ଧର୍ମଶାଳା: ଭାରତୀୟ ବୋଲରଙ୍କ ଘାତକ ବୋଲିଂ। ଧର୍ମଶାଳାରେ ଖେଳା ଯାଉଥିବା ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧୭ ରନ କରି ପାରିଛି। ଅଧିନାୟକ ଆଡନ ମାର୍କରାମଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ମାର୍କରାମଙ୍କ ୬୧ ରନ ବଳରେ ଭ୍ରମଣକାରୀ ଦଳ ଏହି ସ୍କୋରରେ ପହଞ୍ଚି ପାରିଛି। ଭାରତ ସାମ୍ନାରେ ରହିଛି ୧୧୮ ରନର ବିଜୟ ଲକ୍ଷ୍ୟ।ଭାରତ ପକ୍ଷରୁ ସମସ୍ତ ବୋଲରଙ୍କୁ ଓ୍ଵିକେଟ୍ ମିଳିଛି।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳକୁ ପ୍ରଥମ ଓଭରରେ ଝଟକା ଦେଇଥିଲେ ଅର୍ଶଦୀପ ସିଂ। ରିଜା ହେଣ୍ଡ୍ରିକ୍ସ ଖାତା ଖୋଲି ପାରି ନ ଥିଲେ। ପୁଣି କ୍ଵିଣ୍ଟନ ଡିକକ(୧) ପାଭିଲିୟନ ଫେରିଥିଲେ। ୭ ରନ ସ୍କୋରରେ ଡିଓ୍ଵାର୍ଲ୍ଡ ବ୍ରେଭିସ(୨) ହର୍ଷିତ ରାଣାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଗୋଟିଏ ପଟେ ଅଧିନାୟକ ଆଡନ ମାର୍କରାମ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲେ।

ଟ୍ରିଷ୍ଟନ ଷ୍ଟବ୍ସ ୯ ରନ, କୋର୍ବିନ ବୋଶ ୪ ରନ କରି ନିରାଶ କରିଥିଲେ। ଡୋନଭାନ ଫେରେରା ୨୦ ରନ କରିବା ସହ ଦୁଇ ଅଙ୍କ ଛୁଇଁ ପାରି ଥିଲେ। ମାର୍କୋ ଜନସେନ ୨ ରନ ଏବଂ ଓଟନିଲ ବାର୍ଟମ୍ୟାନ ୧ ରନ କରି ପାଭିଲିୟନ ଫେରିଥିଲେ। ଅଦିନାୟକ ଆଡନ ମାରକ୍ରମ ୪୬ ବଲରୁ ୬୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥିରେ ୬ ଚୌକା ଓ ୨ ଛକା ସାମିଲ୍। ଶେଷରେ ଭ୍ରମଣକାରୀ ଦଳ ୧୧୭ ରନ କରି ପାରିଛି।

​​​​​​​ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୪ ଓଭରରେ ମାତ୍ର ୧୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ବରୁଣ  ଚକ୍ରବର୍ତ୍ତୀ ୧୧ ରନ ଦେଇ ୨ଟି, କୁଲଦୀପ ଯାଦବ ୧୨ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହର୍ଷିତ ରାଣା ୩୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ହାର୍ଦ୍ଦିକ ଓ ଦୁବେ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।