ନୂଆଦିଲ୍ଲୀଭାରତୀୟ ସାମଗ୍ରୀ ଉପରେ ଆମେରିକା ୫୦ ପ୍ରିତଶତ ଶୁଳ୍କ ଲଗାଇବା ପରେ ଦେଶ ଏହାର ରପ୍ତାନୀରେ ବିବିଧତା ଆଣିବାରେ ସଫଳ ହୋଇଛି। ସବୁଠାରୁ ବଡ଼ କଥା ହେଲା ଚୀନକୁ ଭାରତର ରପ୍ତାନୀ ବଢ଼ିଛି। ଚଳିତ ବର୍ଷ ଚୀନକୁ ଭାରତର ରପ୍ତାନି ବୃଦ୍ଧି ପାଇଥିବା ବାଣିଜ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁଯାୟୀ, ଏପ୍ରିଲ-ନଭେମ୍ବର ୨୦୨୫ରେ ଚୀନକୁ ଭାରତର ରପ୍ତାନୀ ୩୨.୮୩% ବୃଦ୍ଧି ପାଇ ୧୨.୨୨ ବିଲିୟନ ଡଲାର ହୋଇଛି, ଯାହା ଗତ ବର୍ଷ ସମାନ ସମୟରେ ୯.୨୦ ବିଲିୟନ ଡଲାର ଥିଲା। ଏହି ବୃଦ୍ଧି ଭାରତର ଦୃଢ଼ ବାଣିଜ୍ୟ ଚାହିଦା ଏବଂ ଉନ୍ନତ ରପ୍ତାନି ପ୍ରଦର୍ଶନକୁ ସୂଚିତ କରୁଛି।

୨୦୨୫-୨୬ ଆର୍ଥିକ ବର୍ଷରେ ରପ୍ତାନି ଏପ୍ରିଲ ମାସରେ ୧.୩୯ ବିଲିୟନ ଡଲାରରୁ ଆରମ୍ଭ ହୋଇଥିଲା। ମେ ମାସରେ ଏହା ୧.୬୨ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ବର୍ଷର ମଧ୍ୟଭାଗରେ ଏହା ସାମାନ୍ୟ ହ୍ରାସ ପାଇଥିଲା,କିନ୍ତୁ ସେପ୍ଟେମ୍ବରରୁ ପୁଣି ବୃଦ୍ଧି ପାଇଥିଲା। ସେପ୍ଟେମ୍ବରରେ ଏହା ୧.୪୬ ବିଲିୟନ ଡଲାର,ଅକ୍ଟୋବରରେ ୧.୬୩ ବିଲିୟନ ଡଲାର ଏବଂ ନଭେମ୍ବରରେ ୨.୨୦ ବିଲିୟନ ଡଲାରରେ ପହଞ୍ଚିଥିଲା।

ତୁଳନାତ୍ମକ ଭାବରେଦେଖିଲେ୨୦୨୪-୨୫ରେ ରପ୍ତାନୀ ବହୁତ ମନ୍ଥର ଥିଲା। ଏପ୍ରିଲରେ ଏହା ୧.୨୫ବିଲିୟନ ଡଲାରରୁ ଆରମ୍ଭ ହୋଇ ଅଗଷ୍ଟରେ ୦.୯୯ବିଲିୟନ ଡଲାରକୁ ହ୍ରାସ ପାଇଥିଲା। ତା'ପରେ ନଭେମ୍ବରରେ ଏହା ସାମାନ୍ୟ ପୁନରୁଦ୍ଧାର ହୋଇ ୧.୧୬ବିଲିୟନ ଡଲାରକୁ ପହଞ୍ଚିଥିଲା।

ଶୁଳ୍କ ପରେ ବି ବଢ଼ିଲା ଆମେରିକାକୁ ରପ୍ତାନୀ

ଚୀନ୍ ବ୍ୟତୀତ, ଆମେରିକାକୁ ମଧ୍ୟ ରପ୍ତାନି ଦୃଢ଼ ରହିଛି। ନଭେମ୍ବରରେ ଆମେରିକାକୁ ରପ୍ତାନି ୨୧% ରୁ ଅଧିକ ବୃଦ୍ଧି ପାଇ ୬.୯୨ ବିଲିୟନ ଡଲାର ହୋଇଛି, ଯାହା ଗତ ବର୍ଷ ନଭେମ୍ବରରେ ୫.୭୧ ବିଲିୟନ ଡଲାର ଥିଲା। ତେବେ ଅକ୍ଟୋବରରେ, ଆମେରିକାକୁ ରପ୍ତାନି ୯% ହ୍ରାସ ପାଇ ୬.୩୧ ବିଲିୟନ ଡଲାର ହୋଇଛି। ଯାହା ବର୍ଷ ତଳେ ରପ୍ତାନୀ ୬.୯୧ ବିଲିୟନ ଡଲାର ଥିଲା।

ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ନଭେମ୍ବରରେ ମାର୍ଚାଣ୍ଡାଇଜ୍ ଟ୍ରେଡ୍ ଡେଫିସିଟ୍ ଅକ୍ଟୋବରରେ $୪୧.୬୮ ବିଲିୟନରୁ ହ୍ରାସ ପାଇ $୨୪.୫୩ ବିଲିୟନ ହୋଇଛି। ନଭେମ୍ବର ୨୦୨୫ରେ ସାମଗ୍ରୀ ଏବଂ ସେବା ସମେତ ମୋଟ ରପ୍ତାନୀ $୭୩.୯୯ ବିଲିୟନ ହୋଇଛି, ଯାହା ଗତ ବର୍ଷ ନଭେମ୍ବରରେ $୬୪.୦୫ ବିଲିୟନ ଥିଲା। ଆମଦାନୀ ସାମାନ୍ୟ ହ୍ରାସ ପାଇ $୮୦.୬୩ ବିଲିୟନ ହୋଇଛି, ଯାହା ପୂର୍ବ ବର୍ଷ $୮୧.୧୧ ବିଲିୟନ ଥିଲା। ଏଥିରେ ମୋଟ ବାଣିଜ୍ୟ ନିଅଣ୍ଟକୁ $୬.୬୪ ବିଲିୟନକୁ ହ୍ରାସ ପାଇଛି। ଯାହା ନଭେମ୍ବର ୨୦୨୪ ରେ $୧୭.୦୬ ବିଲିୟନ ଡଲାର ଥିଲା।