ନୂଆଦିଲ୍ଲୀ, ୦୨ /୧୨: ବ୍ୟାଟରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଦିନିକିଆରେ ସେ ଜବରଦସ୍ତ ଶତକ ହାସଲ କରିଥିଲେ । ୧୩୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ସେ । ତାଙ୍କ ବ୍ୟାଟରୁ ବାହାରିଥିଲା ୧୧ ଚଉକା ଏବଂ ୭ ଛକା । ତେବେ ମୁକାବିଲା ପରେ ବିରାଟଙ୍କୁ ନେଇ ବଡ କଥା କହିଛନ୍ତି ଦକ୍ଷିଣ ଆପ୍ରିକାର ପୂର୍ବତନ ବୋଲର ଡେଲ୍ ଷ୍ଟେନ୍ । ସେ ରନ୍ ମେସିନଙ୍କ ପ୍ରଦର୍ଶନର ସିକ୍ରେଟ୍ ଖୋଲିଛନ୍ତି ।

ଷ୍ଟେନ୍ କହିଛନ୍ତି ଯେ, ମ୍ୟାଚ୍ ପରେ ସେ ରାତ୍ରଭୋଜନ ବେଳେ ବିରାଟଙ୍କୁ ଭେଟିଥିଲେ । ଗୋଟିଏ ଫର୍ମାଟରେ ଖେଳିବା ବାବଦରେ ସେ ବିରାଟଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ବିରାଟ ଏବେ ଲଣ୍ଡନରେ ରହୁଥିବା ପ୍ରକାଶ କରିଥିଲେ । ଷ୍ଟେନ୍ ଆହୁରି କହିଛନ୍ତି ଯେ, ବିରାଟଙ୍କୁ ଲଣ୍ଡନରେ ପ୍ରାକ୍ଟିସ୍ ପାଇଁ ସମସ୍ତ ସୁବିଧା ମିଳୁଛି । ବିଶ୍ୱସ୍ତରୀୟ ଗ୍ରାଉଣ୍ଡରେ ସେ ଅଭ୍ୟାସ କରୁଛନ୍ତି । ତାଙ୍କ ପାଇଁ ଲର୍ଡସରେ ନିହାତି ଭଲ ବ୍ୟବସ୍ଥା ହୋଇଥିବ । ପର୍ସନାଲ ଟ୍ରେନର ତାଙ୍କର ସଠିକ୍ ତଦାରଖ କରୁଛନ୍ତି । ସଦାବେଳେ ବିରାଟ ଖେଳିବା ପାଇଁ ପ୍ରସ୍ତୁତ ଥାଆନ୍ତି ।

ଷ୍ଟେନ୍ ଆହୁରି କହିଛନ୍ତି ଯେ, ମ୍ୟାଚ୍ ଉପରେ ବିରାଟଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ସେ କ୍ରିକେଟକୁ ଭଲ ଭାବେ ଜାଣିଛନ୍ତି । ଯେତେବେଳେ ସେ ଦଳରେ ସାମିଲ ହୋଇଥିଲେ ନିଜର ପ୍ରତିବଦ୍ଧତା ପ୍ରଦାନ କରିଥିଲେ । ଯାହା ତାଙ୍କ ଖେଳରେ ସ୍ପଷ୍ଟ ଭାବେ ଜଣାପଡୁଥିବା ଷ୍ଟେନ୍ କହିଛନ୍ତି ।

ମୁକାବିଲା ପରେ ବିରାଟ କହିଥିଲେ ଯେ, ସେ ଅଧିକରୁ ଅଧିକ ଅଭ୍ୟାସରେ ବିଶ୍ୱାସ କରନ୍ତି ନାହିଁ । ସେ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି । ପ୍ରତିଦିନ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ଚେଷ୍ଟା କରୁଛନ୍ତି । କେମିତି ଭଲ ବ୍ୟାଟିଂ କରିବେ ସେ ଦିଗରେ ଧ୍ୟାନ ଦେଉଥିବା ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ବିସିସିଆଇ କୋହଲିଙ୍କୁ ଅଧିକରୁ ଅଧିକ ଘରୋଇ କ୍ରିକେଟ୍ ଖେଳିବାକୁ କହିଥିଲା । କିନ୍ତୁ ସେ ଖେଳିବା ପାଇଁ କୌଣସି ଆଗ୍ରହ ଦେଖାଇନଥିଲେ । ତଥାପି ବିରାଟ ରାଞ୍ଚିରେ ଦମଦାର ପ୍ରଦର୍ଶନ କରି ସମାଲୋଚକ ତଥା ବିସିସିଆଇର କିଛି ଅଧିକାରୀଙ୍କୁ କଡା ଜବାବ ଦେଇଥିଲେ ।