ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟରେ ଶାନ୍ତି ଫେରିବା ସହ ଭାରତ ସରକାର ଫୁଏଲ୍ ଉପରେ ଲଗାଇଥିବା ସୀମା କଟକଣାକୁ ହଟାଇବା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ସାଧାରଣ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଏବଂ ଡିଜେଲ କିଣିବା ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ ଜୁଲାଇ ୧ରୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ ଘୋଷଣା କରିଛନ୍ତି । ଏହି ଘୋଷଣାର ଅର୍ଥ ହେଉଛି ବର୍ତ୍ତମାନ କମର୍ସିଆଲ୍ ଗ୍ରାହକମାନେ ବିନା କୌଣସି ସୀମାରେ, ଯେତେ ଚାହିଁବେ ସେତେ ଇନ୍ଧନ କିଣିପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦେଶର ଲଜିଷ୍ଟିକ୍ସ ଏବଂ ଟ୍ରାନ୍ସପୋର୍ଟ ସେକ୍ଟରକୁ ବଡ଼ ଆଶ୍ୱସ୍ତି ମିଳିବ ।

କାହିଁକି ଲଗାଯାଇଥିଲା ପ୍ରତିବନ୍ଧକ ?

ଜୁନ୍ ମାସରେ ସରକାର ଏହି ବଡ଼ ପଦକ୍ଷେପ ନେଇଥିଲେ । ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ବନ୍ଦ ହେବା କାରଣରୁ ଭାରତରେ ତେଲର ଅଭାବ ଦେଖାଦେବାର ଆଶଙ୍କା ଥିଲା । ବେଆଇନ ଗଚ୍ଛିତ, କଳାବଜାରୀ ଉପରେ ରୋକ ଲଗାଇବା ଏବଂ ଦେଶର ସାଧାରଣ ନାଗରିକଙ୍କ ସହିତ ଚାଷୀମାନଙ୍କ ପାଇଁ ତେଲର ଉପଲବ୍ଧତା ବଜାୟ ରଖିବା ପାଇଁ ସରକାର ଜୁନ୍ ମାସରେ ଜରୁରୀକାଳୀନ ଯୋଗାଣ ନିୟମ ଲାଗୁ କରିଥିଲେ ।

ଏହି ପ୍ରତିବନ୍ଧକ ପଛରେ ଆଉ ଏକ ବଡ଼ କାରଣ ଥିଲା ପାଇକାରୀ ଏବଂ ଖୁଚୁରା ମୂଲ୍ୟ ମଧ୍ୟରେ ଥିବା ଆକାଶ-ପାତାଳ ପାର୍ଥକ୍ୟ । ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ହେତୁ ଶିଳ୍ପ ଏବଂ ପାଇକାରୀ କ୍ରେତାମାନଙ୍କ ପାଇଁ ଡିଜେଲ ମୂଲ୍ୟ ସାଧାରଣ ପେଟ୍ରୋଲ ପମ୍ପ ତୁଳନାରେ ପ୍ରାୟ ୪୦ ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଯାଇଥିଲା । ଲାଭର ଏହି ବଡ଼ ବ୍ୟବଧାନକୁ ଦେଖି ବଡ଼ ବଡ଼ କମ୍ପାନି ଏବଂ ଟ୍ରକ୍ ଅପରେଟରମାନେ ପାଇକାରୀ ଡିପୋରୁ ତେଲ କିଣିବା ବନ୍ଦ କରିଦେଲେ । ସେମାନେ ନିଜର ଗାଡ଼ି ଓ କଣ୍ଟେନରଗୁଡ଼ିକୁ ଧରି ସାଧାରଣ ପେଟ୍ରୋଲ ପମ୍ପକୁ ଆଣିବା ଆରମ୍ଭ କଲେ ।

ଏହି କାରଣରୁ ସରକାରୀ ତେଲ କମ୍ପାନିଗୁଡ଼ିକର ପେଟ୍ରୋଲ ପମ୍ପ ଉପରେ ବଡ଼ ଚାପ ପଡ଼ିଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର କମର୍ସିଆଲ୍ କ୍ରେତାମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଡିଜେଲ ବିକ୍ରିକୁ ଗାଡ଼ି ଓ ଗ୍ରାହକ ପିଛା ଦୈନିକ ସର୍ବାଧିକ ୨୦୦ ଲିଟର ମଧ୍ୟରେ ସୀମିତ କରିଥିଲେ ।

କ'ଣ କହିଲେ ସରକାର ?

ସରକାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଦେଶରେ ପେଟ୍ରୋଲ-ଡିଜେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ଥିର ଏବଂ ସ୍ୱାଭାବିକ ହୋଇସାରିଛି । ତେଣୁ ଏହି ପ୍ରତିବନ୍ଧକକୁ ଜାରି ରଖିବାର କୌଣସି ଆବଶ୍ୟକତା ନାହିଁ। ଏହି କାରଣରୁ ଜୁନ୍ ୧୨ର ପୁରୁଣା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନିଆଯାଇଛି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ବଡ଼ ଗାଡ଼ି ଚାଳକ ଏବଂ କାରଖାନାଗୁଡ଼ିକୁ ଡିଜେଲ ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ ।