ନୂଆଦିଲ୍ଲୀ: ଭାରତ ଶୁକ୍ରବାର ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକାର ବିଧିବଦ୍ଧ ଭାବେ ସଦସ୍ୟ ହୋଇଛି । ବୈଶ୍ୱିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଓ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ଓ ଅଣ-ସହଯୋଗୀ ଦେଶଙ୍କ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ଗତ ବର୍ଷ ଆମେରିକା ଏହି ରଣନୈତିକ ମେଣ୍ଟ ଗଠନ କରିଥିଲା । ଏହା ବିରଳ ଖଣିଜ ଉତ୍ପାଦନ ଓ ଗ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୁତ କରିବ ।

ଭାରତ ଏବଂ ଆମେରିକା ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ଆମେରିକାର ଅର୍ଥନୈତିକ ବ୍ୟାପାର ଉପ ସଚିବ, ଜ୍ୟାକବ ହେଲବର୍ଗ କହିଛନ୍ତି ଯେ ଏହା କେବଳ କାଗଜପତ୍ରରେ ଏକ ଚୁକ୍ତି ନୁହେଁ ବରଂ ଏକ ସହଭାଗୀ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ । ସେ ଆହୁରି କହିଛନ୍ତି ଯେ, ଆଜି ଯେତେବେଳେ ଆମେ ପାକ୍ସ ସିଲିକା ଘୋଷଣାପତ୍ରରେ ସ୍ୱାକ୍ଷର କରୁଛୁ, ଆମେ ଅସ୍ତ୍ର ନିର୍ଭରଶୀଳତା ଏବଂ ବ୍ଲାକମେଲ୍ କୁ ନା କହୁଛୁ । ଆମେ ଘୋଷଣା କରୁଛୁ ଯେ ଅର୍ଥନୈତିକ ସୁରକ୍ଷା ହେଉଛି ଜାତୀୟ ସୁରକ୍ଷା ।

ସେ କହିଛନ୍ତି ଯେ ଭାରତ ଏବଂ ଆମେରିକା ମିଳିତ ଭାବରେ ଏକ ଏପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଯାହା ଏଆଇ ନବସୃଜନକୁ ପ୍ରୋତ୍ସାହିତ କରେ । ଆମେ ଏପରି ଏକ ଯୋଗାଣ ଶୃଙ୍ଖଳ କରୁଛୁ ଯାହା ସମୃଦ୍ଧିର ଏକ ଦୃଢ଼ ଭିତ୍ତିଭୂମି ହେବ । ଆମେ ଏକ ନୂଆ ଇକୋସିଷ୍ଟମ ସୃଷ୍ଟି କରୁଛୁ ଯାହା ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବ ଓ ଏଆଇର ଅପାର ଶକ୍ତିକୁ ସାଧାରଣ ଲୋକଙ୍କ ହାତରେ ପହଞ୍ଚାଇବ ।

ସେମିକଣ୍ଡକ୍ଟର ସିଷ୍ଟମ ପାଇଁ ପାକ୍ସ ସିଲିକା ଆବଶ୍ୟକ: ଅଶ୍ୱିନୀ ବୈଷ୍ଣବ

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱ ଭାରତକୁ ବିଶ୍ୱାସ କରେ । ଆମ ପାଖରେ ଅପାର ପ୍ରତିଭା ଅଛି । ଆମେ ଆମର ବୈଦେଶିକ ନୀତିରେ ଏପରି ଭାବରେ କାମ କରିଛୁ ଯେ ସାରା ବିଶ୍ୱ ଆମକୁ ବିଶ୍ୱାସ କରେ । ଏହି କାରଣରୁ ଆଜି ପାକ୍ସ ସିଲିକା ଘୋଷଣାନାମା ସ୍ୱାକ୍ଷରିତ ହୋଇଛି । ଏହା ଆମ ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ସ୍ଥାପନ କରିବା ପାଇଁ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା, ସେମିକଣ୍ଡକ୍ଟର ଉତ୍ପାଦନ, ଚିପ୍ସ ଡିଜାଇନ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସେ ଆହୁରି କହିଛନ୍ତି ଯେ ଏହା ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଶିଳ୍ପକୁ ଲାଭ ପହଞ୍ଚାଇବ । ଭାରତରେ ଦଶଟି ପ୍ଲାଣ୍ଟ ପୂର୍ବରୁ ପ୍ରତିଷ୍ଠିତ ହୋଇସାରିଛି ଏବଂ ଆହୁରି ଅଧିକ ପ୍ରତିଷ୍ଠା ପ୍ରକ୍ରିୟାରେ ଅଛି । ଖୁବଶୀଘ୍ର, ଭାରତର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବ । ଆଜି ଭାରତରେ ସବୁଠାରୁ ଉନ୍ନତ ୨-ନାନୋମିଟର ଚିପ୍ସ ଡିଜାଇନ୍ କରାଯାଉଛି । ଭାରତରେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ବିକଶିତ ହେଉଛି, ଯାହା ପାଇଁ ପାକ୍ସ ସିଲିକା ଜରୁରୀ । ଏହା ଭାରତର ଯୁବପିଢ଼ିଙ୍କୁ ଲାଭ ପହଞ୍ଚାଇବ।

ପାକ୍ସ ସିଲିକା ଡିସେମ୍ବର ୧୨, ୨୦୨୫ରେ ଆରମ୍ଭ ହୋଇଥିଲା । ଏହାର ଲକ୍ଷ୍ୟ ହେଉଛି "ଚାପପୂର୍ଣ୍ଣ ନିର୍ଭରଶୀଳତା ହ୍ରାସ କରିବା" ଏବଂ ଏକ "ସୁରକ୍ଷିତ, ସମୃଦ୍ଧ ଏବଂ ନବସୃଜନ-ଚାଳିତ ସିଲିକନ୍ ଯୋଗାଣ ଶୃଙ୍ଖଳ" ସୃଷ୍ଟି କରିବା । ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ପାକ୍ସ ସିଲିକାର ଲକ୍ଷ୍ୟ ହେଉଛି ବନ୍ଧୁତ୍ୱପୂର୍ଣ୍ଣ ଏବଂ ବିଶ୍ୱସ୍ତ ରାଷ୍ଟ୍ରଗୁଡ଼ିକୁ ଏକାଠି କରିବା । ଏହି ପଦକ୍ଷେପକୁ ବିଶ୍ୱ ଉତ୍ପାଦନ ଯୋଗାଣ ଶୃଙ୍ଖଳା ଉପରେ ଚୀନର ବଢ଼ୁଥିବା ପ୍ରଭାବର ପ୍ରତିକ୍ରିୟା ଭାବରେ ଦେଖାଯାଉଛି ।