ନୂଆଦିଲ୍ଲୀ: ସ୍ୱିସ୍ ଫୁଡ ଆଣ୍ଡ କନଫେକ୍ସନାରୀ କମ୍ପାନୀ ନେସ୍ଲେର ଲୋକପ୍ରିୟ ଚକୋଲେଟ ବ୍ରାଣ୍ଡ କିଟକାଟ୍ ପାଇଁ ଭାରତ ଏବେ ବିଶ୍ୱର ସବୁଠୁ ବଡ଼ ବଜାର ପାଲଟିଛି। କମ୍ପାନୀ ଅନୁସାରେ ମଜଭୁତ ଉପଭୋକ୍ତା ଚାହିଦା, ନୂଆ ପ୍ରଡକ୍ଟ ଲଞ୍ଚ ଓ ଆକ୍ରାମକ ମାର୍କେଟିଂ ରଣନୀତି କାରଣରୁ ଭାରତ ଏହି ଉପଲବ୍ଧି ହାସଲ କରିଛି। କିଟକାଟ୍ ବିଶ୍ୱର ୮୫ଟି ଦେଶରେ ବିକ୍ରି ହେଉଛି ତେବେ ଏହାର ସବୁଠୁ ଅଧିକ ବିକ୍ରି ଭାରତରେ ହେଉଛି।

ଗତ୨-୩ ବର୍ଷ ପର୍ଯ୍ୟନ୍ତ ଭାରତ କିଟକାଟ୍ ଲାଗି ବିଶ୍ୱର ବିଶ୍ୱର ଦ୍ୱିତୀୟ ବଡ଼ ବଜାର ଥିଲା ହେଲେ ଏବେ ଭାରତ ସବୁ ଦେଶକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି। ନେସ୍ଲେ ଇଣ୍ଡିଆର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ମନିଷ ତିୱାରୀ କହିଛନ୍ତି ଯେ ଗତ କିଛି ବର୍ଷ ହେଲା କିଟକାଟ୍ ର ବଜାର ଭାଗିଦାରୀ ଦ୍ରୁତ ବଢିଛି ଓ ଏବେ ଭାରତ ସବୁଠୁ ବଡ଼ ବଜାର ପାଲଟିଛି। ନେସ୍ଲେ ପୋର୍ଟଫୋଲିଓରେ ମ୍ୟାଗି ପରେ କିଟକାଟ୍ ଏପରି ଦ୍ୱିତୀୟ ବ୍ରାଣ୍ଡରେ ପରିଣତ ହୋଇଛି ଯାହା ପାଇଁ ଭାରତ ସବୁଠୁ ବଡ଼ ବଜାର।

ପ୍ରାୟ ୧୦ ବର୍ଷ ପୂର୍ବେ ଭାରତ କିଟକାଟ୍ ଲାଗି ବିଶ୍ୱର ୧୦ମ ସ୍ଥାନରେ ଥିଲା। ହେଲେ ଏବେ ଏହାର ଲୋକପ୍ରିୟତାରେ ଦ୍ରୁତ ବୃଦ୍ଧି ହୋଇଛି। ନେସ୍ଲେ ଇଣ୍ଡିଆର କନଫେକ୍ସନାରୀ ଓ ସିରିୟେଲସ୍ ଡାଇରେକ୍ଟର ଜଗଦିଶନ ଗୋପିଚନ୍ଦର କହିଛନ୍ତି ଯେ କମ୍ପାନୀ ଅଲଗା ଅଲଗା ଗ୍ରାହକଙ୍କୁ ଧ୍ୟାନରେ ରଖି ଅନେକ ନୂଆ ପ୍ରଡକ୍ଟ ଲଞ୍ଚ କରିଛି। ଏଣୁ କିଟକାଟ୍ ର ଚାହିଦା ବଢିଛି। କମ୍ପାନୀ ଗିଫ୍ଟିଂ ସେଗମେଣ୍ଟ ଲାଗି କିଟକାଟ୍ ସେଲିବ୍ରେକ୍, ଛୋଟ ସ୍ନାକ୍ସ ବିକଳ୍ପ ଲାଗି କିଟକାଟ୍ ପପସ, ପ୍ରିମିୟମ ରେଞ୍ଜରେ କିଟକାଟ୍ ଡିଲାଇଟ୍ ଭଳି ନୂଆ ପ୍ରଡକ୍ଟ ଉପସ୍ଥାପନ କରିଛି। ଏହା ଛଡା ସଲ୍ଟେଡ କାରାମେଲ, ହେଜେଲନଟ, କିଟକାଟ୍ ଡୁଓ, ଲେମନ ଆଣ୍ଡ ଲାଇମ ଭଳି ନୂଆ ଫ୍ଲେଭର ଲଞ୍ଚ କରିଛି।

ନେସ୍ଲେ ଇଣ୍ଡିଆ ବ୍ରାଣ୍ଡକୁ ମଜଭୁତ କରିବା ପାଇଁ ବିଜ୍ଞାପନ ଓ ମାର୍କେଟିଂ ଉପରେ ମଧ୍ୟ ବିପୁଳ ନିବେଶ କରିଛି। କମ୍ପାନୀ କ୍ୟାମ୍ପେନ ଓ ପାର୍ଟନରସିପ୍ ମାଧ୍ୟମରେ ଗ୍ରାହକଙ୍କୁ ଯୋଡିବାର ଉଦ୍ୟମ କରିଛି। ଏହାଛା କମ୍ପାନୀର ଗ୍ଲାସଡୋର ରେଫ୍ରିଜେରେଟର ପ୍ରୋଗ୍ରାମ ଦେଶର ସହର ଓ ଗ୍ରାମୀଣ ବଜାରରେ ବିକ୍ରି ବଢାଇବାରେ ସହାୟକ ହୋଇଛି। ନେସ୍ଲେ ଇଣ୍ଡିଆ ୨୦୨୫ ବାର୍ଷିକ ରିପୋର୍ଟରେ କମ୍ପାନୀ ଭାରତରେ ୩୯୫କୋଟି କିଟକାଟ୍ ଫିଙ୍ଗର୍ସ ବିକ୍ରି କରିଥିବା ସୂଚିତ କରିଛି। କମ୍ପାନୀର କହିବା କଥା ହେଉଛି ସେ ବଜାର ଭାଗିଦାରୀକୁ ଦୁଇଗୁଣ କରିପାରିଛି।