ନୂଆଦିଲ୍ଲୀ: ସଂପ୍ରତି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳା ଯାଉଛି। ଏହି ସିରିଜ୍ ପରେ ଭାରତ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତ କରିବ। ତେବେ ଆହତ କାରଣରୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲି। ଦଳ ଘୋଷଣା ସମୟରେ ଦୁଇ ଖେଳାଳିଙ୍କ ନାଁ ଦଳରେ ସାମିଲ୍ ଥିଲା। ହେଲେ ଆହତ କାରଣରୁ ଉଭୟ ଖେଳି ପାରି ନାହାନ୍ତି।

ଆଗକୁ ଅଛି ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତ

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଶେଷ ହେବା ପରେ ଭାରତୀୟ ଦଳ ଆୟରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ଯିବ, ଯେଉଁଠାରେ ଟି-୨୦ ସିରିଜ୍ ଖେଳାଯିବ। ଏହି ଦୁଇଟି ଯାକ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ସରିଛି। ଆୟରଲାଣ୍ଡ ଗସ୍ତ ଜୁନ ୨୬ ରୁ ୨୮ ମଧ୍ୟରେ ୨ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଜୁଲାଇ ୧ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ।

କେବେ ହେବ ଇଂଲଣ୍ଡ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା ?

ଇଂଲଣ୍ଡ ଗସ୍ତରେ ଟି-୨୦ ସିରିଜ୍ ପରେ ଭାରତୀୟ ଦଳ ଦିନିକିଆ ସିରିଜ୍ ମଧ୍ୟ ଖେଳିବ। ଏହି ଦିନିକିଆ ସିରିଜ୍ ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହ ମଧ୍ୟରେ ହିଁ ବିସିସିଆଇ ଇଂଲଣ୍ଡ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିପାରେ। ତେବେ ଏହାକୁ ନେଇ ବୋର୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ବିରାଟ ଫିଟ୍, ହାର୍ଦ୍ଦିକଙ୍କୁ ନେଇ ବଢ଼ିଲା ଚିନ୍ତା !

ଏହି ସିରିଜ୍ ପୂର୍ବରୁ ଦଳର ଦୁଇ ପ୍ରମୁଖ ସଦସ୍ୟ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ବେଳକୁ ବିରାଟ କୋହଲି ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଯିବେ ଏବଂ ସେ ମଇଦାନକୁ ଫେରିବେ। କିନ୍ତୁ ତାଙ୍କ ଫିଟନେସ୍ ଉପରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ଆସିବା ବାକି ଅଛି।

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍କୁ ନେଇ ସସପେନ୍ସ ଜାରି ରହିଛି। ସୂଚନା ଅନୁସାରେ, ହାର୍ଦ୍ଦିକ ଏବେ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଟିମ୍ ମ୍ୟାନେଜମେଣ୍ଟ ଆଗାମୀ ୨୦୨୭ ଦିନିକିଆ ବିଶ୍ଵକପକୁ ଦୃଷ୍ଟିରେ ରଖି ହାର୍ଦ୍ଦିକଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବାକୁ ଚେଷ୍ଟା କରୁଛି।