ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ସରକାର ସିନ୍ଧୁ ଜଳ ସନ୍ଧି ସମାପ୍ତ କରିଦେଇଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ଲଗାତାର ଭାରତକୁ ଧମକ ଦେଉଛି। ପାକିସ୍ତାନ ଧମକର ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ(ଏମଇଏ) ଶୁକ୍ରବାର ଜବାବ ରଖିଛନ୍ତି। ମାମଲାରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ଏମଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଏବେବି ସେଇଆ ରହିଛି ଯାହା ପୂର୍ବରୁ ଥିଲା। ସେ କହିଛନ୍ତି ଏହି ସନ୍ଧି ପାକିସ୍ତାନ ପକ୍ଷରୁ ଜାରି ଆତଙ୍କବାଦ କାରଣରୁ ଅଟକି ରହିଛି।

ରଣଧୀର ଜୟସ୍ୱାଲ ଶୁକ୍ରବାର ପ୍ରେସ୍ ବ୍ରିଫିଙ୍ଗରେ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧିକୁ ନେଇ ଭାରତର ଆଭିମୁଖ୍ୟ ସ୍ଥିର ଓ ସ୍ପଷ୍ଟ। ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦକୁ ଲଗାତାର ପ୍ରୋତ୍ସାହନ ଦିଆଯାଉଥିବା କାରଣରୁ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) ଅଟକି ରହିଛି। ଏଣୁ ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ନିର୍ଭରଯୋଗ୍ୟ ଓ ଦୃଢ ଭାବେ ଛାଡିବାକୁ ପଡିବ। ଉଲ୍ଲେଖ ଯୋଗ୍ୟ ଯେ ଏହି ସନ୍ଧି ମାଧ୍ୟମରେ ଭାରତରୁ ପାକିସ୍ତାନ ଅଧିକମାତ୍ରାରେ ଜଳ ପାଉଥିଲା। ପାକିସ୍ତାନ କୃଷିର ଏକ ବଡ଼ ଅଂଶ ଏହି ସନ୍ଧି ଅନୁସାରେ ସିନ୍ଧୁ ନଦୀ ଉପରେ ନିର୍ଭରଶୀଳ। ଏଣୁ ଜଳସନ୍ଧିକୁ ଭାରତ ସମାପ୍ତ କରିଦେଇଥିବାରୁ ଆର୍ଥିକ ରୂପେ ବୁଡୁଥିବା ପାକିସ୍ତାନକୁ ଚିନ୍ତା ଘାରିଲାଣି।

ଅପରେସନ ସିନ୍ଦୂର ପରେ ଭାରତ ଜଳ ସନ୍ଧି ସମାପ୍ତ ଘୋଷଣା କରିବା ପରଠାରୁ ପାକିସ୍ତାନ ଲଗାତାର ଭାରତକୁ ଧମକ୍ ଦେଇ ଆସୁଛି। ପାକିସ୍ତାନ ପ୍ୟୁପିଲସ୍ ପାର୍ଟି (ପିପିପି) ନେତା ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ ଯଦି ସିନ୍ଧୁ ନଦୀରେ ପାଣି ନ ବହିଲା ତେବେ ରକ୍ତ ବୋହିବ। ସେହିପରି ଶାହବାଜ ସରକାରଙ୍କ ପ୍ରତିରକ୍ଷା ମନ୍ଦ୍ରୀ ଖ୍ୱାଜା ଆସିଫ ମଧ୍ୟ ଚଳିତବର୍ଷ ଭାରତ ବିରୋଧରେ ବିଷ ଉଦଗାରୀ ଥିଲେ। ସେ କହିଥିଲେ ଏହି ପ୍ରସଙ୍ଗରେ ଆବଶ୍ୟକ ପଡିଲେ ପାକିସ୍ତାନ ସରକାର ଭାରତ ବିରୋଧରେ ଯୁଦ୍ଧ ମଧ୍ୟ କରିପାରନ୍ତି।