ଭୁବନେଶ୍ୱର: ଚାରିଆଡେ ଯୁଦ୍ଧ ଓ ବାଣିଜ୍ୟ ପଥ ଅବରୋଧ ପାଇଁ ବଦଳୁଛି ବିଶ୍ୱ ରାଜନୀତି। ବଦଳୁଛି ବାଣିଜ୍ୟ ମାନଚିତ୍ର। ଏହାରି ଭିତରେ କେନ୍ଦ୍ରବିନ୍ଦୁ ପାଲଟିଛି ପୃଥିବୀର ସବୁଠୁ ଶୀତଳ ଅଞ୍ଚଳ ଆର୍କଟିକ୍। ବରଫରେ ଢଙ୍କା ଏହି ଅଞ୍ଚଳ କେବଳ ବୈଜ୍ଞାନିକ ଗବେଷଣାର ବିଷୟ ନୁହେଁ, ବରଂ ଆଗାମୀ ଦଶକରେ ବିଶ୍ୱ ବାଣିଜ୍ୟ, ଶକ୍ତି ସୁରକ୍ଷା ଓ ଭୂ-ରାଜନୀତିର ସବୁଠାରୁ ବଡ଼ ରଣକ୍ଷେତ୍ର ହୋଇପାରେ। ତେଣୁ ବିଶ୍ୱର ସବୁଠାରୁ କୋଲ୍ଡ ପ୍ଲେସ୍ ଆର୍କଟିକ ଏବେ ହଟ୍ ଟପିକ। ଏହାରି ଭିତରେ ଭାରତ ଓ ରୁଷ ଏମିତି ଏକ ପଦକ୍ଷେପ ନେଇଛନ୍ତି, ଯାହା କେବଳ ଦୁଇ ଦେଶର ବାଣିଜ୍ୟ ସମ୍ପର୍କ ନୁହେଁ, ଏସିଆରୁ ୟୁରୋପ ପର୍ଯ୍ୟନ୍ତ ସାମୁଦ୍ରିକ ବାଣିଜ୍ୟର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିପାରେ। ରୁଷର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ୍ ରୁଷର ରାଷ୍ଟ୍ରାୟତ ପରମାଣୁ କମ୍ପାନୀ ରୋସାଟମ୍କୁ ଭାରତ ସହ Northern Sea Route ବା NSR ଉପରେ ଚୁକ୍ତି କରିବାକୁ ଅନୁମତି ଦେଇଛନ୍ତି। ଫଳରେ ଋଷର ଦୀର୍ଘ ରଣନୈତିକ ଗେମରେ ଏବେ ଭାରତ ସାମିଲ ହେବ। ତେବେ କଣ ଏହି NSR? ଭାରତ ପାଇଁ ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ସେପଟେ ଆର୍କିଟିକ୍ ନେଇ ଚୀନର କେଉଁ ଚାଲ ଖେଳୁଛନ୍ତି? ପଢ଼ନ୍ତୁ ବିଶେଷ ରିପୋର୍ଟ।

ଯେତେବେଳେ ଆମେ ବିଶ୍ୱ ବାଣିଜ୍ୟର କଥା କହୁ, ସେତେବେଳେ ଆମ ମନକୁ ସୁଏଜ୍ କେନାଲ, ପାନାମା କେନାଲ କିମ୍ବା ମଲାକ୍କା ପ୍ରଣାଳୀର କଥା ଆସେ। କିନ୍ତୁ ବିଶ୍ୱ ତାପମାତ୍ରା ବୃଦ୍ଧି ସହ ଆର୍କଟିକ୍ର ବରଫ ଧୀରେ ଧୀରେ ତରଳିବା ଆରମ୍ଭ କରିଛି। ଆଉ ଏହା ସହିତ ଖୋଲୁଛି ଏକ ନୂଆ ସମୁଦ୍ର ପଥ। ଯାହାକୁ କୁହାଯାଏ Northern Sea Route ବା NSR । ଏହି ସମୁଦ୍ର ପଥ ରୁଷର ଉତ୍ତର ଉପକୂଳ ଦେଇ ବାରେଣ୍ଟ ସମୁଦ୍ରା ଠାରୁ ବେରିଂ ଷ୍ଟ୍ରେଟ୍ ପର୍ଯ୍ୟନ୍ତ ବିସ୍ତୃତ। ଯାହାର ଗୋଟିଏ ପଟେ ପଟେ ୟୁରୋପ ଆଉ ଅନ୍ୟପଟେ ପ୍ରଶାନ୍ତ ମହାସାଗର। ଆଉ ମଝିରେ ସମ୍ପୂର୍ଣ୍ଣ ଆର୍କଟିକ୍ ଉପକୂଳ।

