ୱାଶିଂଟନ୍: ଆମେରିକାର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା FBIର 'ମୋଷ୍ଟ ୱାଣ୍ଟେଡ୍' ତାଲିକାରେ ଜଣେ ଭାରତୀୟ ନାଗରିକଙ୍କ ନାମ ସାମିଲ ହୋଇଛି। ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ନେଟୱର୍କ ସହ ଜଡ଼ିତ ଥିବା ଅଭିଯୋଗରେ ହରମନବୀର ସିଂହ ନାମକ ଜଣେ ଭାରତୀୟଙ୍କୁ FBI ଫେରାର୍ ଘୋଷଣା କରିବା ସହ ତାଙ୍କ ଫଟୋ ଓ ପରିଚୟ ଜାରି କରିଛି। ତାଙ୍କ ବିଷୟରେ କେହି ଜାଣିଥିଲେ ସୂଚନା ଦେବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

FBIର ସୂଚନା ଅନୁସାରେ, ହରମନବୀର ସିଂହଙ୍କ ଜନ୍ମ ୨୬ ସେପ୍ଟେମ୍ବର ୧୯୯୪ରେ ଭାରତରେ ହୋଇଥିଲା। ସେ ବର୍ତ୍ତମାନ ଆମେରିକୀୟ ଏଜେନ୍ସିଗୁଡ଼ିକ ଆଖିରେ ଧୂଳି ଦେଇ ଫେରାର୍ ଅଛନ୍ତି। ସେ 'ହରି ଗୌତମ' ଏବଂ 'ହରମନ ସିନ୍ଧୁ' ଭଳି କେତେକ ନକଲି ନାଁ ବ୍ୟବହାର କରୁଥିବା ତଦନ୍ତରୁ ଜଣାପଡ଼ିଛି।

FBI ଏବଂ ଆମେରିକା ନ୍ୟାୟ ବିଭାଗ (DoJ)ର ଦସ୍ତାବିଜ୍ ଅନୁସାରେ, ହରମନବୀରଙ୍କ ବିରୋଧରେ କିଛି ଗୁରୁତର ଫେଡେରାଲ୍ ଅପରାଧିକ ମାମଲା ରୁଜୁ ହୋଇଛି। ସେ ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗ୍ ସହ ଜଡ଼ିତ, ଯାହା ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମଧ୍ୟରେ ବିପୁଳ ପରିମାଣର କୋକେନ୍ ଏବଂ ମେଥାମଫେଟାମାଇନ୍ ଚୋରାଚାଲାଣ କରୁଥିଲା। ଏହି ନେଟୱର୍କ ବିଭିନ୍ନ ଡ୍ରଗ୍ ସିଣ୍ଡିକେଟ୍କୁ ବେଆଇନ ମାଦକ ଦ୍ରବ୍ୟ ଯୋଗାଉଥିଲା।

୨୩ ଜୁନ୍ ୨୦୨୬ରେ ଆମେରିକାର କାଲିଫୋର୍ଣ୍ଣିଆ ସ୍ଥିତ ଫେଡେରାଲ୍ କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିବା ପରେ FBI ତାଙ୍କୁ 'ମୋଷ୍ଟ ୱାଣ୍ଟେଡ୍' ତାଲିକାରେ ସାମିଲ କରିଛି।

ତଦନ୍ତକାରୀ ସଂସ୍ଥା ଅନୁସାରେ, ହରମନବୀରଙ୍କ ସମ୍ପର୍କ *ରବିନ୍ଦର ଢାଣ୍ଡା ଅର୍ଗାନାଇଜ୍ଡ୍ କ୍ରାଇମ୍ ଗ୍ରୁପ୍ ସହ ରହିଛି। ଏହି ଗ୍ୟାଙ୍ଗ୍ କାନାଡ଼ାର ଭାଙ୍କୁଭରରୁ ଚାଲୁଥିଲା। ଅନ୍ତର୍ଜାତୀୟ ସ୍ତରରେ ଡ୍ରଗ୍ସ କାରବାର ନିୟନ୍ତ୍ରଣ କରୁଥିଲା। ଏହି ଗ୍ୟାଙ୍ଗର ତଦନ୍ତ ସମୟରେ ହରମନବୀରଙ୍କ ନାମ ସାମ୍ନାକୁ ଆସିଥିଲା। ଜୁଲାଇ ୨୦୨୬ରେ ଆମେରିକା, କାନାଡ଼ା ଏବଂ ୟୁରୋପର ସୁରକ୍ଷା ଏଜେନ୍ସିଗୁଡ଼ିକ ମିଳିତ ଭାବେ ଏହି ଡ୍ରଗ୍ସ ନେଟୱର୍କ ବିରୋଧରେ ଏକ ବଡ଼ ଅପରେସନ୍ ଚଲାଇଥିଲେ।

ଚଢ଼ଉ ସମୟରେ ବିଭିନ୍ନ ଦେଶରୁ ମୋଟ ୨୪ ଜଣଙ୍କୁ ଗିରଫ କରାଯାଇଥିଲା। ହରମନବୀରଙ୍କ ସମେତ କିଛି ଅଭିଯୁକ୍ତ ଗିରଫଦାରୀରୁ ବଞ୍ଚି ଫେରାର୍ ହୋଇଯାଇଥିଲେ। ଆମେରିକୀୟ ଆଇନ ଅନୁସାରେ, ଅଦାଲତରେ ବିଚାର ପ୍ରକ୍ରିୟା ଶେଷ ହୋଇ ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ହରମନବୀରଙ୍କୁ ଆଇନଗତ ଭାବେ ଅଭିଯୁକ୍ତ ବୋଲି ଧରାଯିବ। ବର୍ତ୍ତମାନ ସେ FBIର ଜଣେ ଗୁରୁତର ୱାଣ୍ଟେଡ୍ ଅଭିଯୁକ୍ତ ଭାବେ ତାଲିକାଭୁକ୍ତ ହୋଇଛନ୍ତି।