ମୁମ୍ବାଇ ୧୯।୩: ଭାରତୀୟ ସେୟାର ବଜାର ଗୁରୁବାର ବୈଶ୍ୱିକ ଉତ୍ତେଜନା ଓ ତୈଳ ମୂଲ୍ୟରେ ଅଚାନକ ବୃଦ୍ଧି ଯୋଗୁ ହ୍ରାସର ସମ୍ମୁଖୀନ ହୋଇଛି। ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ସଂଘର୍ଷ ଏବେ ପ୍ରମୁଖ ଏନାର୍ଜୀ ଇନଫ୍ରାଷ୍ଟ୍ରକ୍ରଚରକୁ ପ୍ରଭାବିତ କରିଛି। ଏଣୁ ନିଫ୍ଟି ଓ ସେନସେକ୍ସ ଭଳି ବେଞ୍ଚମାର୍କ ସୂଚକାଙ୍କ ହ୍ରାସର ସହ ବନ୍ଦ ହୋଇଛନ୍ତି। ଉଭୟ ସୂଚକାଙ୍କ ପାଖାପାଖି ୨ ବର୍ଷ ପରେ ଗୋଟିଏ ଦିନରେ ଏକସଙ୍ଗରେ ହ୍ରାସର ସମ୍ମୁଖୀନ ହୋଇଛନ୍ତି। ନିଫ୍ଟି ୭୭୫.୬୫ ପଏଣ୍ଟ ଅର୍ଥାତ ୩.୨୬%ହ୍ରାସ ହୋଇଥିବା ବେଳେ ୨୩,୦୦୨ରେ ବନ୍ଦ ହୋଇଛି। ସେହିପରି ସେନସେକ୍ସ ୨,୪୯୬.୮୯ ପଏଣ୍ଟ ଅର୍ଥାତ ୩.୨୬% ହ୍ରାସ ହୋଇ ୭୪,୨୦୭.୨୪ରେ ସ୍ଥିର ହୋଇଛି।

ଏହି ପରିସ୍ଥିତି ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅଶୋଧିତ ତୈଳ ଯୋଗାଣରେ ବାଧା ଭୟ ଦ୍ରୁତ ବଢିଥିଲା। ସାଉଦୀ ଆରବ ୟାନବୁ ବନ୍ଦରରେ ତୈଳ ଲୋଡିଂ ଅଟକାଇ ଦିଆଯାଇଥିବା ଜଣାପଡିବା ପରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ପାଖାପାଖି ୧୧% ବଢି ବ୍ୟାରଲ ପିଛା ୧୧୯.୫ ଡଲାରରେ ପହଞ୍ଚିଛି। ସେହିପରି ସେମରେକ ଫ୍ୟାସେଲିଟିକୁ ଡ୍ରୋନରେ ଟାର୍ଗେଟ୍ କରାଯାଇଥିବା ବେଳେ ଆରାମକୋ ଅୟେଲ ରିଫାଇନାରୀରେ ଲାଗିଥିବା ନିଆଁ ଅନିୟନ୍ତ୍ରିତ ହୋଇଛି। ଏଣୁ ଦିନରେ କାରବାର କାଳରେ ବଜାରରେ ଅସ୍ଥିରତା ବଢି ଯାଇଥିଲା।

କେବଳ ଭାରତ ନୁହେଁ ବିଶ୍ୱର ଅଧିକାଂଶ ବଜାରର ବେଞ୍ଚମାର୍କ ସୂଚକାଙ୍କ ଗୁରୁବାର କମଜୋର ରହିଛି। ଏଣୁ ମିଡକ୍ୟାପ ଓ ସ୍ମଲ କ୍ୟାପ ସେୟାର ମୂଲ୍ୟ ହ୍ରାସ ହୋଇଛି। ଏଣୁ ଉଭୟ ସୂଚକାଙ୍କରେ ୩% ହ୍ରାସ ହୋଇଛି। ଏଥିରେ ଅଟୋମୋବାଇଲ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଏହା ପଛକୁ ଆର୍ଥିକ ସେବା ଓ ଆଇଟି ସେୟାର ବିକ୍ରି ଆରମ୍ଭ ହୋଇଯାଇଛି। ଏହି ସେୟାରଗୁଡିକ ପ୍ରାୟତଃ ବୈଶ୍ୱିକ ଅନିଶ୍ଚିତତାରେ ଋଣାତ୍ମକ ପ୍ରଦର୍ଶନ କରିଥାନ୍ତି। ଏଥିରୁ ବୈଶ୍ୱିକ ଆର୍ଥିକସ୍ଥିତି ଗୁରୁତର ହେଉଥିବାର ସୂଚନା ମିଳିଛି।

ତେବେ ବିଶ୍ଲେଷକମାନେ କହିଛନ୍ତି ଯେ ବଜାରର ମୁଡ ଏବେ ସତର୍କ ରହିଛି। କାରଣ ନିବେଶକ ଏବେ ଭୂ-ରାଜନୈତିକ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର୍ଷ ଆହୁରି ବଢିବା ଓ ଏନର୍ଜୀ କ୍ଷେତ୍ରର ବ୍ୟୟ ସମ୍ଭାବିତ ଆର୍ଥିକ ପ୍ରଭାବକୁ ନେଇ ନିବେଶକ ଏବେ ଚିନ୍ତିତ ଅଛନ୍ତି।