ଦଶନ୍ଧି ଦଶନ୍ଧି ଧରି ଏହି ଜଳପଥ ପ୍ରାୟ ବନ୍ଦ ହୋଇ ରହୁଥିଲା। କାରଣ ବର୍ଷର ଅଧିକାଂଶ ସମୟ ଏହା ମୋଟା ବରଫରେ ଚାଦରରେ ଆଚ୍ଛାଦିତ ରହୁଥିଲା। ସାଧାରଣ ବାଣିଜ୍ୟିକ ଜାହାଜ ଏଠାରେ ଚଳାଚଳ କରିପାରୁନଥିଲେ। କେବଳ ରୁଷର ଆଇସବ୍ରେକର୍ ଜାହାଜ ଏହି ପଥରେ ଚଳାଚଳ କରୁଥିଲା। ମୁଖ୍ୟତଃ ରୁଷର ଘରୋଇ ସାମଗ୍ରୀ ପରିବହନ, ଆର୍କଟିକ୍ ଖଣିଜ ସମ୍ପଦ, ତୈଳ ଗ୍ୟାସ ଏବଂ ରୁଷର ଉତ୍ତର ଉପକୂଳର ବିକାଶ ପାଇଁ ଏହା ବ୍ୟବହୃତ ହେଉଥିଲା। କିନ୍ତୁ ଗତ ଦୁଇ ଦଶ ବର୍ଷରେ ଚିତ୍ର ବଦଳିଛି। ବିଶ୍ୱ ତାପାମାତ୍ରା ବୃଦ୍ଧି ଫଳରେ ବରଫ ତରଳିବାର ସମୟ ବଢ଼ିଛି। ଯେଉଁଠାରେ ପୂର୍ବରୁ କେବଳ କିଛି ସପ୍ତାହ ଚଳାଚଳ ସମ୍ଭବ ଥିଲା। ଏବେ ବର୍ଷରେ ଅଧିକ ସମୟ ଜାହାଜ ଚଳାଚଳ ସମ୍ଭବ ହେଉଛି। ରୁଷ ଏହାକୁ ଆଗାମୀ ବିଶ୍ୱ ବାଣିଜ୍ୟର ନୂଆ କରିଡର ଭାବେ ଗଢ଼ି ତୋଳିବାକୁ ଚାହୁଁଛି।

ସବୁଠାରୁ ବଡ କଥା ହେଲା କିଛି ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ପାଇଁ ଏହି ପଥ ବ୍ୟବହାର କଲେ ସୁଏଜ୍ କେନାଲ ତୁଳନାରେ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ଦୂରତା କମିପାରେ। ଯାତ୍ରା ବେଳେ ଯେତିକି ଦିନ ସମୟ ଲାଗୁଥିଲେ, ଏଥିରେ ପ୍ରାୟ ଦୁଇ ସପ୍ତାହ ସମୟ କମିପାରେ। ତେଣୁ ଇନ୍ଧନ ଦୃଷ୍ଟିରୁ ଓ ଯାତ୍ରା ଦୃଷ୍ଟିରୁ ଏହା ଖୁବ୍ ଫାଇଦା ଦେବ। ଯଦିଓ ଏହି ଜଳପଥ ସବୁ ଗନ୍ତବ୍ୟ ସ୍ଥଳ ପାଇଁ ସୁବିଧାଜନକ ନୁହେଁ। ତେବେ ଏହା ଜାହାଜର ପ୍ରକାର, ଗନ୍ତବ୍ୟ ସ୍ଥଳ, ଋତୁ ଏବଂ ବରଫର ପରିସ୍ଥିତି ଉପରେ ନିର୍ଭର କରୁଛି। ତଥାପି ଏହି ସମ୍ଭାବନା ଆଜି ବିଶ୍ୱର ଧ୍ୟାନ ଆକର୍ଷଣ କରିଛି।

