ ମାସରେ ବ୍ୟକ୍ତିଗତ କାରଣରୁ ତାଙ୍କ ପଦବୀରୁ ତତ୍କାଳ ପ୍ରଭାବ ଇସ୍ତଫା ଦେଇଥିଲେ।

ଏଲବର୍ସ ସେପ୍ଚେମ୍ବର ୨୦୨୨ରୁ କମ୍ପାନୀରେ ସିଇଓ ଥିଲେ। ୨୦୨୫ ଡିସେମ୍ବର ପ୍ରଥମ ସପ୍ତାହରେ ହଜାର ହଜାର ସଂଖ୍ୟାରେ କମ୍ପାନୀର ଉଡାଣ ରଦ୍ଦ ହୋଇଥିଲା। ଏଣୁ ସାରା ଦେଶରେ ଲକ୍ଷଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଥିଲେ। ଦେଶର ବିଭିନ୍ନ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀ ଚେକ୍-ଇନ କରିବା ପରେ ଯାତ୍ରା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ଘରୋଇ ଯାତ୍ରୀ ସଂଖ୍ୟା ଦୃଷ୍ଟିରୁ ଇଣ୍ଡିଗୋର ବଜାର ଅଂଶିଦାରୀ ୬୦%ରୁ ଅଧିକ ଓ ବର୍ତ୍ତମାନ ସମୟରେ ଦେଶର ସର୍ବ ବୃହତ୍ତ ବିମାନ ସେବା କମ୍ପାନୀରେ ପରିଣତ ହୋଇଛି।