ଚେନ୍ନାଇ: ମଝି ଆକାଶରେ ଜୀବନ ମୃତ୍ୟୁ ସହ ଲଢେଇ। କୋଲକାତାରୁ ଚେନ୍ନାଇ ଆସୁଥିବା ଇଣ୍ଡିଗୋର ଏକ ବିମାନ ଅବତରଣ ପୂର୍ବରୁ ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଘଟଣା ପରେ ଚେନ୍ନାଇ ବିମାନବନ୍ଦରରେ ‘ଫୁଲ୍ ଏମର୍ଜେନ୍ସି’ ଘୋଷଣା କରାଯାଇଥିଲା। ବିମାନବନ୍ଦର ପ୍ରାଧିକରଣ (AAI) ଅଧିକାରୀଙ୍କ ସୂଚନା ଅନୁସାରେ, ଇଣ୍ଡିଗୋର ଫ୍ଲାଇଟ୍ 6E-723 କୋଲକାତାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। ବିମାନରେ ମୋଟ ୨୨୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ।

ମଙ୍ଗଳବାର ରାତି ପ୍ରାୟ ୧୧ଟା ୨୯ ମିନିଟରେ ବିମାନଟି ଚେନ୍ନାଇରେ ପହଞ୍ଚିବାର ଥିଲା। କିନ୍ତୁ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତି ସମୟରେ ପାଇଲଟ୍ ବିମାନର ବାମ ଇଞ୍ଜିନ୍ରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)କୁ ଏ ସମ୍ପର୍କରେ ଜଣାଇଥିଲେ। ଏହାପରେ ବିମାନର ସୁରକ୍ଷିତ ଅବତରଣ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଜରୁରୀ ପ୍ରସ୍ତୁତି ଆରମ୍ଭ କରିଥିଲେ।

ସମସ୍ତ ପ୍ରସ୍ତୁତି ପରେ ବିମାନଟି ରାତି ୧୧ଟା ୩୭ ମିନିଟରେ ରନୱେରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ୨୨୪ ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାତି ୧୧ଟା ୪୭ ମିନିଟରେ ‘ଫୁଲ୍ ଏମର୍ଜେନ୍ସି’ ହଟାଇ ଦିଆଯାଇଥିଲା। ଘଟଣା ପରେ ମଧ୍ୟ ଚେନ୍ନାଇ ବିମାନବନ୍ଦରର ସମସ୍ତ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା AAI ଅଧିକାରୀମାନେ କହିଛନ୍ତି।

also read- ଯୁଦ୍ଧ ଅଭ୍ୟାସ ପୂର୍ବରୁ କିମ୍‌ଙ୍କ ମିସାଇଲ୍ ଚେତାବନୀ ! ସି ଅଫ୍ ଜାପାନ ଆଡ଼କୁ ଛାଡ଼ିଲେ ସବୁଠୁ ଘାତକ ଅସ୍ତ୍ର

ଏହି ଘଟଣା ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଗତ ସପ୍ତାହରେ ଏୟାର ଇଣ୍ଡିଆର ଏକ ବିମାନରେ ଭୟଙ୍କର ଟର୍ବୁଲେନ୍ସ ଘଟଣା ଚର୍ଚ୍ଚାରେ ଥିଲା। ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ହଠାତ୍ ଟର୍ବୁଲେନ୍ସ ହେବାରୁ ଅତି କମରେ ୧୭ ଜଣ ଆହତ ହୋଇଥିଲେ। ଲଗାତାର ଦୁଇଟି ଘଟଣା ପରେ ବିମାନ ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଜରୁରୀ ପରିସ୍ଥିତିରେ ପାଇଲଟଙ୍କ ତତ୍ପରତା ପୁଣିଥରେ ଚର୍ଚ୍ଚାକୁ ଆସିଛି।

Watch Video:-