ଆଉ ଏହି ସମୟରେ ଭାରତ ଓ ରୁଷର ଏହି ଜଳପଥରେ ଏକ ନୂଆ ସହଯୋଗ ଖୋଜୁଛନ୍ତି। କିଛି ଦିନ ପୂର୍ବରୁ ରୁଷର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ୍ ରୋସଟମକୁ ଭାରତ ସହ ମାରିଟାଇମ କାର୍ଗୋ ଟ୍ରାନ୍ସପୋର୍ଟେସନ ଉପରେ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଅନୁମତି ଦେଇଛନ୍ତି। ରୋସଟମ କେବଳ ଏକ ପରମାଣୁ ଶକ୍ତି କମ୍ପାନୀ ନୁହେଁ। NSRର ସମ୍ପୂର୍ଣ୍ଣ ଅପରେସନ୍ର ପ୍ରମୁଖ ପରିଚାଳକ ମଧ୍ୟ। ନାଭିଗେସନ୍ ନ୍ୟୁକ୍ଲିୟର୍ ଆଇସବ୍ରେକର୍, ବନ୍ଦର ଭିତ୍ତିଭୂମି, ସମୁଦ୍ର ଚଳାଚଳ ସେବା ସବୁକିଛି ରୋସଟମ ପରିଚାଳନା କରେ। ତେଣୁ ଭାରତ ସହ ହେଉଥିବା ଏହି ଚୁକ୍ତି କେବଳ ମାଲ ପରିବହନର ଚୁକ୍ତି ନୁହେଁ, ଏହା ରୁଷର ଦୀର୍ଘମିଆଦି ଆର୍କଟିକ୍ ରଣନୀତିରେ ଭାରତର ଔପଚାରିକ ପ୍ରବେଶ ବୋଲି କୁହାଯାଇପାରେ।

ଆର୍କଟିକ ଅଞ୍ଚଳ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ତାହା ଜାଣିଲେ। ସବୁ ସୁବିଧା ସବୁ ପରିସ୍ଥିତିକୁ ଦେଖିଲେ ଏହି ଅଞ୍ଚଳରେ ଋଷ ପତିଆରା ଟିକେ ଅଧିକ ରହିଛି ବୋଲି ଜଣାପଡେ। ହେଲେ ଏଠି ପ୍ରଶ୍ନ ଉଠୁଛି ରୁଷ କାହିଁକି ଏତେ ଆଗ୍ରହର ସହ ଭାରତକୁ NSRରେ ସାମିଲ କରିବାକୁ ଚାହୁଁଛି? ଏହାର ଉତ୍ତର ଲୁଚି ରହିଛି ୟୁକ୍ରେନ୍ ଯୁଦ୍ଧର ପରବର୍ତ୍ତୀ ବିଶ୍ୱ ରାଜନୈତିକ ସ୍ଥିତି ଉପରେ। ଏହାଛଡା ଏହି ନିକଟ ଅତୀତରେ ଚୀନ ମଧ୍ୟ ଆର୍କିଟିକରେ ନିଜର ଉପସ୍ଥିତି ବଢାଇବାକୁ ଚେଷ୍ଟା କରିଛି। ତେଣୁ ଏହା କେଉଁ ଦିଗକୁ ସଂକେତ ଦେଉଛି ଋଷ ଭଲ ଭାବରେ ବୁଝି ସାରିଲାଣି। ତେଣୁ ଭାରତର ଏଣ୍ଟ୍ରି ନିଜ ପାଇଁ ଓ ଋଷ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା।

