ହରାରେ: ହରାରେରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଜିମ୍ବାବ୍ୱେକୁ ପରାସ୍ତ କରି ଭାରତୀୟ କ୍ରିକେଟ୍ ଦଳ ବିଜୟର ହ୍ୟାଟ୍ରିକ୍ ହାସଲ କରିବା ସହ ସିରିଜ୍କୁ କ୍ଲିନ୍ ସ୍ୱିପ୍ କରିଛି। ପୂର୍ବରୁ ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ୍ ହରାଇବା ପରେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଦମଦାର ପ୍ରତ୍ୟାବର୍ତ୍ତନ ସାବ୍ୟସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବୈଭବ ସୂର୍ଯ୍ୟବଂଶୀଙ୍କ ୮୧ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। ଜବାବରେ ଘରୋଇ ଜିମ୍ବାଓ୍ଵେ ଓ୍ଵିକେଟ୍ ବିନିମୟରେ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର ଦ ସିରିଜ୍ ବିବେଚିତ ହେବା ସହ ଆଜିର ମ୍ୟାଚ୍ ପାଇଁ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପାଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଆରମ୍ଭ ଭଲ ନଥିଲା ଏବଂ ଅଭିଷେକ ଶର୍ମା (୨) ଦ୍ୱିତୀୟ ଓଭରରେ ଆଉଟ୍ ହୋଇଥିଲେ। ଏହାପରେ ଇଶାନ କିଷାନ (୨୯) ଏବଂ ବୈଭବ ସୂର୍ଯ୍ୟବଂଶୀ ଦ୍ୱିତୀୟ ୱିକେଟ୍ ପାଇଁ ୭୫ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ଗଢ଼ିଥିଲେ। ବୈଭବ ମାତ୍ର ୪୯ ବଲରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୮୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଅଧିନାୟକ ଶ୍ରେୟସ ଆୟର (୨୭) ଓ ରିଙ୍କୁ ସିଂ (୨୫)ଙ୍କ ଦ୍ରୁତ ବ୍ୟାଟିଂ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୨ ରନର ବିଶାଳ ସ୍କୋର କରିଥିଲା।

Also Read: IPL: ୧୦ କୋଟି ଟଙ୍କା ଏବଂ ଦୁବେ-ବ୍ରେଭିସ୍; ସିଏସକେ ଅଫରରେ ରାଜି ହେଉନି ମୁମ୍ବାଇ ଇଣ୍ଡିଆନ୍ସ !

୧୯୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପିଛା କରିଥିବା ଜିମ୍ବାବ୍ୱେ ଦଳ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବ୍ରାଏନ୍ ବେନେଟ୍ ଖାତା ଖୋଲିବା ଆଗରୁ ପେଭିଲିୟନ୍ ଫେରିଥିବା ବେଳେ ୟଶ ଠାକୁର ଗୋଟିଏ ଓଭରରେ ଡିଓନ୍ ମେୟର୍ସ (୧୯) ଏବଂ ଅଧିନାୟକ ସିକନ୍ଦର ରଜା (୦)ଙ୍କୁ ଆଉଟ୍ କରି ଜିମ୍ବାଓ୍ଵେକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଜିମ୍ବାଓ୍ଵେ ପକ୍ଷରୁ ରାୟନ୍ ବର୍ଲ ଅପରାଜିତ ୫୪ ରନର ଲଢୁଆ ଇନିଂସ ଖେଳିବା ସହ ୱେସ୍ଲି ମଧେଭେରେ (୨୮)ଙ୍କ ସହ ମିଶି ୬୦ ରନ୍ ଯୋଡ଼ିଥିଲେ ହେଁ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ତାହା ଯଥେଷ୍ଟ ହୋଇନଥିଲା। ମୟଙ୍କ ଯାଦବ ୩ଟି ୱିକେଟ୍ ନେଇ ଜିମ୍ବାବ୍ୱେର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଜିମ୍ବାବ୍ୱେ ଦଳ ୭ ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା, ଯାହା ଫଳରେ ଭାରତ ଏହି ମ୍ୟାଚ୍କୁ ଦମଦାର ଭାବେ ଜିତି ସିରିଜ୍ ନିଜ ନାମରେ କରିଛି।