ନୂଆଦିଲ୍ଲୀ, ୦୪/୧୧ : ଭାରତ ବିଶ୍ଵରେ ସୁନାର ଦ୍ବିତୀୟ ବୃହତ୍ ଉପଭୋକ୍ତା। କିନ୍ତୁ ଦେଶରେ ସୁନାର ଉତ୍ପାଦନ କମ୍ । ଅଧିକାଂଶ ସୁନା ଆମଦାନି ହୋଇଥାଏ। ଗତବର୍ଷ ଭାରତ ୬୪୦ ଟନ୍ ସୁନା ଆମଦାନି କରିଥିଲା, ଯାହାର ମୂଲ୍ୟ ରେକର୍ଡ ୭୨.୪ ବିଲିୟନ ଡଲାର ଥିଲା। ଅଶୋଧିତ ତୈଳ ପରେ ସୁନା ଭାରତର ସବୁଠୁ ବୃହତ୍ ଆମଦାନି ବସ୍ତୁ ଭାବେ ଗଣାଯାଏ। ଏହା ଉପରେ ବଡ଼ ମାତ୍ରାରେ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋଇଥାଏ। ଏହାର ଆମଦାନିକୁ କମାଇବା ଲାଗି ସରକାର ସୁନା ଆମଦାନି ଶୁଳ୍କକୁ ୬%ରୁ ବଢ଼ାଇ ୧୫% କରିଦେଇଛନ୍ତି। ପ୍ରଭାବରେ ଦେଶରେ ସୁନାର ଚୋରାଚାଲାଣରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।

ବିଶ୍ଵ ସୁନା ପରିଷଦର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ଚଳିତ କ୍ୟାଲେଣ୍ଡର ବର୍ଷର ତୃତୀୟ ତ୍ରୟମାସରେ ଭାରତରେ ସୁନାର ଚୋରାଚାଲାଣ ୨୦୨୩ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ତସ୍କରୀ ମାଧ୍ୟମରେ ଦେଶକୁ ଆସିଥିବା ସୁନା ପରିମାଣରେ ୧୫୦୦% ବୃଦ୍ଧି ଘଟି ୫୦ ଟନରେ ପହଞ୍ଚିଛି। ବର୍ଷେ ତଳେ ଏହା ପାଖାପାଖି ୩ ଟନ ଥିଲା। ବିଶ୍ଵ ସୁନା ପରିଷଦର କନସଲଟାନ୍ସି ସଂସ୍ଥା ମେଟାଲ୍ସ ଫୋକସ୍ ତଥ୍ୟରୁ ଏହା ଜଣାପଡ଼ିଛି।

Also Read :- ବାଣ ମହଙ୍ଗା ହେଲେ କମିବ ପ୍ରଦୂଷଣ ! ଦର ବୃଦ୍ଧିକୁ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ରଙ୍କ ଯୁକ୍ତି

ପ୍ରକାଶଯୋଗ୍ୟ, ସୁନା ଉପରେ ଟିକସ ବଢ଼ିଲେ ଧାତୁର ଚୋରାଚାଲାଣ ବଢ଼ିଯାଏ । ସମ୍ପ୍ରତି ଏହା ଉପରେ ଆମଦାନି ଶୁଳ୍କ ୧୫%କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର, ଯାହାକି ପୂର୍ବରୁ ଥିଲା ୬% । ଉଚ୍ଚ ଆମଦାନି ଶୁଳ୍କ ଯୋଗୁ ଗହଣା ବ୍ୟବସାୟୀମାନେ ଚୋରା ବାଟ ଦେଇ ଦେଶକୁ ସୁନା ଆଣୁଛନ୍ତି। ଅକ୍ଟୋବରରେ ସୁନା ଦାମରେ ୬.୮% ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ଏହାର ଦାମ ୪,୦୦୦ ଡଲାରରୁ କମ୍ ସ୍ତରକୁ ଖସିଯାଇଛି। ଘରୋଇ ବଜାରରେ ମଧ୍ୟ ବଡ଼ ମାତ୍ରାରେ ତଳକୁ ଖସିଯାଇଛି ସୁନା ଦର। ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦର ଯଥାକ୍ରମେ ୧,୨୮,୦୦୦ ଟଙ୍କା ଏବଂ ୧,୩୯, ୬୪୦ ଟଙ୍କା ରହିଛି। ସେହିଭଳି କିଲୋଗ୍ରାମ ପିଛା ରୁପା ୨ ଲକ୍ଷ ଟଙ୍କା ରହିଛି।