ନୂଆଦିଲ୍ଲୀ ,୧୮ /୧୧-; ସାଉଦି ଆରବରେ ଜାରି ରହିଥିବା ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ନିଷ୍ପତ୍ତି ନେଇଛି। ସାଉଦି ଆରବର ବିଭିନ୍ନ ସହରକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ସମସ୍ତ ବିମାନର ଉଡ଼ାଣ ବାତିଲ୍ ଅବଧିକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି ଏୟାରଲାଇନ୍ସ। ବୁଧବାର ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଜେଦ୍ଦା ଏବଂ ମଦିନାକୁ ଯାଉଥିବା ଓ ସେଠାରୁ ଆସୁଥିବା ବିମାନଗୁଡ଼ିକର ଉଡ଼ାଣ ନଭେମ୍ବର ୨୧ ପର୍ଯ୍ୟନ୍ତ ବାତିଲ୍ କରାଯାଇଥିଲା। ସେହିପରି ରିୟାଦ ଏବଂ ଦମାମ୍କୁ ବିମାନ ଚଳାଚଳ ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ଏବେ ଜେଦ୍ଦା, ମଦିନା, ରିୟାଦ ଏବଂ ଦମାମ୍ ସମେତ ସମସ୍ତ ଚାରିଟି ସହରକୁ ବିମାନ ଚଳାଚଳ ନଭେମ୍ବର ୩୦ ପର୍ଯ୍ୟନ୍ତ ବାତିଲ୍ କରିଛି ଇଣ୍ଡିଗୋ।

ବୁଧବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ କରି ଇଣ୍ଡିଗୋ କହିଛି ଯେ, ସାଉଦି ଆରବରେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଦ୍ଦା, ମଦିନା, ରିୟାଦ ଏବଂ ଦମାମ୍କୁ ଯାଉଥିବା ଓ ସେଠାରୁ ଆସୁଥିବା ସମସ୍ତ ବିମାନର ଉଡ଼ାଣ ୩୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବାତିଲ୍ ରହିବ। ପରିସ୍ଥିତି ଉପରେ କମ୍ପାନୀ ନିରନ୍ତର ନଜର ରଖିବା ସହ ସ୍ଥିତିର ସମୀକ୍ଷା କରୁଥିବା ମଧ୍ୟ କହିଛି।

ଅନ୍ୟପକ୍ଷରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମଧ୍ୟ ନଭେମ୍ବର ୧୩ ତାରିଖରେ ସାଉଦି ଆରବକୁ ବିମାନ ଚଳାଚଳ ସମ୍ପର୍କରେ ଘୋଷଣା କରିଥିଲେ। ଏହି ଦୁଇ ଏୟାରଲାଇନ୍ସ ରିୟାଦ ଏବଂ ଦମାମ୍କୁ ଯାଉଥିବା ଓ ସେଠାରୁ ଆସୁଥିବା ବିମାନଗୁଡ଼ିକର ଉଡ଼ାଣ ନଭେମ୍ବର ୩୦ ପର୍ଯ୍ୟନ୍ତ ବାତିଲ୍ କରିଥିବା ବେଳେ ଜେଦ୍ଦାକୁ ବିମାନ ସେବା ନଭେମ୍ବର ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ସେହିପରି ନଭେମ୍ବର ୧୨ ତାରିଖରେ ଆକାସା ଏୟାର ମଧ୍ୟ ରିୟାଦ ଏବଂ ଜେଦ୍ଦାକୁ ଯାଉଥିବା ଓ ସେଠାରୁ ଆସୁଥିବା ବିମାନଗୁଡ଼ିକର ଉଡ଼ାଣ ନଭେମ୍ବର ୩୦ ପର୍ଯ୍ୟନ୍ତ ବାତିଲ୍ କରିଥିବା ଘୋଷଣା କରିଥିଲା।

also read - ରାହୁଲ ଗାନ୍ଧୀଙ୍କୁ ଛାତ୍ରୀଙ୍କ ଚା’ ପିଇବାକୁ ନିମନ୍ତ୍ରଣ, କଲମ୍ବିଆ ବିଶ୍ୱବିଦ୍ୟାଳୟରେ ହସରେ ଫାଟିଲା ସଭାଗୃହ

ସୂଚନାଯୋଗ୍ୟ, ୟେମେନର ହୁତି ବିଦ୍ରୋହୀଙ୍କ ପକ୍ଷରୁ ସାଉଦି ଆରବର ବିଭିନ୍ନ ସହର ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିବା ଖବର ରହିଛି। ଏହି ସୁରକ୍ଷା ସମ୍ପର୍କିତ ଚିନ୍ତାକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀଗୁଡ଼ିକ ଉଡ଼ାଣ ବାତିଲ୍ ନିଷ୍ପତ୍ତି ନେଇଛନ୍ତି।