ନୂଆଦିଲ୍ଲୀ ୧୮।୦୭; ନୂଆ ଇତିହାସ ରଚିଲା 'ବିକ୍ରମ-୧' । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର କାଉଣ୍ଟଡାଉନ ପରେ ଆଜି ମହାକାଶକୁ ଉଡ଼ାଣ ଭରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୨ଟା ୦୫ ମିନିଟ ଏହି ବହୁ ପ୍ରତିକ୍ଷିତ ରକେଟର ଉତକ୍ଷେପଣ କରାଯାଇଛି । ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ । ଏହି ଅତ୍ୟାଧୁନିକ ରକେଟ୍‌କୁ ହାଇଦ୍ରାବାଦର ପ୍ରସିଦ୍ଧ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ 'ସ୍କାଇରୁଟ୍ ଏରୋସ୍ପେସ୍' ପ୍ରସ୍ତୁତ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରକେଟ୍ ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତାର ପ୍ରମାଣ ଦେଉଛି ।

ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ 'ସ୍କାଇରୁଟ୍ ଏରୋସ୍ପେସ୍'ର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-୧' ମିଶନ ଆଗମନ ଉତକ୍ଷେପଣ ହେବାର ଥିଲା । ମାତ୍ର ଉଡ଼ାଣର ଠିକ୍ ୫ ମିନିଟ୍ ପୂର୍ବରୁ ଅର୍ଥାତ୍ ୧୧:୨୫ ରେ ଏହାକୁ ମିଶନ କଣ୍ଟ୍ରୋଲ୍ ଟିମ୍ ଦ୍ୱାରା "ପ୍ଲାନଡ୍ ହୋଲ୍ଡ" ରେ ରଖାଯାଇଥିଲା । ରକେଟ୍ଟି ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା ଏବଂ ଗ୍ରୀନ୍ ସିଗନାଲ୍ ମିଳିବା ମାତ୍ରେ ୧୨.୦୫ରେ ଏହା ଉଡ଼ାଣ ଭରିଥିଲା ।

'ବିକ୍ରମ-୧' ମିଶନର ପ୍ରମୁଖ ବିଶେଷତ୍ୱ:

ଏହା ଦେଶର ପ୍ରଥମ ବେସରକାରୀ ରକେଟ୍ ଯାହା ଉପଗ୍ରହଗୁଡ଼ିକୁ କକ୍ଷପଥରେ ସ୍ଥାପିତ କରି ଭାରତୀୟ ସ୍ପେସ୍ ସେକ୍ଟରରେ ଏକ ନୂଆ ଯୁଗର ଆରମ୍ଭ କରିବ । ପାରମ୍ପରିକ ଷ୍ଟିଲ୍ ବଦଳରେ ଏହାକୁ ସମ୍ପୂର୍ଣ୍ଣ ହାଲୁକା ଓ ଶକ୍ତ 'ଅଲ୍-କାର୍ବନ କମ୍ପୋଜିଟ୍'ରେ ତିଆରି କରାଯାଇଛି, ଯାହା ଏହାର କ୍ଷମତା ବଢ଼ାଇଥାଏ । ଏହି ରକେଟ୍ର ଅର୍ବିଟାଲ୍ ଆଡଜଷ୍ଟମେଣ୍ଟ ମଡ୍ୟୁଲ୍ରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ 3D-ପ୍ରିଣ୍ଟେଡ୍ ଲିକ୍ୱିଡ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ମିଶନ ସହିତ 'EMBRACE' ଟେକ୍ନୋଲୋଜି ଯାଉଛି, ଯାହା ଭବିଷ୍ୟତରେ ମହାକାଶରେ ଜମା ହେଉଥିବା ଆବର୍ଜନାକୁ ସଫା କରିବା ପାଇଁ ରୋବୋଟିକ୍ ଆର୍ମର ପରୀକ୍ଷଣ କରିବ । ଏଥିରେ ଡ. ବିକ୍ରମ ସାରାଭାଇ, ସିଭି ରମଣ ଏବଂ ଡ. ଏପିଜେ ଅବଦୁଲ କଲାମଙ୍କର ଚାଉଳ ଦାନାଠୁ ଛୋଟ ସୁନାର ମୂର୍ତ୍ତି, ଏକ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବନ୍ଦେ ମାତରମ୍' ଶୁଭେଚ୍ଛା ବାର୍ତ୍ତା ମହାକାଶକୁ ପଠାଯାଉଛି ।