ନୂଆଦିଲ୍ଲୀ: ଲେବାନନ୍‌ରେ ଜାତିସଂଘ (UN)ର ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ମେଜର ଅଭିଳାଷା ବରାକ ଏକ ବିରାଟ ସଫଳତା ହାସଲ କରିଛନ୍ତି। ତାଙ୍କୁ ଜାତିସଂଘର ପ୍ରତିଷ୍ଠିତ ‘୨୦୨୫ ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର ଆୱାର୍ଡ’ (Military Gender Advocate of the Year Award) ପାଇଁ ମନୋନୀତ କରାଯାଇଛି।

ମେଜର ଅଭିଳାଷା ବର୍ତ୍ତମାନ ଲେବାନନ୍‌ରେ ଜାତିସଂଘର ଅନ୍ତରୀଣ ସେନା (UNIFIL) ରେ ଭାରତୀୟ ବାଟାଲିୟନର ‘ଫିମେଲ୍ ଏନଗେଜମେଣ୍ଟ ଟିମ୍’ (FET) ର କମାଣ୍ଡର ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହାସହ ସେ ଭାରତୀୟ ସେନାର ପ୍ରଥମ ମହିଳା କମ୍ବାଟ୍ ହେଲିକପ୍ଟର ପାଇଲଟ୍ (Combat Helicopter Pilot) ହେବାର ଗୌରବ ମଧ୍ୟ ଅର୍ଜନ କରିସାରିଛନ୍ତି।

କାହିଁକି ମିଳିଲା ଏହି ସମ୍ମାନ ?
ଜାତିସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପଶ୍ଚିମ ଏସୀୟ ଦେଶ ଲେବାନନ୍‌ରେ ମୁତୟନ ଥିବା ସମୟରେ ମହିଳା ଏବଂ କିଶୋରୀମାନଙ୍କ ବିକାଶ ତଥା ସୁରକ୍ଷା ପାଇଁ ସେ କରିଥିବା ଉଲ୍ଲେଖନୀୟ ଜନସମ୍ପର୍କ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଗୌରବମୟ ସଫଳତା ସମ୍ପର୍କରେ ସୂଚନା ଦେଇ ଜାତିସଂଘରେ ଥିବା ଭାରତର ସ୍ଥାୟୀ ମିଶନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଲେଖିଛି, ‘ଆମେ ଗର୍ବର ସହ ସୂଚନା ଦେଉଛୁ ଯେ, ମେଜର ଅଭିଳାଷା ବରାକଙ୍କୁ ୨୦୨୫ ଜାତିସଂଘ ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର ଆୱାର୍ଡରେ ସମ୍ମାନିତ କରାଯାଇଛି। ସ୍ଥାନୀୟ ମହିଳା ଓ କିଶୋରୀମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା, ସେମାନଙ୍କ ସହ ସମ୍ପର୍କ ବୃଦ୍ଧି କରିବା ଏବଂ ଶାନ୍ତିରକ୍ଷା ବାହିନୀର ସଦସ୍ୟମାନଙ୍କୁ ଲିଙ୍ଗଗତ ସମ୍ବେଦନଶୀଳତା (gender sensitisation) ଉପରେ ପ୍ରଶିକ୍ଷଣ ଦେବାରେ ତାଙ୍କର ପ୍ରଶଂସନୀୟ ଭୂମିକା ପାଇଁ ଏହି ପୁରସ୍କାର ମିଳିଛି।’

ପୂର୍ବରୁ ଭାରତୀୟ ସେନାର ପ୍ରଥମ ମହିଳା ଯୁଦ୍ଧ ହେଲିକପ୍ଟର ଚାଳକ ଭାବେ ସଫାଳତା ହାସଲ କରିଛନ୍ତି ଅଭିଳାଷା । ବର୍ତ୍ତମାନ ସେ ଲେବାନନ୍‌ରେ UNIFIL ଅଧୀନରେ ଭାରତୀୟ ମହିଳା ସହଭାଗିତା ଦଳର ନେତୃତ୍ୱ ନେଉଛନ୍ତି। ମହିଳାମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ମେଜର ଅଭିଳାଷାଙ୍କର ଏହି ବିଶ୍ୱସ୍ତରୀୟ ସଫଳତା କେବଳ ଭାରତୀୟ ସେନା ନୁହେଁ, ବରଂ ସମଗ୍ର ଭାରତବର୍ଷ ଏବଂ ବିଶେଷ କରି ମହିଳା ସମାଜ ପାଇଁ ଏକ ବଡ଼ ଗର୍ବ ଓ ଗୌରବର ବିଷୟ ।