ଭାରତ ଓ ରୁଷ ମଧ୍ୟରେ NSRକୁ ନେଇ ଆଜି ଯେଉଁ ବୁଝାମଣା ହୋଇଛି, ତାହା ରାତାରାତି ହୋଇଯାଇନାହିଁ। ଏହା ପଛରେ ରହିଛି ଦୀର୍ଘ କୂଟନୈତିକ ପ୍ରକ୍ରିୟା ଯାହା ଗତ କିଛି ବର୍ଷ ଧରି ନିରବରେ ଜାରି ରହିଥିଲା। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଗସ୍ତ ସମୟରେ ପ୍ରଥମ ଥର ପାଇଁ NSR ଉପରେ ଖୋଲାଖୋଲି ଆଲୋଚନା ହୋଇଥିଲା। ସେହି ସମୟରେ ରୋସଟମ ସାର୍ବଜନୀନ ଭାବେ କହିଥିଲା ଯେ, ଭାରତୀୟ ଅଂଶୀଦାରମାନଙ୍କ ସହ ରୁଷର ଅଶୋଧିତ ତୈଳ, କୋଇଲା ଏବଂ ଏଲଏନଜି ପରିବହନ ପାଇଁ ଏନଏସଆର ବ୍ୟବହାର କରିବା ଉପରେ ଆଲୋଚନା ଚାଲିଛି। କେବଳ ସେତିକି ନୁହେଁ ଦୁଇ ଦେଶ ଆର୍କଟିକ୍ ଅଞ୍ଚଳରେ ଜାହାଜ ନିର୍ମାଣ,ବନ୍ଦର ବିକାଶ ଓ ସାମୁଦ୍ରିକ ଭିତ୍ତିଭୂମିରେ ସହଯୋଗ ସମ୍ଭାବନା ମଧ୍ୟ ଖୋଜିବା ଆରମ୍ଭ କରିଥିଲେ। ଏହାର କିଛି ମାସ ପରେ ନୂଆଦିଲ୍ଲୀରେ ହୋଇଥିଲା ଭାରତ-ରୁଷ ନର୍ଦ୍ଦନ ସି ରୁଟ ୱାର୍କିଂ ଗ୍ରୁପର ପ୍ରଥମ ବୈଠକ। ଏହି ବୈଠକରେ କେବଳ ବାଣିଜ୍ୟ ନୁହେଁ ବରଂ ଆର୍କଟିକ୍ରେ ଦୀର୍ଘମିଆଦି ସହଯୋଗର ରୋଡମ୍ୟାପ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଭାରତୀୟ ନାବିକମାନଙ୍କୁ ପୋଲାର ନାଭିଗେସନର ପ୍ରଶିକ୍ଷଣ ଦେବା।

କାରଣ ଆର୍କଟିକ୍ରେ ଜାହାଜ ଚଳାଇବା ସାଧାରଣ ସମୁଦ୍ରରେ ଜାହାଜ ଚଳାଇବା ପରି ସହଜ ନୁହେଁ। ଏଠାରେ ତାପମାତ୍ରା, ବରଫ ଚାଦର, ସମୁଦ୍ର ସ୍ରୋତ, ପାଣିପାଗ ସବୁକିଛି ଅଲଗା। ତେଣୁ ଏଠାରେ କାମ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଆବଶ୍ୟକ। ଏହା ସହିତ ଆର୍କଟିକ୍ ପାଇଁ ସ୍ୱତନ୍ତ୍ର ଜାହାଜ ନିର୍ମାଣରେ ଭାରତୀୟ କମ୍ପାନୀଙ୍କ ସମ୍ଭାବ୍ୟ ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ରୁଷ କେବଳ ମାଲ ପଠାଇବା ପାଇଁ ଭାରତର ସହଯୋଗ ଚାହୁଁ ନଥିଲା ବରଂ ଭାରତକୁ ଆର୍କଟିକ୍ ଲଜିଷ୍ଟିକ୍ସ ବ୍ୟବସ୍ଥାର ଦୀର୍ଘମିଆଦି ଭାଗୀଦାର ଭାବେ ଦେଖୁଥିଲା।

ଏଠି ପ୍ରଶ୍ନ ଉଠୁଛି ରୁଷ କାହିଁକି ଏତେ ଆଗ୍ରହର ସହ ଭାରତକୁ NSRରେ ସାମିଲ କରୁଛି? ୨୦୨୨ରେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ପଶ୍ଚିମ ଦେଶଗୁଡିକ ରୁଷ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ଫଳରେ ୟୁରୋପୀୟ ବଜାରରେ ରୁଷର ବାଣିଜ୍ୟ କମିଗଲା। ତାପରେ ରୁଷ ନିଜ ଅର୍ଥନୀତିର ଦିଗ ବଦଳାଇଲା, ୟୁରୋପରୁ ଏସିଆ ଆଡ଼କୁ। ଆଜି ରୁଷ ଚାହୁଁଛି ଏକ ନୂଆ ବଜାର, ନୂଆ ସପ୍ଲାଏ ଚେନ୍,ନୂଆ ବାଣିଜ୍ୟ ପଥ ଏବଂ ନୂଆ ସହଯୋଗୀ। ସେହି କାରଣରୁ ନର୍ଦ୍ଦନ ସି ରୁଟ ରୁଷର ଆର୍ଥିକ ଭବିଷ୍ୟତର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି। ମସ୍କୋର ଯୋଜନା ଭବିଷ୍ୟତରେ ଏହି ପଥ ଦେଇ କେବଳ ତୈଳ ନୁହେଁ, କୋଇଲା, LNG,ଖଣିଜ,କଣ୍ଟେନର,ଏବଂ ଶିଳ୍ପ ସାମଗ୍ରୀର ବ୍ୟାପକ ପରିବହନ କରିବା।

କିନ୍ତୁ ଏହି କାହାଣୀରେ ଆଉ ଏକ ବଡ଼ ଖେଳାଳି ଅଛି ଚୀନ୍। ଗତ କିଛି ବର୍ଷ ଧରି ଚୀନ୍ ଆର୍କଟିକ୍ରେ ନିଜର ଉପସ୍ଥିତି ଲଗାତାର ବଢ଼ାଇ ଚାଲିଛି। ଚୀନର ଲଜିଷ୍ଟିକ୍ସ କମ୍ପାନୀମାନେ NSR ଦେଇ ପରୀକ୍ଷାମୂଳକ ଜାହାଜ ଚଳାଚଳ କରିଛନ୍ତି। ରୁଷ ଓ ଚୀନ୍ NSR ସହଯୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗଢ଼ିଛନ୍ତି। ରୋସଟମ ମଧ୍ୟ ଚୀନୀ କମ୍ପାନୀଙ୍କ ସହ କଣ୍ଟେନର ପରିବହନ ସେବା ବିକଶିତ କରୁଛି। କିନ୍ତୁ ରୁଷ ଏହା ମଧ୍ୟ ବୁଝୁଛି ଯେ ଯଦି NSR ସମ୍ପୂର୍ଣ୍ଣ ଭାବେ ଚୀନ୍ ଉପରେ ନିର୍ଭରଶୀଳ ହୋଇଯାଏ ତେବେ ଭବିଷ୍ୟତରେ ମସ୍କୋର କୌଶଳଗତ ବିକଳ୍ପ କମିଯିବ। ସେଥିପାଇଁ ରୁଷ ଚାହୁଁଛି NSR କେବଳ ଚୀନ୍ର ପ୍ରକଳ୍ପ ହୋଇ ନ ରହୁ। ବରଂ ଏହା ଏକ ବହୁରାଷ୍ଟ୍ରୀୟ ୟୁରେସିଆ ବାଣିଜ୍ୟ କରିଡର ହେଉ। ତେଣୁ ଏ କ୍ଷେତ୍ରରେ ଭାରତର ଭୂମିକା ଏଠି ଗୁରୁତ୍ୱପୂର୍ଣ୍ଣ। ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ରୁଷ ଭାରତକୁ ଆଣି ଚୀନ୍ ବିରୋଧରେ କୌଣସି ନୂଆ ମେଣ୍ଟ ତିଆରି କରୁନାହିଁ। ବରଂ ନିଜର ସବୁଠାରୁ ବଡ଼ ଆର୍କଟିକ୍ ପ୍ରକଳ୍ପକୁ ଅଧିକ ବହୁମୁଖୀ ଓ ବାଣିଜ୍ୟିକ ଭାବେ ଶକ୍ତିଶାଳୀ କରିବାକୁ ଚାହୁଁଛି।

ଅନ୍ୟପଟେ. ଭାରତ ପାଇଁ ମଧ୍ୟ ଏହି ସହଯୋଗର ଗୁରୁତ୍ୱ ବହୁତ ବଡ଼। ଆଜି ରୁଷ ଭାରତର ସବୁଠାରୁ ବଡ଼ ଅଶୋଧିତ ତୈଳ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ବହୁ ପରିମାଣର ଋଷୀୟ ଅଶୋଧିତ ତୈଳ ଭାରତୀୟ ରିଫାଇନେରୀକୁ ଆସୁଛି। ଭବିଷ୍ୟତରେ ଆର୍କଟିକ୍ରୁ ଅଧିକ ପରିମାଣର LNG ତୈଳ,. ଏବଂ ଦୁର୍ଲଭ ଖଣିଜ ବାହାରିବ। ଏହି ସମ୍ପଦ ଭାରତର ଶକ୍ତି ସୁରକ୍ଷା ଓ ଶିଳ୍ପ ବିକାଶ ପାଇଁ ଦୀର୍ଘମିଆଦି ଭାବେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏଥିସହିତ ଭାରତ ନିଜର ଶିପ ବିଲ୍ଡିଂ ମିଶନକୁ ମଧ୍ୟ ଆଗକୁ ବଢାଇବାକୁ ଚାହୁଁଛି। ଆର୍କଟିକ୍ ପାଇଁ ସ୍ୱତନ୍ତ୍ର ଜାହାଜ ନିର୍ମାଣ ଏବଂ ପୋଲାର ମାରିଟାଇମ ଟେକ୍ନୋଲୋଜୀରେ ଅଂଶଗ୍ରହଣ ଭାରତ ପାଇଁ ଏକ ନୂଆ ଶିଳ୍ପ କ୍ଷେତ୍ର ଖୋଲିପାରେ।

ବର୍ତ୍ତମାନ ବିଶ୍ୱର କିଛି ସ୍ଥାନରେ ଯୁଦ୍ଧ ଓ ଉତ୍ତେଜନା ଭୂରାଜନୈତିକ ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସୁଏଜ୍ କେନାଲ, ରେଡ୍ ସି ଓ ହର୍ମୁଜ୍ ପ୍ରଣାଳୀ ଭଳି ଗୁରୁତ୍ୱପୂର୍ଣ୍ଣ ଜଳପଥଗୁଡିକ ପ୍ରଭାବିତ ହେବାରୁ ବିଶ୍ୱ ବାଣିଜ୍ୟ ଏକପ୍ରକାର ଦୋହଲି ଯାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆର୍କଟିକ ଉପରେ ସମସ୍ତଙ୍କ ନଜର। ହେଲେ ଏହି ଜଳପଥକୁ ବାଣିଜ୍ୟ ରାସ୍ତା ଭାବରେ ବ୍ୟବହାର କରିବାକୁ ହେଲେ ଏକାଧିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଯାହା ଭାରତ ପାଇଁ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ, ହେଲେ ଋଷର ସହଯୋଗରେ ଆର୍କଟିକ୍ ବରଫ ଚାଦରକୁ ଭେଦିପାରିଲେ ଭବିଷ୍ୟତରେ ଏହା ଭାରତ ପାଇଁ ଏକ ଗେମ ଚେଞ୍ଜର ହୋଇପାରେ।ଭିଓ() ବିଶ୍ୱ ବାଣିଜ୍ୟର ବର୍ତ୍ତମାନର ଅନିଶ୍ଚିତତା ମଧ୍ୟରେ ରହିଥିବାରୁ ଆର୍କିଟିକ୍ର ଗୁରୁତ୍ୱ ବଢି଼ ଯାଇଛି। ଆଜି ବିଶ୍ୱର ବଡ଼ ଅଂଶର ସାମୁଦ୍ରିକ ବାଣିଜ୍ୟ କେବଳ କିଛି ସଂକୀର୍ଣ୍ଣ ସମୁଦ୍ର ପଥ ଉପରେ ନିର୍ଭର କରେ। ମଲାକ୍କା ପ୍ରଣାଳୀ, ହର୍ମୁଜ୍ ପ୍ରଣାଳୀ, ବାବ୍-ଏଲ୍-ମାଣ୍ଡେବ୍ ଏବଂ ସୁଏଜ୍ କେନାଲ, ଏହି ମାର୍ଗମାନଙ୍କ ମଧ୍ୟରୁ କୌଣସି ଗୋଟିଏରେ ବାଧା ସୃଷ୍ଟି ହେଲେ. ସମଗ୍ର ବିଶ୍ୱ ବାଣିଜ୍ୟ ପ୍ରଭାବିତ ହୁଏ। ଗତ କିଛି ବର୍ଷରେ ରେଡ୍ ସିର ସୁରକ୍ଷା ପରିସ୍ଥିତି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ଏବଂ ବାବ୍-ଅଲ୍-ମାଣ୍ଡବ୍ ଅଞ୍ଚଳକୁ ନେଇ ବଢ଼ୁଥିବା ଅନିଶ୍ଚିତତା ଅନେକ ଶିପିଂ କମ୍ପାନୀକୁ ବିକଳ୍ପ ରୁଟ୍ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି। ସେହିପରି ହର୍ମୁଜ୍ ପ୍ରଣାଳୀକୁ ନେଇ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ଯୋଗୁ ଦେଶଗୁଡିକ ଏବେ ବିକଳ୍ପ ସମୁଦ୍ର କରିଡରର ଖୋଜୁଛନ୍ତି। ଏହି ପରିପ୍ରେକ୍ଷୀରେ NSRକୁ କେବଳ ଏକ ଆର୍କଟିକ୍ ଜଳପଥ ନୁହେଁ ବରଂ ଭବିଷ୍ୟତର ସମ୍ଭାବ୍ୟ ବିକଳ୍ପ ବାଣିଜ୍ୟ କରିଡର ଭାବେ ଦେଖାଯାଉଛି।

କିନ୍ତୁ ଏହି କାହାଣୀର ଆଉ ଏକ ପକ୍ଷ ମଧ୍ୟ ରହିଛି। NSRକୁ ନେଇ ଯେତେ ଆଶା ସେତେ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଆର୍କଟିକ୍ ଏବେ ମଧ୍ୟ ପୃଥିବୀର ସବୁଠୁ କଠିନ ସମୁଦ୍ର ଅଞ୍ଚଳମାନଙ୍କ ମଧ୍ୟରୁ ଗୋଟିଏ।ବର୍ଷର ବହୁ ସମୟ ଏଠାରେ ବରଫ ଜମି ରହେ। ଅନେକ ଅଞ୍ଚଳରେ ଆଜି ମଧ୍ୟ ସାଧାରଣ ବାଣିଜ୍ୟିକ ଜାହାଜ ଚଳାଚଳ କରିପାରେ ନାହିଁ। ସେଠାରେ ଦରକାର ପଡ଼େ ନ୍ୟୁକ୍ଲିୟର୍ ଆଇସବ୍ରେକର୍ ଜାହାଜର। ଯାହା ବରଫକୁ ଭାଙ୍ଗି ଅନ୍ୟ ଜାହାଜ ପାଇଁ ରାସ୍ତା ତିଆରି କରେ। ବିଶ୍ୱର ସବୁଠୁ ବଡ଼ ନ୍ୟୁକ୍ଲିୟର୍ ଆଇସବ୍ରେକର୍ ବହିନୀ ରୁଷ ପାଖରେ ଅଛି। ସେହିକାରଣରୁ ଏହି ରୁଟ୍ରେ ରୁଷର ଭୂମିକା ଅନିବାର୍ଯ୍ୟ।

କେବଳ ବରଫ ନୁହେଁ ଏହି ରୁଟ୍ରେ ଆହୁରି ଅନେକ ସମସ୍ୟା ରହିଛି। ଏଠାରେ ବନ୍ଦର ଭିତ୍ତିଭୂମି ଏବେ ମଧ୍ୟ ସୀମିତ। ଅନେକ ସ୍ଥାନରେ ଉଦ୍ଧାର ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଯୋଗାଯୋଗ ବ୍ୟବସ୍ଥା ସବୁଠାରେ ଉନ୍ନତ ନୁହେଁ। ଏହା ସହିତ ବୀମା ଖର୍ଚ୍ଚ ମଧ୍ୟ ବହୁତ ଅଧିକ। ୟୁକ୍ରେନ୍ ଯୁଦ୍ଧ ପରବର୍ତ୍ତୀ ପ୍ରତିବନ୍ଧକ, ଆନ୍ତର୍ଜାତୀୟ ଅର୍ଥନାତିର ସମସ୍ୟା, ଏବଂ ପଶ୍ଚିମୀ ଦେଶମାନଙ୍କ ବାଣିଜ୍ୟିକ ନିୟମ ମଧ୍ୟ ଏହି ପ୍ରକଳ୍ପର ଗତିକୁ ପ୍ରଭାବିତ କରୁଛି। ଆଉ ଗୋଟିଏ ବଡ଼ ପ୍ରଶ୍ନ ହେଲା ଏହି ରୁଟ୍ ସଫଳ ହେବାକୁ ହେଲେ ବିଶ୍ୱର ବଡ଼ ବଡ଼ ଶିପିଂ କମ୍ପାନୀମାନଙ୍କୁ ନିଜର ଦଶନ୍ଧି ପୁରୁଣା ବାଣିଜ୍ୟ ପଥ ବଦଳାଇବାକୁ ପଡ଼ିବ। ଯାହା ଗୋଟିଏ ଦିନରେ କେବେ ବି ସମ୍ଭବ ନୁହେଁ। ତେଣୁ ବିଶେଷଜ୍ଞମାନଙ୍କ ମତରେ NSRକୁ ସୁଏଜ୍ କେନାଲର ତୁରନ୍ତ ବିକଳ୍ପ କହିବା ଠିକ୍ ହେବ ନାହିଁ। ଏହାକୁ ଭବିଷ୍ୟତର ଏକ କୌଶଳଗତ ବିନିଯୋଗ ଭାବେ ଦେଖିବା ଅଧିକ ଉଚିତ।

