ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ଲଣ୍ଡନର ପ୍ରସିଦ୍ଧ 'ଲର୍ଡସ' (Lord's) ମୈଦାନରେ ଐତିହାସିକ ସଫଳତା ହାସଲ କରିଛି। ଏକ ରୋମାଞ୍ଚକର ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳକୁ ପରାସ୍ତ କରି ଭାରତୀୟ ମହିଳା ଟିମ୍ ଲର୍ଡସରେ ନିଜର ପ୍ରଥମ ଟେଷ୍ଟ ବିଜୟ ପାଇଛି । ଏହି ସ୍ମରଣୀୟ ବିଜୟ ସହ ଭାରତୀୟ ମହିଳା କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପ୍ରଥମ ଥର ପାଇଁ ଲର୍ଡସରେ ମହିଳା ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ଆଉ ଏହି ମ୍ୟାଚରେ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ

ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିଥିଲେ। ଉଭୟ ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ଦଳ ସନ୍ତୁଳିତ ପ୍ରଦର୍ଶନ କରିଥିଲା। ପ୍ରଥମ ଇନିଂସରୁ ହିଁ ଭାରତୀୟ ବ୍ୟାଟର ଧୈର୍ଯ୍ୟର ସହ ଖେଳି ଏକ ବଡ଼ ସ୍କୋର ଛିଡ଼ା କରିଥିଲେ। ଦଳର ଅଭିଜ୍ଞ ତଥା ଯୁବ ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଏହା ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା।

ପ୍ରଥମ ଇନିଂସରେ ଭାରତୀୟ ଦଳ ୨୮୫ ରନ୍ କରିଥିଲା । ଏହା ଜବାବରେ ଇଂଲଣ୍ଡ ଟିମ ନିଜର ପ୍ରଥମ ଇନିଂସରେ ମାତ୍ର ୧୭୦ ରନ୍ କରିପାରିଥିଲା । ଦ୍ବିତୀୟ ଇନିଂସରେ ଭାରତୀୟ ଟିମ୍ ଯସ୍ତିକା ଭାଟିଆଙ୍କ ଶତକ ଏବଂ ସ୍ମୃତି ମନ୍ଧାନା ଓ ରିଚା ଘୋଷଙ୍କ ଦମଦାର ଅର୍ଦ୍ଧଶତକ ବଳରେ ମୋଟ ୩୪୧ ରନ୍ କରିଥିଲା । ଯସ୍ତିକା ଭାଟିଆ ପ୍ରଥମ ମହିଳା କ୍ରିକେଟର ଭାବରେ ଲର୍ଡସରେ ଶତକ ହାସଲ କରି ରେକର୍ଡ କରିଛନ୍ତି । ପ୍ରଥମ ଇନିଂସରେ ଭାରତ ୧୭୧ ରନରେ ଅଗ୍ରଣୀ ହାସଲ କରିଥିଲା। ଏହା ପରେ  ଇଂଲଣ୍ଡ ଦଳ ଭାରତୀୟ ବୋଲରଙ୍କ ସାମ୍ନାରେ ଆତ୍ମସପର୍ପଣ କରି କେବଳ ୧୮୬ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତୀୟ ଟିମ୍ ୨୭୦ ରନର ଐତିହାସିକ ବିଜୟ ହାସଲ କରିଛି ।

ବ୍ୟାଟିଂ ପରେ ଭାରତୀୟ ବୋଲରମାନେ ନିଜର ଜଲୱା ଦେଖାଇଥିଲେ। ବିଶେଷ କରି ସ୍ପିନର ଏବଂ ପେସରମାନଙ୍କ ଲାଇନ୍ ଆଣ୍ଡ ଲେନ୍ଥ ଆଗରେ ଇଂଲଣ୍ଡର ଷ୍ଟାର୍ ବ୍ୟାଟର ଆତ୍ମସମର୍ପଣ କରିଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଇଂଲଣ୍ଡ ଦଳ ଅଲଆଉଟ ହୋଇଯାଇଥିଲା ।

କ୍ରିକେଟ ଜଗତରେ ଲର୍ଡସ ମୈଦାନରେ ମ୍ୟାଚ୍ ଜିତିବା ପ୍ରତ୍ୟେକ ଦଳ ପାଇଁ ଏକ ସ୍ୱପ୍ନ । ପୂର୍ବରୁ ଭାରତୀୟ ପୁରୁଷ ଦଳ ଏହି ମୈଦାନରେ ଅନେକ ଐତିହାସିକ ମ୍ୟାଚ୍ ଜିତିଥିବା ବେଳେ, ମହିଳା ଦଳ ପାଇଁ ଏହା ଥିଲା ପ୍ରଥମ ସୁଯୋଗ। ଏହି ବିଜୟ ସାରା ବିଶ୍ୱରେ ଭାରତୀୟ ମହିଳା କ୍ରିକେଟର ବଢୁଥିବା ଦକ୍ଷତା ଓ ସାମର୍ଥ୍ୟକୁ ପ୍ରମାଣିତ କରିଛି।

ଭାରତୀୟ ମହିଳା ଦଳର ଏହି ସଫଳତା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ କ୍ରିକେଟ ପ୍ରେମୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳାଳିମାନଙ୍କର ଏହି କଠିନ ପରିଶ୍ରମ ଓ ସଂଘର୍ଷପୂର୍ଣ୍ଣ ବିଜୟ ଆଗାମୀ ପିଢ଼ିର ମହିଳା କ୍ରିକେଟରମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିବ।