ନୂଆଦିଲ୍ଲୀ: ଭାରତର ଏଲପିଜି (LPG) ଆମଦାନୀ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚଳିତ ଜୁନ୍ ମାସରେ ଆମେରିକାରୁ ଭାରତର LPG ଆମଦାନୀ ସର୍ବକାଳୀନ ରେକର୍ଡ ସ୍ତରକୁ ଛୁଇଁବାକୁ ଯାଉଥିବା ବେଳେ ପାରମ୍ପରିକ ଯୋଗାଣକାରୀ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରୁ ଏହା ଯଥେଷ୍ଟ ହ୍ରାସ ପାଇଛି। Kpler ଡାଟାକୁ ନେଇ ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ଭାରତର ଏଲପିଜି ଆମଦାନୀରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ଆମେରିକାରୁ ପ୍ରାୟ ୬,୩୫,୦୦୦ ଟନ୍ LPG ଭାରତ ଆସିସାରିଛି। ଏହା ଭାରତର ମୋଟ ଆମଦାନୀର ପ୍ରାୟ ୬୫%।

ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ଆମେରିକା ଭାରତର ସବୁଠାରୁ ବଡ଼ ଏଲପିଜି ଯୋଗାଣକାରୀ ଦେଶ ଭାବରେ ନିଜର ସ୍ଥାନ ବଜାୟ ରଖିଛି। ପୂର୍ବରୁ ଭାରତକୁ ସବୁଠାରୁ ଅଧିକ ଗ୍ୟାସ୍ ପଠାଉଥିବା ୟୁଏଇରୁ ଜୁନ୍ ମାସରେ ଆମଦାନୀ ହ୍ରାସ ପାଇ ମାତ୍ର ୯୦,୦୦୦ ଟନରେ ପହଞ୍ଚିଛି। ଭାରତ ଭଳି ଏକ ବଡ଼ ବଜାର ହଠାତ୍ ପଶ୍ଚିମ ଏସିଆ ଛାଡ଼ି ଆମେରିକା ଆଡ଼କୁ ମୁହାଁଇବା ପଛରେ ମଧ୍ୟ କାରଣ ରହିଛି । ମଧ୍ୟପ୍ରାଚ୍ୟ ବା ପଶ୍ଚିମ ଏସିଆ ଅଞ୍ଚଳରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଏବଂ ସାମୁଦ୍ରିକ ପରିବହନ ମାର୍ଗରେ ସମସ୍ୟା ଯୋଗୁଁ ସେଠାରୁ ନିୟମିତ ଗ୍ୟାସ୍ ଆମଦାନୀ ବାଧାପ୍ରାପ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏହି ରୁଟ୍ ଦେଇ ଜାହାଜ ଚଳାଚଳ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି।

Also Read: ହର୍ମୁଜ ପାର ହେଲେ ଆଉ ୩ ଭାରତୀୟ ପତାକା ଥିବା ତୈଳ ଟ୍ୟାଙ୍କର, ରହିଛି ୮.୬ ଲକ୍ଷ ଟନରୁ ଅଧିକ Crude

ଘରୋଇ ବଜାରରେ ରନ୍ଧନ ଗ୍ୟାସର ଯୋଗାଣ ଯେପରି ଅଟକି ନଯାଏ, ସେଥିପାଇଁ ଭାରତର ତୈଳ ବିଶୋଧନାଗାର ଏବଂ କମ୍ପାନୀଗୁଡ଼ିକ କେବଳ ଗୋଟିଏ ଅଞ୍ଚଳ ଉପରେ ନିର୍ଭର ନକରି ଆମେରିକା ଭଳି ବିକଳ୍ପ ଦେଶରୁ ଏଲପିଜି ଆମଦାନୀ କରିବା ଆରମ୍ଭ କରିଛନ୍ତି। ଏହି ନୂଆ ଧାରାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଶ୍ୱ ସ୍ତରରେ ଦେଖାଦେଉଥିବା ସମସ୍ୟାର ସାମ୍ନା କରିବା ପାଇଁ ଭାରତ ନିଜର ବାଣିଜ୍ୟିକ ରଣନୀତି ବଦଳାଉଛି। ଆମେରିକାରୁ ଅଧିକ LPG ଆମଦାନୀ କରି ଭାରତ ନିଜ ଦେଶର ଶକ୍ତି ସୁରକ୍ଷା କୁ ସୁଦୃଢ଼ କରୁଛି ।