ଭାରତ ପାଇଁ ଏହି ପ୍ରକଳ୍ପର ଅର୍ଥ କେବଳ ଗୋଟିଏ ନୂଆ ସମୁଦ୍ର ପଥ ନୁହେଁ, ବରଂ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ସ୍ଥାନ ସୁରକ୍ଷିତ କରିବାର ଏକ ପ୍ରୟାସ ବୋଲି କୁହାଯାଇପାରିବ। ଭାରତ ବହୁ ବର୍ଷ ଧରି ଆର୍କଟିକ୍ରେ ବୈଜ୍ଞାନିକ ଗବେଷଣା କରୁଛି। କିନ୍ତୁ ତଥାପି ଆର୍ଥିକ ଏବଂ ବାଣିଜ୍ୟିକ ଭାବେ ଏହାର ଉପସ୍ଥିତି ସୀମିତ ରହିଥିଲା। ଏବେ NSRରେ ଭାଗୀଦାର ହେବା ସହ ଭାରତ କେବଳ ରୁଷ ସହ ବାଣିଜ୍ୟ ବଢ଼ାଇବାକୁ ନୁହେଁ ବରଂ,ଆର୍କଟିକ୍ରେ ଶକ୍ତି, ଖଣିଜ,ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ଟେକ୍ନୋଲୋଜୀ କ୍ଷେତ୍ରରେ ମଧ୍ୟ ନିଜର ଭୂମିକା ବଢ଼ାଇବାକୁ ଚାହୁଁଛି। ଏହା ସହିତ ୨୦୩୦ ସୁଦ୍ଧା ଭାରତ-ରୁଷ ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦୦ ବିଲିୟନ୍ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟକୁ ମଧ୍ୟ ଏହି ସହଯୋଗ ସମର୍ଥନ କରିପାରେ।
Also Read- Vikram-1: ମହାକାଶକୁ ଗଲା ଭାରତର ପ୍ରଥମ ଘରୋଇ ରକେଟ୍, ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ୍

ଆର୍କଟିକରେ ଆଜି ଯେଉଁ ପ୍ରତିଯୋଗିତା ଆରମ୍ଭ ହୋଇଛି, ତାହା କେବଳ ବରଫ ଭିତରେ ଲୁଚିଥିବା ତୈଳ କିମ୍ବା ଗ୍ୟାସ ପାଇଁ ନୁହେଁ, ବରଂ ଆଗାମୀ ଦଶକରେ ବିଶ୍ୱ ବାଣିଜ୍ୟର ନିୟନ୍ତ୍ରଣ କାହା ହାତରେ ରହିବ ସେହି ପ୍ରଶ୍ନର ଉତ୍ତର ଖୋଜିବାର ଏକ ଲଢ଼େଇ କହିଲେ ଅତ୍ୟୁକ୍ତି ହେବନି। ରୁଷ ପାଇଁ NSR ନିଜ ଆର୍ଥିକ ଭବିଷ୍ୟତକୁ ଏସିଆ ସହ ଯୋଡ଼ିବାର ଏକ ମାଧ୍ୟମ ହେଇପାରେ। ହେଲେ ଭାରତ ପାଇଁ ଏହା ଶକ୍ତି ସୁରକ୍ଷା, ଆର୍କଟିକ୍ରେ କୌଶଳଗତ ଉପସ୍ଥିତି ଏବଂ ନୂଆ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାରେ ଆଗୁଆ ସ୍ଥାନ ହାସଲ କରିବାର ଏକ ସୁଯୋଗ। ତେବେ ଏହି ରୁଟ୍ ଭବିଷ୍ୟତରେ ସୁଏଜ୍ କେନାଲକୁ ଟକ୍କର ଦେଇପାରିବ କି ନାହିଁ, ତାହା ସମୟ କହିବ। କିନ୍ତୁ ଏତିକି ସ୍ପଷ୍ଟ ଯେ ମସ୍କୋ ଓ ନୂଆଦିଲ୍ଲୀ ଏହି ନୂଆ ଆର୍କଟିକ୍ ଅଧ୍ୟାୟରେ ନିଜର ସ୍ଥାନ ଏବେଠାରୁ ପକ୍କା କରିବାକୁ ଚାହୁଁଛନ୍ତି।