ନୂଆଦିଲ୍ଲୀ: ଋଷିଆରୁ ତୈଳ ଆମଦାନୀର ତଥ୍ୟକୁ ନେଇ ପାରଦର୍ଶିତା ଉପରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ଅଧିକାରୀମାନେ ସୂଚନା ଅଧିକାର (ଆରଟିଆଇ) ଅଧିନିୟମରେ ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅନ୍ତର୍ଗତ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ(ପିପିଏସି) ଏ ବାବଦେ କାରଣ ଦର୍ଶାଇଛନ୍ତି। କହିଛନ୍ତି ଯେ ଏପରି ସୂଚନା ବ୍ୟବସାୟୀକ ରୂପେ ସମ୍ବେଦନଶୀଳ। ଏହାକୁ ସାର୍ବଜନିକ କରାଯାଇ ପାରିବନି। କେନ୍ଦ୍ର ସୂଚନା ଆୟୋଗ (ସିଆଇସି) ଏହି ଆଭିମୁଖ୍ୟକୁ ସମର୍ଥନ କରିଛି।

ମାମଲା କ’ଣ?
ଏହି ମାମଲା ଏକ ଆରଟିଆଇ ଆବେଦନ ସମ୍ପର୍କିତ। ଏଥିରେ ଜୁନ ୨୦୨୨ରୁ ଜୁନ ୨୦୨୫ ମଧ୍ୟରେ ଋଷିଆରୁ ଭାରତ ଆସିଥିବା ଅଶୋଧିତ ତୈଳ ସିପମେଣ୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ମଗାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଅନୁରୋଧରେ ବିଶେଷ କରି କମ୍ପାନୀ ପିଛା ବିବରଣୀ ମଗା ଯାଇଥିଲା। ଏଥିରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଓଏନଜିସି ବିଦେଶ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ନାୟରା ଏନର୍ଜୀ ଭଳି ପ୍ରମୁଖ କମ୍ପାନୀଙ୍କ ବିବରଣୀ ମଗାଯାଇଥିଲା।

କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (ସିପିଆଇଓ) ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି। କହିଛନ୍ତି ଅଶୋଧିତ ତୈଳ ଆମଦାନୀ ସମ୍ପର୍କିତ କମ୍ପାନୀ ପିଛା ସୂଚନା ବ୍ୟବସାୟୀକ ଓ ଗୋପନୀୟ ପ୍ରକୃତିର। ଆରଟିଆଇ ଅଧିନିୟମ୨୦୦୫ର ସେକ୍ସନ ୮(୧)(ଡି) ଓ ୮(୧)(ଇ)ରେ ଏହାକୁ ପ୍ରକାଶିତ କରିବାରେ ଛାଡ ଦିଆଯାଇଛି। ତେବେ ଅଶୋଧିତ ତୈଳର ମୋଟ ଆମଦାନୀର ମାତ୍ରା ଓ ମୂଲ୍ୟ( ବର୍ତ୍ତମାନ ଓ ଅତୀତର) ପିପିଏସିର ୱେବସାଇଟରୁ ଡାଉନଲୋଡ କରାଯାଇ ପାରିବ।

କେଉଁ ତର୍କ ଦେଇଥିଲେ ଆବେଦନକାରୀ?
ଶୁଣାଣି କାଳରେ ଆବେଦନକାରୀ ତର୍କ ଦେଇଥିଲେ ଯେ ଏହି କ୍ଷେତ୍ରର କାର୍ଯ୍ୟକୁ ବୁଝିବା ଲାଗି ଏପରି ତଥ୍ୟ ପର୍ଯ୍ୟନ୍ତ ପହଞ୍ଚିବା ଜରୁରି। ଏହା ସତ୍ତ୍ୱେ ଆୟୋଗ ସୂଚନା ପ୍ରକାଶ ନ କରିବା ପକ୍ଷରେ ଆଦେଶ ଜାରି କରିଛନ୍ତି। ସିଆଇସି ତାଙ୍କ ଅନ୍ତରୀଣ ଆଦେଶରେ କହିଛନ୍ତି ଯେ ସୂଚନା ଉଜାଗର କଲେ ରଣନୈତିକ ଓ ଆର୍ଥିକ ହୀତ ଉପରେ ପ୍ରଭାବ ପଡିବ। ଏହା ଛଡା ଅନ୍ୟ ଦେଶଙ୍କ ସହ ସମ୍ପର୍କରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିବ। କାରଣ ଏହି ପ୍ରସଙ୍ଗ ଭୂ-ରାଜନୈତିକ ସମୀକରଣ ସହ ସମ୍ପର୍କିତ।